Unknown

 

 

 

 

 

 

 

 

 

 

 

ଟିକିଏ ଛାଇ କେତେ ଖରା

ସ୍ନେହଲତା ଦାସ

 

 

 

 

 

 

 

 

ଉତ୍ସର୍ଗ

 

ଯାହାର ଅସରନ୍ତି ସ୍ନେହ ମୋର ମୂକ ମୁଖରେ ଭାଷା ଫୁଟାଇଲା ସେଇ ମୋ ବୋଉ ହାତରେ

 

ଡଲି

 

ନନ୍ଦିତା ଆଖିରୁ ଧାର ଧାର ଲୁହ ଝରୁଛି । ନୟନ ତଟିନୀର କୂଳ ପ୍ଲାବନ କରି ଆସିଛି ଆଜି ଅଶ୍ରୁର ବନ୍ୟା । ସେଇ ପ୍ଲାବନରେ ଧୋଇ ହୋଇଯାଉ ବିଗତ ଜୀବନର ସମସ୍ତ ଗ୍ଲାନି । ଅଶ୍ରୁର ଏ ଅସରନ୍ତି ପ୍ରବାହକୁ ସେ ବାଧା ଦେବ ନାହିଁ । ଅନ୍ତରର ସମସ୍ତ କାଳିମା ବିଲୟ ଲଭୁ ଏଇ ଅଶ୍ରୁର ପ୍ରବାହରେ ।

 

ରାଧା କିଶୋରଙ୍କର ପ୍ରଶାନ୍ତ ମୁଖମଣ୍ଡଳରେ ସର୍ବଭୁଲା ହାସ୍ୟର ଛଟା । ନୟନରେ ଆଶ୍ରିତକୁ ଭରସା ଦବାର ଅଭିବ୍ୟକ୍ତି । ସେତିକି ସାନ୍ତ୍ୱନା ତାର ଦୁଃଖର ଏ ଦୁର୍ବିସହ ଦିନଗୁଡ଼ିକରେ-। ଆଖିର ଲୁହରେ ଆଜି ସେ ତାର ଅନ୍ତର ଦେବତାଙ୍କ ନିକଟରେ ସବୁ ସମର୍ପଣ କରି ନିଃସ୍ୱ ହୋଇଯିବାର ଦୃଢ଼ତା ଘେନି ବସିଛି । ସେଇ ଅର୍ଦ୍ଧଚେତନ ଅବସ୍ଥାରେ ବେଳେ ବେଳେ ଗୁଞ୍ଜରୀ ଉଠୁଛି ।

 

ଶୂନ୍ୟ ହୃଦୟ ମୋର ତୁମରି କୃପାବାରିରେ ପୂର୍ଣ୍ଣ କର ପ୍ରଭୁ ! ପ୍ରାଣର ଏ ଅସରନ୍ତି ପିପାସା ସେତିକି ପାଇ ତୃପ୍ତି ଲଭୁ ।

 

ଦେବତାଙ୍କ ପାଖରେ ସବୁ ସମର୍ପଣ କରି ନିଃସ୍ୱ ହୋଇଯିବାର ଆନନ୍ଦରେ ବିଭୋର ସେ ଆଜି । ନୟନରେ ଅଶ୍ରୁର ପ୍ଲାବନ ଓ ହୃଦୟରେ ଭାବର ପ୍ଲାବନ । ଏହି ମହାପ୍ଲାବନରେ ସେ ନିଜର ସତ୍ତା ହରେଇ ବସିଛି । ଅପୂର୍ବ ସେ ଅନୁଭୂତି ।

 

କିନ୍ତୁ ସେ ଏମିତି ନ ଥିଲା । ଅତୀତର ନନ୍ଦିତାରାୟ ଓ ଆଜିର ଏହି ନନ୍ଦିତା ବହିଦାର ମଧ୍ୟରେ ଅଚିନ୍ତନୀୟ ପ୍ରଭେଦ । ସେ ଦିନର ସେ ପ୍ରଗଳ୍‌ଭା ନଦୀ ଆଜି ସ୍ଥିର ଅଚଞ୍ଚଳ । ସେ ଛଳ ଛଳ ସ୍ୱପିଳ ଚାପଲ୍ୟ ଆଜି ବାସ୍ତବତାର ଘାତ ପ୍ରତିଘାତରେ ଶାନ୍ତ । ସବୁ ସ୍ୱପ୍ନ ତାର ନିର୍ମମ ବାସ୍ତବତାର ସଂଘର୍ଷରେ ଅତି ଶୋଚନୀୟ ଭାବରେ ବିଲୀନ । ସେ କଣ ଏଇୟା ଚାହିଁଥିଲା ? ସେ କଣ ଚାହିଁଥିଲା ତାର ଏତେ ଦିନର ଆଶା ଆକାଙ୍‌କ୍ଷାର ଏ ଶୋଚନୀୟ ପରିସମାପ୍ତି ? ଜୀବନର ମଧୁଲଗ୍ନର ପ୍ରାରମ୍ଭର ଅବ୍ୟବହିତ ପରେ ସେ କଣ ଚାହିଁଥିଲା ତାର ଏ ଅସମ୍ଭବ ପରିଣତି ? ଅତୀତର ସେ ସ୍ୱପ୍ନମୟ ଜୀବନ ଆଜି ଆଉ ନାହିଁ । ସେ ସ୍ୱପ୍ନ ଆଜି ବ୍ୟର୍ଥତାରେ ରୂପାନ୍ତରିତ ହୋଇଛି । ସେଇ ବ୍ୟର୍ଥତାର ବାଲୁଚରରେ ଯେଉଁ ହତାଶାର ଝଡ଼ ଉଠିଥିଲା ସେ ଆଜିର ଏ ପ୍ରଭାତର ଆଗମନରେ ଥମି ଯାଇଛି । ବଂଶୀଧାରୀଙ୍କ ବଦନର ସ୍ନିଗ୍‌ଧତାର ସ୍ପର୍ଶରେ ତା ହୃଦୟର ସମସ୍ତ କାଳିମା ଧୀରେ ଅପସରି ଯାଉଛି ।

 

ଆଦ୍ୟ ବସନ୍ତର ପ୍ରଥମ ମଳୟର ସ୍ପର୍ଶରେ ତା ମନ ଉଦ୍ୟାନର ଅସରନ୍ତି ପୁଷ୍ପକଳି ପାଖୁଡ଼ା ମେଲିଥିଲେ । ସୁବାସରେ ଅନ୍ତର ତାର ସୌରଭିତ ହୋଇଥିଲା । ନିଜ ଅନ୍ତରର ମହକରେ ବିମୁଗ୍‌ଧ ହୋଇଥିଲା ସେ ନିଜେ । ଆଶଙ୍କା ଜାଚିଥିଲା ତା ଅନ୍ତରରେ । ଏତେ ସୌରଭ ସେ କେଉଁଠି ଲୁଚାଇ ରଖିବ ? ମଧୁଲିଟର ଅସ୍ପଷ୍ଟ ଗୁଞ୍ଜନରେ ଅନ୍ତରରେ ତାର ଶୀତ୍କାର ଖେଳି ଯାଇଥିଲା । ଉଚ୍ଚକିତ ହୋଇଥିଲା ସେ । ମୁଗ୍‌ଧା ହରିଣୀ ପରି ସେ ସେଇ ଗୁଞ୍ଜନର ମଧୁର ସ୍ୱରରେ ନିଜସ୍ୱ ହରାଇ ବସିଲା । ଅଳି ନିକଟତର ହେଲା । ତା ମନ ପୁଷ୍ପର କୋରକରୁ ନିବିଡ଼ ଆଶ୍ଲେଷରେ ସମସ୍ତ ମଧୁ ଆହରଣ କଲା । ନନ୍ଦିତାର ମନେହେଲା ଏ ସଂସାରରେ ସବୁ ମଧୁମୟ-। ଏଠି ଖାଲି ମଳୟର ସ୍ପର୍ଶରେ ସବୁ ସୌରଭମୟ । ସେଇ ସୌରଭ ତାର ନାସିକା ରନ୍ଧ୍ର ଦେଇ ଅନ୍ତରକୁ ଆମୋଦିତ କରିବାକୁ ଲାଗିଲା । ଅଳିର ଅଶ୍ଲେଷ ମଧ୍ୟରେ ଦୁନିଆଁକୁ ଭୁଲିଲା । କଣ ପାଇଲା ସେ ? ତା ହୃଦୟ ଓ ମନକୁ କୀଟଦଷ୍ଟ କରି ସମସ୍ତ ମଧୁ ଆହରଣ କରି ଅଳି ଫେରିଗଲା-। ତାର ସମସ୍ତ ସମ୍ପଦକୁ ଲୁଟି ନେଲା । ସବୁ ହରେଇ କିଛି ନ ପାଇବାର ହତାଶାରେ ତିଳ ତିଳ ହୋଇ ଦଗ୍‌ଧ ହେଲା ସେ । ନୟନ ପ୍ରାନ୍ତର ସ୍ୱପ୍ନିଳ ନିଶା ଅପସରି ଗଲା । ସମ୍ବିତ୍‌ ଫେରି ପାଇଲା ବେଳକୁ ଅନେକ ଡେରି ହୋଇଯାଇଛି । ମନ ଉପବନରୁ ବସନ୍ତ କେଉଁଦିନ ବିଦାୟ ନେଇ ଯାଇଛି ତାର ଖବର ସେ ରଖିନି । ଆଜିର ଏ ରୌଦ୍ର ଦୀପ୍ତ ଗ୍ରୀଷ୍ମର ପ୍ରଚଣ୍ଡତାରେ ମନପୁଷ୍ପ ତାର ମଉଳି ପଡ଼ିଛି । ଅସହାୟତାର ଦୁଃଖରେ ପ୍ରାଣ ତାର ବିକ୍ଷୁବ୍‌ଧ । ଏଇ ହତାଶାର ଜ୍ୱଳନରୁ ରକ୍ଷା ପାଇବାର ଉପାୟ କିଛି ପାଉନି ଆଉ ସେ । ସତେ କଣ ସେ ଏ ହତାଶାର ବାଲିଝଡ଼ରେ ନିଶ୍ଚିହ୍ନ ହୋଇଯିବ । ଏ ଜ୍ୱଳନରୁ ରକ୍ଷା କରିବା ପାଇଁ କେବେ କଣ ସାନ୍ତ୍ୱନାର ବାରିଧାରା ତାର ମନ ଉପବନକୁ ନଇଁ ଆସିବ ନାହିଁ ? ମନରେ ତାର ଅସଂଖ୍ୟ ପ୍ରଶ୍ନବାଚୀ । ତାରି ସମାଧାନ ପାଇଁ ସେ ଚାହିଁ ବସିଛି ଆଜି ରାଧାକିଶୋରଙ୍କୁ ଆକୁଳ ନୟନରେ ।

 

କୈଶୋର ଅତିକ୍ରମ କରିଛି ସେ ଅନେକଦିନୁ । ତାର ସ୍ମୃତି ମଧ୍ୟ ହଜିଯାଇଛି ଆଜି ବିସ୍ମୃତିର ବାଲୁଚର ଭିତରେ । କିନ୍ତୁ ସେଇ କୈଶୋରର ସବୁ କଳ୍ପନା ସବୁ ସ୍ୱପ୍ନର ଧ୍ୱନି ଆଜି ଏତେଦିନ ପରେ ପ୍ରତିଧ୍ୱନିତ ହେଉଛି ତାର ମନରେ, ତାର ହୃଦୟରେ । ପିଲାଦିନର କଥା କଣ ବଡ଼ଦିନରେ ସତ ହୁଏ ? କିଶୋରୀ ଜୀବନର ସ୍ୱପ୍ନ କଣ ଯୁବତୀ ଜୀବନରେ ବାସ୍ତବ ହୁଏ ? ଅବିବାହିତ ଜୀବନରେ ମଣିଷ ଯେଉଁ ସ୍ୱପ୍ନ ଦେଖେ, ବିବାହିତ ଜୀବନରେ ସେ ହୁଏ ଏକ ବିଭ୍ରାନ୍ତ କଳ୍ପନା । ଅବିବାହିତ ମନର ସବୁଜିମାରେ ବିବାହିତ ଜୀବନର ମସୀ ଲାଗି କ୍ରମେ ବିକୃତ ହୋଇଯାଏ । ସେ ରଙ୍ଗ ମଉଳି ଯାଏ । ସେଥିରେ ନୂତନ ରଙ୍ଗର ପୁଟ ଦେବାକୁ ହେଲେ ସେ ଜୀର୍ଣ୍ଣତାର ପୁନଃସଂସ୍କାରର ହୁଏ ପ୍ରୟୋଜନ । ତଥାପି କଣ ନୂତନତ୍ୱର ରଙ୍ଗ ସେ ପାଇପାରେ ?

 

ଖାଲି ଫାଙ୍କି । ବିଗତ ଯୌବନା ନାରୀର ପ୍ରସାଧନ ମାଧ୍ୟମରେ ନିଜକୁ ତରୁଣୀ ସଜେଇବା ପରି । ଆତ୍ମପ୍ରବଞ୍ଚନାର ନାମାନ୍ତର ମାତ୍ର । ବହିଗଲା ପାଣି, ବିତିଗଲା ଦିନ ଆଉ ଉଜାଣି ଫେରେ ନାହିଁ । ସେ ଅତୀତ । ବର୍ତ୍ତମାନ ପାଇଁ କେବଳ ସେ ସ୍ମୃତି । ଧରି ରଖିବାର ପ୍ରଚେଷ୍ଟା ଖାଲି ବିଡ଼ମ୍ବନା । ସେଇ ଅତିକ୍ରାନ୍ତ ଅତୀତର ଅନନ୍ତ ଦୂରତ୍ୱକୁ ଆଜି କଳ୍ପନାର ମାପକାଠିରେ ମାପୁଥିଲା ବସି ନନ୍ଦତା ।

 

ଗୋଟି ଗୋଟି ହୋଇ ସାତୋଟି କର୍ମମୁଖର ବର୍ଷ ବିତିଯାଇଛି । ସୁଖ ପାଇବାକୁ ଯାଇ ଦୁଃଖର ପୁଞ୍ଜି ସ୍ତୂପୀକୃତ ହୋଇଛି । ହୃଦୟର ଅବ୍ୟକ୍ତ ବେଦନାର ଉହାଡ଼ରେ ଅନ୍ୟ ମୁହଁରେ ହସ ଦେଖିବାର ପ୍ରଚେଷ୍ଟା ସେ କରିଛି । ଅନନ୍ତ ଜ୍ୱଳନରେ ଦଗ୍‌ଧ ହୋଇ ତ୍ୟାଗର ବାରିଧାରାରେ ପ୍ଲାବନ କରିଛି ଅନ୍ୟର ଅନ୍ତରକୁ ସେ । ଉଦ୍‍ଗତ ଅଶ୍ରୁକୁ ଚାପିରଖି ଅଧର ଉପକୂଳରେ ସ୍ମିତହାସ୍ୟର ଲହରୀ ଖେଳେଇଛି କିନ୍ତୁ ପାଇଛି କଣ ? ସଂସାରକୁ ସୁଖମୟ କରିବାକୁ ଅନେକ ଆତ୍ମପ୍ରବଞ୍ଚନା ସେ କରିଛି । ସବୁ ସତ୍ତ୍ୱେ କଣ ସୁଖମୟ କରି ପାରିଛି ସେ ତାର ସଂସାରଟିକୁ । କୁମାରୀ ଜୀବନରେ ନୟନରେ ସ୍ୱପ୍ନର ଅଞ୍ଜନ ବୋଳି ସେ ଯେଉଁ କମନୀୟ ସଂସାରର ରୂପ ଦେଖିଥିଲା, ଆଜିର ଏ ବାସ୍ତବତାର ଚୋରାବାଲି ଉପରେ ପାଦ ରଖି ଅତଳ ଗହ୍ୱରରେ ଲୀନ ହେବାକୁ ବସିଛି ସେ ସବୁ । ହାତ ପାଆନ୍ତାରେ କୌଣସି ଅବଲମ୍ବନ ନାହିଁ, ଯାହାର ଆଶ୍ରୟରେ ସେ ଏ ପତନରୁ ନିଜକୁ ରକ୍ଷାକରି ପାରିବି । ନିଷ୍ଫଳ ସ୍ୱପ୍ନ ଆଉ ବିଫଳ ଆଶାର ଜ୍ୱଳନରେ ତାର କ୍ରନ୍ଦସି ମନପକ୍ଷୀ ବିକଳରେ ମର୍ମର ଉଠୁଛି । କାହିଁ ଶାନ୍ତ, କାହିଁ ଆଶ୍ୱାସନା ?

 

ସେଦିନ ଏମିତି ଏକ ମଧୁବୋଳା ରାକା ରଜନୀରେ ସେ ନିଜକୁ ସମର୍ପଣ କରି ଦେଇଥିଲା ସଞ୍ଜୟର ପାଦତଳେ । ଆଜି ବି ତାର ମନ ମୁକୁରରେ ସେ ଇପ୍‌ସିତ ମଧୁରାତିର ପ୍ରତିଫଳନ ସ୍ପଷ୍ଟ । ସେ ରାତି ଆସେ ନାରୀ ଜୀବନରେ ଥରେ ମାତ୍ର । ଜୀବନର ସବୁ ଆଶା ସବୁ ଆବେଗ ନେଇ କୁମାରୀ କନ୍ୟା ଚାହିଁ ରହିଥାଏ ସେହି ରାତ୍ରିର ଆଗମନକୁ । ସେ ମଧ୍ୟ ନୟନରେ ଶତଯୁଗର ସ୍ୱପ୍ନ ଭରି ଚାହିଁ ରହିଥିଲା ସେହି ଆବେଗମୟ ମୁହୂର୍ତ୍ତଟିକୁ । ଅଗରୁବତୀର ଭୁରୁ ଭୁରୁ ଗନ୍ଧ ଓ ମଲ୍ଲୀଫୁଲର ସୁବାସ ମଧ୍ୟରେ ଅତୀତର ନନ୍ଦିତା ରାୟ ସଞ୍ଜୟର ବାହୁ ବନ୍ଧନରେ ନିଜକୁ ହଜେଇ ଦେଇଥିଲା । ସଞ୍ଜୟକୁ ପାଇ ସେ ଭୁଲିଗଲା ତାର ଅତୀତ । ତାରି ଆଶ୍ଲେଷରେ ହଜିଯାଇଥିଲା ତାର ବିତିଗଲା ଦିନର ସବୁ ସ୍ନେହ ବନ୍ଧନ । ସେଇ ସ୍ପର୍ଶରେ ନନ୍ଦିତାର ଅନ୍ତର ସୁବାସିତ ହୋଇ ଉଠିଥିଲା । କସ୍ତୁରୀ ମୃଗପରି ନିଜ ଅନ୍ତରର ସୁବାସରେ ଆତ୍ମହରା ହୋଇଥିଲା ସେ ନିଜେ । କିନ୍ତୁ ଆଜି ?

 

ଶାଶୁ ନ ଥିଲା ଶାଶୁଘରେ ସେ ବୋହୁ ହବାର ଅବସର ପାଇ ନଥିଲା । ପ୍ରଥମରୁ ଗୃହିଣୀର ଦାୟତ୍ୱ ବହନ କରିବାକୁ ହୋଇଥିଲା ତାକୁ । ସାଇ ପଡ଼ିଶା କହୁଥିଲେ, ‘ତୁ ମା ବୋହୂ ହେଉଛୁ କଣ ? ତୋ ଉପରେ ତୋ ଶାଶୁ ଏଇମାନଙ୍କ ଦାୟିତ୍ୱ ଦେଇ ମହାଶାନ୍ତିରେ ଶୋଇ ଯାଇଛନ୍ତି । ସେମାନଙ୍କୁ ନେଇ ତୋ ସଂସାର ତୁ ଗଢ଼ିବାକୁ ଆରମ୍ଭ କର ।’ ସେ ଦିନ ହସିଥିଲା ସେ-

 

ଶଶୁର ଡାକି ତାଙ୍କର ଦୌଲତର ସମ୍ଭାର ଦେଖାଇଥିଲେ । ଆଖି ଝଲସା ଗହଣା ଓ ଟଙ୍କାର ସ୍ତୂପ ଦେଖାଇ ସେ କହିଥିଲେ—

 

‘‘ସବୁ ତୁମର ମା । ଶାଶୁ ତୁମର ରଖି ଯାଇଛନ୍ତି ଆକୁ ସବୁ ତୁମରି ପାଇଁ । ଏ ଘର ଦୁଆର ସବୁ ତୁମର । ସବୁ ସାଇତିବ, ସବୁ ସୁମରି ରଖିବ । ସୁଗୃହିଣୀ ହବ ଠିକ୍‌ ତୁମ ଶାଶୁଙ୍କ ପରି-। ମୋର ଆଉ କେତେ ଦିନ ? ସେ ପୁରର ଅଜଣା ମୋହ ମୋ ଆଖିରେ ବଡ଼ ହେଲାଣି । ଏଣିକି ସେ ପାରିର ଅସରନ୍ତି ଯାତ୍ରାପଥ ଲାଗି ପାଥେୟ ଯୋଗାଡ଼ କରିବାକୁ ହେବ । ବହୁତ ଦିନ ଏ ସଂସାରକୁ ଆଗୁଳି ବସିଲି ।’’

 

ଶଶୁରଙ୍କ କଥା ଶୁଣି ଆଖିରେ ଲୁହ ଆସିଥିଲା ସେ ଦିନ ନନ୍ଦିତାର । ସତେ ଏତେ ଦୁଃଖ ଅଛି ଏ ଜରାଜୀର୍ଣ୍ଣ ହୃଦୟରେ ? ଏକାକୀ ଏତେ ବଡ଼ ଯାତ୍ରାପଥ ସାଥୀହରା ହୋଇ ଅତିକ୍ରମ କଲେ-। ପାଦ ତାଙ୍କର ଥକି ଗଲାଣି । ସ୍ଥବିର ଅଙ୍ଗ ଖୋଜୁଛି ବିଶ୍ରାମ । ସେ କଣ ତାଙ୍କୁ ବିଶ୍ରାମ ଦେଇ ପାରିବ ନି ? ସେ କଣ ତାଙ୍କର ଏ ଶିଥିଳ ମନରେ ଦମ୍ଭ ଆଉ ଧୈର୍ଯ୍ୟର ସମ୍ଭାର ଭରି ଦେଇ ପାରିବ ନି ? ତାକୁ ଟାଣ ହେବାକୁ ହେବ । ତାକୁ ଏ ସଂସାରର କଳଙ୍କି ଲାଗିଥିବା ସ୍ତାନରେ ସୁଖ ଓ ଶାନ୍ତିର ପ୍ରଲେପ ବୋଳି ଚକ୍‌ଚକ୍‌ କରିବାକୁ ହେବ । ଅନ୍ତରର ତ୍ୟାଗର ବହ୍ନିରେ ନିଜକୁ ଜଳେଇ, ଏ ସଂସାରକୁ ଶାନ୍ତି ଓ ଆଶ୍ୱାସନାର ବାରିରେ ଅବଗାହନ କରେଇବାକୁ ହେବ । ସେଇ ସାଧନା ସେ ଆରମ୍ଭ କରିବ ।

 

ଆଜି ଏଇ ରାତ୍ରିରେ ସେଦିନର ସେଇ ପ୍ରତିଜ୍ଞା କଥା ମନେ ପଡ଼ୁଛି ତାର । ପାରିବାର ଏକ ଦୁର୍ବାର ଆକାଙ୍‌କ୍ଷା ନ ନେଇ ପାରିବାର ହତାଶାରେ ଦଗ୍ନ ହେଉଛି ସେ । ଏତେ ବଡ଼ ପଣ ତାର ରହି ପାରିଲା ନି । କାହାକୁ ସେ ଦାୟୀ କରିବ ଆଜି ତାର ଏ ବିଫଳତା ପାଇଁ । ଉଦ୍ୟମରେ ତ୍ରୁଟି ତ କରି ନ ଥିଲା ସେ । ସମସ୍ତ ଆନ୍ତରିକତାର ମାଧ୍ୟମରେ ସମସ୍ତଙ୍କୁ ଆପଣାର କରିବାକୁ ଚାହିଁଥିଲା ସେ । କିଏ ତାର ସେ ସାଧନା ପଥରେ ଅନ୍ତରାୟ ହେଲା ! ଯେଉଁ ସାଧନାରେ ସଫଳତା ଲାଭ କରିଥିଲେ ସୁନାମର ଶୀର୍ଷରେ ପହଞ୍ଚିପାରିଥାନ୍ତା ସେ, କାହାର ପ୍ରତିବନ୍ଧକ ପାଇ ପାଦ ତାର ପିଚ୍ଛିଳ ପଥରେ ଦୃଢ଼ ହୋଇ ପାରିଲାନି । ପତନରୁ ରକ୍ଷା ପାଇ ପାରିଲା ନି ସେ । ଇସ୍‌, କି ଦୁରନ୍ତ ଆକାଙ୍‌କ୍ଷା ତାର ନିଷ୍ଫଳ ହୋଇଗଲା !!

 

ହଁ ସଞ୍ଜୟ ଭଲ ପାଉଥିଲା ତାକୁ ଅତି ନିବିଡ଼ ଭାବରେ । ନୀଳଗିରିର ସେହି ସ୍ୱର୍ଣ୍ଣଚୂଡ଼ରେ ଶିଖରକୁ ଚାହିଁ ଦୁହେଁ ସ୍ୱପ୍ନ ରଚିଥିଲେ । ଜୀବନଟାକୁ ଏମିତି ରସବନ୍ତ ଆଉ ପ୍ରାଣବନ୍ତ କରି ରଖିବାର କଳ୍ପନା ନେଇ ଦୁହେଁ ଜୀବନ ଆରମ୍ଭି ଥିଲେ । ନୂଆ ନୂଆ ଚାକିରୀ ଆଉ ନୂଆ ମଣିଷର ସାନିଧ୍ୟ ସ୍ୱପ୍ନପୁରୀର ମାୟା ରଚିଥିଲା ଦୁହିଁଙ୍କ ଆଖିରେ । ଜଙ୍ଗଲ ବିଭାଗର କାମକରେ ସଞ୍ଜୟ । ସେଥର ସଞ୍ଜୟ ସାଥିରେ ନୀଳଗିରି ଆସିଥିଲା ସେ । ଆଜୀବନ କୃତ୍ରିମତା ମଧ୍ୟରେ ପରିବର୍ଦ୍ଧିତା ନନ୍ଦିତାର ହୃଦୟ ଆଜିର ଏ ପ୍ରାକୃତିକ ପରିବେଶରେ ଉଚ୍ଚକିତ ହୋଇ ଉଠିଥିଲା । ନୀଳ ବନାନୀର ମାଧୁରିମାରେ ମୁଗ୍‌ଧ ହୋଇଥିଲା ତାର ଅନ୍ତର । ଦିନଯାକ ଜଙ୍ଗଲରେ ଘୁରିବୁଲି ସଞ୍ଜୟ । ଆଉ ସନ୍ଧ୍ୟାବେଳେ ଡାକବଙ୍ଗଳାର ପଛପଟ ବାରଣ୍ଡାରେ ବସି ଦୁହେଁ ସ୍ୱର୍ଣ୍ଣଚୂଡ଼ର ପ୍ରାକୃତିକ ସମ୍ଭାରକୁ ସମ୍ମୁଖରେ ରଖି ଚା ପିଅନ୍ତି । ସଞ୍ଜୟ ମୁଖର ହୋଇଉଠେ ।

 

‘‘ଦେଖନ୍ତୁ ନନ୍ଦା, ଆକାଶରେ ବାଦଲର ସମୀରୋହ । ସ୍ୱର୍ଣ୍ଣଚୂଡ଼ର ଉତ୍ତୁଙ୍ଗ ଚୂଡ଼ା ଚୁମ୍ବି ଆଜିର ଏ ବାଦଲରେ ଅଭିଯାନ ମନରେ ଏକ ଅଭିନବ ମାୟାର ସୃଷ୍ଟି କରୁଛି । ବନ୍ଧନ ହୀନ ଜୀବନ ନେଇ ଆମେ ଯଦି ଏଇ ପ୍ରକୃତି କୋଳରେ ନିଜକୁ ମୁକୁଳା କରି ଦିଅନ୍ତେ ଠିକ୍‌ ସେଇ ଆଦିବାସୀ ଦମ୍ପତ୍ତିଙ୍କ ପରି କି ସୁଖମୟ ହୁଅନ୍ତା ଜୀବନ ଆମର । ମୁଁ ଶସ୍ୟସମ୍ଭାର ନେଇ ଦିବାବସାନରେ ନୀଡ଼କୁ ଫେରି ଆସନ୍ତି ଆଉ ତମେ ଥାନ୍ତ ଛାୟାପରି ଠିକ୍‌ ମୋ ପାଖେ ପାଖେ । କୌଣସି ପ୍ରତିବନ୍ଧକ ନଥାନ୍ତା ଆମ ଦୁହିଁଙ୍କ ମଝିରେ । ଠିକ୍‌ ଏମିତି ତମ ମୁହଁକୁ ଚାହିଁ ଦିନ ବିତିଥାନ୍ତା ମୋର ।’’

 

ହସି ଉଠିଥିଲା ସେଦିନ ନନ୍ଦିତା । ମୁଖର କୋମଳ ତ୍ୱକ୍‌ ଉପରେ ଲଜ୍ଜାର ପାଟଳିମା ଅତି କମନୀୟ କରିଥିଲା ତାକୁ । ମୁଗ୍‌ଧ ନେତ୍ରରେ ଚାହିଁ ରହିଥିଲା ସଞ୍ଜୟ ।

 

‘‘କୁହ ବନ୍ଦ କଲ କାହିଁକି ? ଏକଦମ୍‌ ପିଇଯାଉଛ ଯେ ?’’ ‘‘ପିଇବାରେ କଣ ତୃପ୍ତି ଅଛି ନନ୍ଦା ? ଚକୋର ପରି ମୁଁ ଚନ୍ଦ୍ରରୁ ସୁଧା ଆହରଣ କରି ଯୁଗଯୁଗାନ୍ତର ତୃଷା ମୋର ଶାନ୍ତ କରନ୍ତି ।’’

 

‘‘ବନ୍ଦ କର ! କଥା କହିବାର ଖୁବ୍‌ ପଟୁ ତମେ । କେତେବେଳେ ତମେ ଚକୋର ତ କେତେବେଳେ ଆଦିବାସୀ ଯୁବକ । କେତେବେଳେ ତମେ କି ରୂପ ପରିବର୍ତ୍ତନ କରିବ ସେଇଆ ଭାବି ମୁଁ ଆଶ୍ଚର୍ଯ୍ୟ ହେଉଛି । କିନ୍ତୁ ମତେ ଡର ଲାଗୁଛି କଣ ଜାଣ ? କେତେବେଳେ ତମେ ଆଦିବାସୀ ହୋଇ ଯଦି ହାଣ୍ଡିଆ ପିଇ ବସ, ତେବେ ମୋ ସ୍ଥାନ କେଉଁଠି ?’’

 

ହସି ଉଠିଥିଲା ସଞ୍ଜୟ । ନନ୍ଦିତା ହାତକୁ ତା ହାତ ମୁଠାରେ ଧରି ମୃଦୁ ଚାପ ଦେଇ କହିଲା—

 

‘‘ସେଥିପାଇଁ ଭୟ କଣ ତୁମର ? ହାଣ୍ଡିଆ ପିଇ ନିଶାରେ ମୁଁ ବାହାର ଜଗତକୁ ପୂରାପୂରି ବିସ୍ମରି ଯିବି । ସବୁ ଭୁଲି ମୁଁ ତମରି ବାହୁ ବନ୍ଧନରେ ତମରି ମୁଖ ସୁଧା ପାନ କରିବି ତୃଷିତ ଚାତକ ପରି । ମୋର ଅନ୍ତର ବାହାର ତମରି ପ୍ରତିବିମ୍ବରେ ଭରି ଉଠିବ । କି ଆନନ୍ଦମୟ ହେବ ସେ ପରିବେଶ ?

 

‘‘ଥାଉ ଥାଉ । ତମପରି ବାକ୍‌ପଟୁତା ନାହିଁ ମୋର । ଜୀବନଟା ବିଜ୍ଞାନ ଚର୍ଚ୍ଚାକରି ଆଜି ଜଙ୍ଗଲର ପଶୁପକ୍ଷୀଙ୍କ ସାଥିରେ ରହି ତମର ଏ କବିତ୍ୱ ଆସିଲା କେଉଁଠୁ ? କାବ୍ୟ ରଚନା କରିବା ଶିଖିଲ କେଉଁ ଦିନୁଁ ?’’

 

‘‘ଠିକ୍‌ ଯେଉଁ ଦିନ ନୟନ ଭ୍ରମର ମୋର ତୁମରି ଏ ଅଙ୍ଗ ପୁଷ୍ପରୁ ମଧୁ ଆହରଣ କଲା-।’’

 

ହସି ଉଠି ଥିଲେ ଦୁହେଁ । ଦିନାନ୍ତର ସେ କମନୀୟ ପରିବେଶରେ ଦୁହିଁଙ୍କର ମିଳିତ କଣ୍ଠର ହାସ୍ୟାଧ୍ୱନି ଏକ ଅପୂର୍ବ ମୂର୍ଚ୍ଛନା ସୃଷ୍ଟି କଲା ।

 

X X X

 

ସେ ଏକ ବୈଶାଖ ଅପରାହ୍ନ । ବାହାରର ସେ ପ୍ରଖର ମୂର୍ତ୍ତି ନିଶ୍ଚିହ୍ନ ପ୍ରାୟ । ମଧ୍ୟାହ୍ନର ଦୁର୍ବିସହ ସୂର୍ଯ୍ୟ କେତେବେଳୁ ବିଦାୟ ନେଲେଣି ପଶ୍ଚିମ ଦିଗନ୍ତରେ । ବିଶ୍ୱ ପ୍ରକୃତିର ମୌନ ରୂପ ମଧ୍ୟରେ ଯେମିତି ଯୁଦ୍ଧ ଶାନ୍ତିର କ୍ଲାନ୍ତ ଅବସନ୍ନତା । ମଧ୍ୟାହ୍ନ—ସେ ଯେମିତି ଦୀର୍ଘ ସଂଗ୍ରାମ ଶେଷରେ ପରାଜିତ । ପ୍ରକୃତି ପାଖରେ ତାର ନିରୁପାୟ ଆତ୍ମସମର୍ପଣ ।

 

କେତେବେଳେ ଗଡ଼ିଗଲାଣି ଏଥିମଧ୍ୟରେ । ଆଶ୍ଚର୍ଯ୍ୟ ହେଲା ନନ୍ଦିତା । ଏମିତି ବସି ଭାବୁ ଭାବୁ ମଧ୍ୟାହ୍ନ ଅତୀତ ହୋଇଯାଇଛି । କଣ ସେ ବସି ଏତେ ଭାବୁଥିଲା ? ଅସହ୍ୟ ଗରମରେ ଛଟପଟ ହୋଇ ସେ ଶୋଇଲା ଘରୁ ଉଠି ଆସିଥିଲା ଖାଇବା ଟେବୁଲ୍‌ ପାଖକୁ । ବାରିପଦାର ଡି. ଏଫ. ଓ. ବଙ୍ଗଳାରେ ବସି ପ୍ରକୃତିର ଏଇ ଭୀମକାନ୍ତ ରୂପରେ ଆତ୍ମବିସ୍ମୃତି ହୋଇଥିଲା ସେ । ପ୍ରକୃତି ବକ୍ଷରେ ପଟ୍ଟ ପରିବର୍ତ୍ତନ ହୋଇଯାଇଛି ଏ ମଧ୍ୟରେ । ସଞ୍ଜୟର ଫେରିବା ବେଳ ହୋଇଗଲାଣି । ଜଳଖିଆ କିଛି କରିବାର ବରାଦ କରିନି ଏପର୍ଯ୍ୟନ୍ତ । ନାଁ ଆଉ ନୁହେଁ ଏଥର ତାକୁ ଉଠିବାକୁ ହେବ । ଆଜି ଗୋଟାଏ ନୂଆ ଜଳଖିଆ କିଛି ନିଜେ କରି ଖୁଆଇବ ସେ । ଫେମିନାରୁ ଶିଖିଥିବା ପାକ ପ୍ରଣାଳୀକୁ ଆଜି କାମରେ ଲଗେଇବାକୁ ହେବ । ନିଧି ଚୁଲି ଲଗେଇଲାଣି । ପ୍ରିୟଜନକୁ ନିଜ ହାତରେ ତିଆରି କରି ଖାଇବାକୁ ଦବାର ଆନନ୍ଦରେ ମଜ୍ଜିଗଲା ସେ । କାହାର ସ୍ପର୍ଶରେ ହଠାତ୍‌ ଚମକି ଉଠିଲା ନନ୍ଦିତା । ଫେରିଚାହିଁ ଦେଖିଲା ତାରି କାନ୍ଧରେ ହାତ ରଖି ତାରି ମୁହଁକୁ ଚାହିଁ ମୃଦୁ ହସୁଛି ସଞ୍ଜୟ । ଲାଜେଇ ଗଲା ନନ୍ଦିତା । ସଞ୍ଜୟର ଏମିତି ସ୍ଥାନ କାଳ ଜ୍ଞାନ ରହେନି ତା ପାଖରେ ଥିଲେ । ନିଧି ଠିଆ ହୋଇଛି । ତାରି ସାମନାରେ ତାକୁ ଆହୁରି ଲାଜରେ ପକେଇବାକୁ ଯାଇ ଓଠକୁ ଧରି ବୁଲେଇ ଦେଲା ତା ଆଡ଼କୁ ।

 

‘‘ଏ ମୁହଁ କଣ ହେଲାଣି ? ଏ ଖରାରେ ଚୁଲି ପାଖରେ ଗୋଟା ଲାଲ ପଡ଼ିଗଲଣି । କାହିଁକି ତମେ ଏ ଘରକୁ ଆସିଲ ?’’

 

‘‘ଏଇ ଟିକିଏ ଜଳଖିଆ କରୁଥିଲି ତମପାଇଁ ।’’ ‘‘କଣ ଦରକାର ସେ ସବୁ ବାଜେକାମରେ ? କେତେ ଥର କହିଲିଣି ତମେ ରୋଷେଇ ଘରକୁ ଆସି ଦେହ ମୁଣ୍ଡ ଅସନା କରିବନି ? ମୋ ପାଇଁ ନିଆଁ ଧାସରେ ସିଝି ଜଳଖିଆ କରିବା ଅପେକ୍ଷା ଯଦି ଲୁଗାପଟା ବଦଳି ବାହାର ଲନ୍‌ରେ ବସି ମତେ ଅପେକ୍ଷା କରିଥାନ୍ତ, ତେବେ ମୁଁ ଅଧିକା ତୃପ୍ତ ହୁଅନ୍ତି ।

 

ହାତ ଧରି ଟାଣି ନେଇଥିଲା ଘରକୁ ତାଙ୍କ ସଞ୍ଜୟ । ସେ ଜଳଖିଆ କରିବା ସେତିକିରେ ପଡ଼ି ରହିଲା । ଅପ୍ରତିଭ ହେଲା ନନ୍ଦିତା । କି ଆଗଅହ ନେଇ ସେ ଆସିଥିଲା ନିଜ ହାତରେ ସୁସ୍ୱାଦୁ ଖାଦ୍ୟ ପରିବେଷଣ କରି ସ୍ୱାମୀକୁ ତୃପ୍ତ କରିବ । କିନ୍ତୁ କଣ ହେଲା ଏ ? ସେ କଣ ଏ ସବୁ କରିବାକୁ ଏତେ ଅଯୋଗ୍ୟ ? ଖାଲି କଣ ଫୁଲ ପରି ସାଜି ହୋଇ ଶୋଭାବର୍ଦ୍ଧନ କରିବ ସେ ଉଦ୍ୟାନର ? ଆଉ ଥରେ ତାକୁ ଏମିତି ଅପ୍ରସ୍ତୁତ କରିଥିଲା ସଞ୍ଜୟ ସେମାନଙ୍କ ବିବାହର ଚତୁର୍ଥ ବାସରେ । ପାନ ଭାଙ୍ଗି ବସିଥିଲା ସେ । ପାଖରେ ନଣନ୍ଦ, ଝିଆରୀମାନଙ୍କ ସମାବେଶ । ଘରକୁ ପଶି ଆସିଥିଲା ସଂଜୟ । ଲାଜରେ ଓଢ଼ଣା ଟାଣି ଦେଇଥିଲା ନନ୍ଦିତା । ଗମ୍ଭୀର ହୋଇ ଉଠିଥିଲା ସଞ୍ଜୟ ।

 

‘‘ଏ ଲାଜ ତମ ମହିଳା କଲେଜର କେଉଁ ବର୍ଷରେ କେଉଁ ଅଧ୍ୟାପିକା ଶିଖାନ୍ତି ନନ୍ଦିତା ? କହିବ ତ ଚାଲିଯିବି ଏ ଘରୁ ଯଦି ମୋର ଉପସ୍ଥିତ ଏତେ ଅବାଞ୍ଛନୀୟ ।’’

 

ସଙ୍କୁଚିତା ହୋଇଥିଲା ସେ । ନୂତନ ଜୀବନର ନୂତନ ପଦକ୍ଷେପରେ ଏକି କଣ୍ଟକର ସ୍ପର୍ଶ ।

 

‘‘ସେ ହାତ କଣ ହେଲାଣି ?’’

 

ଭାବନାର ଗ୍ରନ୍ଥି ଛିଣ୍ଡିଗଲା ସଞ୍ଜୟ କଣ୍ଠର ଶାଣିତ ପଲକରେ । ‘‘ହାତଟା ସାରା ଚୂନ ଖଇର ସମାବେଶରେ କି ଅପୂର୍ବ ରାଗ ରଞ୍ଜିତ ହେଲାଣି ? ତୁ ପାନ ଭାଙ୍ଗୁନୁ ଲୁସି ? ନୂଆବୋହୁ ହାତରେ ସବୁ କାମ ବରାଦ କରି କଣ ପରିଦର୍ଶିକା ସାଜିଛୁ ?’’

 

ଭାଇଙ୍କର ଏ କଟୁକ୍ତିରେ ଆହତ ହେଲା ଲୁସି ।

 

‘‘ମୁଁ କଣ ମନାକରୁଛି ନୂଆବୋହୁ ତ ଦଉ ନାହାଁନ୍ତି ।’’ନନ୍ଦିତା ହାତରୁ ଜୋର କରି ଟାଣିନେଲା ଲୁସି ପାନ ସବୁ । ଆହତ ଅଭିମାନରେ ଫୁଲି ଫୁଲି ଉଠୁଥିଲା ନାସିକା ରନ୍ଧ୍ର ତାର । ପ୍ରମାଦ ଗଣିଲା ନନ୍ଦିତା । କଣ ହେଲା ଏ ? ଅକାରଣରେ ଏ ଅପ୍ରିତୀକର ପରିସ୍ଥିତି କାହିଁକି ସୃଷ୍ଟି କଲା ସଞ୍ଜୟ ? ଲୁସିକୁ ଚାହିଁ ଦୁଃଖିତା ହେଲା ସେ ।

 

‘‘ନାଁ ମ, ମୁଁ ଭାଙ୍ଗି ଦେଉଛ, ତମେ ସେ ସବୁ ଶୁଣନି, ବସ ।’’

 

‘‘ଥାଉ ଦରକାର ନାହିଁ, ମୁଁ କଣ ଭାଙ୍ଗି ପାରିବିନି ?’’ କହି ଜୋରରେ ଚୂନ ଲଗେଇବାକୁ ଆରମ୍ଭ କରିଥିଲା ଲୁସି । ମୃଦୁ ମୃଦୁ ହସୁଥିଲା ବସି ସଞ୍ଜୟ । ନିର୍ବୀକ ନନ୍ଦିତା ଭାଇ ଭଉଣୀଙ୍କ ଭାବ ଭଙ୍ଗି ଦେଖି ଚକିତ ହେଲା । ଏ ସବୁରେ ତାର ଅପରାଧଟା କେଉଁଠି ରହିଲା ବୁଝିପାରି ନ ଥିଲା ସେଦିନ । ଆଉ ଆଜି ?

 

ଖରାର ତେଜ ମଉଳିଲାଣି । ବୃକ୍ଷର ଶିଖରରେ ଏଇନେ ରୂପାଢଳା । ଆଉ ବୃକ୍ଷତଳ ଛାୟାରେ ସ୍ୱର୍ଣ୍ଣର ଆଖି ଝଲସା ଚମକ । କ୍ଷଣକେ ପଟ୍ଟ ପରିବର୍ତ୍ତିତ ହେବ । ଏଇ ସ୍ୱର୍ଣ୍ଣର ସମେରୋହ ଉଠିବ ବୃକ୍ଷର ଶିଖରକୁ । ବୃକ୍ଷର ପତ୍ରେ ପତ୍ରେ ଖେଳିବ ଏଇ ସୁବର୍ଣ୍ଣ ସମାରୋହ । ସେତେବେଳେ ତଳେ ଅନ୍ଧକାରର ଲୀନ ହେବ । ଗୋଟିଏ ବିରାଟ ତୁଳିର ଚାଳନାରେ ସମସ୍ତ ରଙ୍ଗ ଆଉ ଏକ ରଙ୍ଗର ବିଭବରେ ପୋଛି ହୋଇ ଏକାକାର ହୋଇଯିବ । ନିତ୍ୟ ନୂତନ ମହିମାରେ ଏଇ ଚିରନ୍ତନ ଖେଳ । ତେବେ ମଧ୍ୟ ମୁଗ୍‌ଧ ହୁଏ ମନୁଷ୍ୟ । ତେବେ ମଧ୍ୟ ପଟ୍ଟ ପରିବର୍ତ୍ତନର ଦୃଶ୍ୟରେ ବିଭୋବ ହୋଇଉଠେ । ଉଚ୍ଛ୍ୱସିତ ଉଲ୍ଲାସରେ ଆତ୍ମହରା ହେଲା ନନ୍ଦିତା । ସଞ୍ଜୟ ଆଜି ଏଇ ପାଖକୁ କୁଆଡ଼େ କାମରେ ଯାଇଛି । ଫେରିବା ଡେରି ହୋଇଗଲାଣି । ଅନେକ ବେଳ ହେଲାଣି ଅପେକ୍ଷା କରି ବସିଛି ନନ୍ଦିତା । କେତେବେଳେ ଆଉ ଫେରିବ ସେ ? ରୂପେଲି ଜ୍ୟୋତ୍ସ୍ନାରେ ଚାରିଆଡ଼ ଝଲମଲ ହୋଇଉଠିଲାଣି । ଆଜି ତିଥିଟା କଣ ? ତ୍ରୟୋଦଶୀ ହବ ବୋଧହୁଏ । ସେଇଥିପାଇଁ ଚାରିଆଡ଼େ ଜ୍ୟୋତ୍ସ୍ନାର ଏ ଅଫୁରନ୍ତ ପ୍ଲାବନ । ପବନରେ କେମିତି ଗୋଟାଏ ମିଠା ମିଠା ମହକ । ପ୍ରକୃତରେ ଏ ସୁଷମାକୁ ଆକଣ୍ଠ ପାନ କରିବାର ବାସନା ଜାଗୁଛି ମନରେ । ଆଃ ସଞ୍ଜୟ ଏତେବେଳେ ପାଖେ ପାଖେ ଥାଆନ୍ତା କି ? ସଞ୍ଜୟର ସାନିଧ୍ୟ ପାଇଁ ପ୍ରାଣରେ କେମିତି ଗୋଟାଏ ଉଦ୍ଦାମ ଆକୁଳତା ।

 

ଏତେ ଡେରି ତ ସେ କେବେ କରେନି ? କଣ ହେଲା ଆଜି ତାଙ୍କର ? କିଛି ଅସୁବିଧା ହେଲା କି ବାଟରେ ? ଅନାଗତ ବିପଦର ଆାଙ୍କାରେ ଶଙ୍କିତା ହେଲା ନନ୍ଦିତା । ଜୀବନରେ ପ୍ରଥମ ଥର ପାଇଁ ଜଣକୁ ଆପଣାର କରି ତାର ଆବର୍ତ୍ତମାନରେ ଘାରି ହେଉଥିଲା ସେ । ନାରୀ ଚିତ୍ତ ସବୁଦିନେ ଏମିତି ଦୁର୍ବଳା । ପ୍ରିୟଜନର ଅନୁପସ୍ଥିତିରେ ଅଶୁଭ ଆଶଙ୍କା କରି ଶଙ୍କିତା ହୋଇଉଠେ ସେ । ଉପରେ ଯେତେ ଦମ୍ଭ ଧରିବାର ଚେଷ୍ଟା କଲେ ମଧ୍ୟ ଅନ୍ତରରେ ସେ ଦୁର୍ବଳତାର ଶିକାର ହୋଇପଡ଼େ । ସେଇ ସୁଯୋଗରେ ସମସ୍ତ ପ୍ରକାର ଅଶୁଭ ଚିନ୍ତା ଜାଗ୍ରତ ହୁଏ ତା ମନରେ । କିଛି ଅନିଷ୍ଟ ଘଟିବାର ଆଶଙ୍କା ତା ମନକୁ ତା ହୃଦୟକୁ ଆଚ୍ଛନ୍ନ କରି ରଖେ । ଉପାୟହୀନତା ହୋଇ ସେ ଦେବତାର ଆଶ୍ରୟ ନିଏ । ନନ୍ଦିତାର ସେଇଆ ହେଲା । ସଞ୍ଜୟର ଅମଙ୍ଗଳ ଆଶଙ୍କାରେ ଅନ୍ତର୍ଦ୍ୱନ୍ଦର କ୍ରୀଡ଼ନକ ହୋଇପଡ଼ିଲା ସେ । ଅଜ୍ଞାତରେ ହାତ ଦୁଇଟି ତାର ସେଇ ମଙ୍ଗଳମୟଙ୍କ ଉଦ୍ଦେଶ୍ୟରେ ମଥା ସ୍ପର୍ଶ କଲା । ପଦଶବ୍ଦରେ ଚମକି ଚାହିଁଲା ସେ । ‘‘କିଏ, ନିଧି ?’’

 

‘‘ହଁ ମା ମୁଁ ।’’

 

‘‘କଣ କହୁଛୁ ?’’

 

‘‘ଆପଣ ଏଠି ଏକେଲା କେତେବେଳଯାଏ ବସିବେ ? ବାବୁ ତ କାହିଁ ଆସିଲେନି ଏ ପର୍ଯ୍ୟନ୍ତ ?’’

 

‘‘ମୁଁ ତ ସେଇଆ ଭାବୁଛି ? କଣ ହେଲା ଆଉ ?’’ ‘‘ନାଁ, ମୁଁ ଶୁଣୁଥିଲି ବାବୁଙ୍କର ବାରଝୁଣ୍ଟା ଆଡ଼େ ଯିବାର ଥିଲା । ଟିକିଏ ଦୂରିଆ ଆଉ ଅସଜ ରାସ୍ତା ବି ।’’

 

‘‘ମତେ କାହୁଁ ଏ ପର୍ଯ୍ୟନ୍ତ କହି ନଥିଲୁ ତ ? କଣ ହବ ତା ହାଲେ ଏଇନେ ?’’ କଣ୍ଠ ଥରିଉଠିଲା ନନ୍ଦିତାର ।

 

ଚାକର ହେଲେ ମଧ୍ୟ ନିଧି ମା’ଙ୍କର ଆତଙ୍କିତ ଅନ୍ତରରେ ପରିଚୟ କଣ୍ଠସ୍ୱରରୁ ପାଇ ପାରିଲା । ସାନ୍ତ୍ୱନା ଦେବାକୁ ଯାଇ ସେ କହିଲା, ‘‘କାହିଁକି ଭାବୁଛନ୍ତି ମା ? ସାଙ୍ଗରେ କେତେ ଲୋକ ଅଛନ୍ତି, ବନ୍ଧୁକ ମଧ୍ୟ ଅଛି । କିଛି ଅସୁବିଧା ହବନି । ତା ଛଡ଼ା ବାବୁ ତ ବରାବର ଏମିତି ଡେରି ରାତିରେ ଫେରନ୍ତି ।’’

 

ଉଦ୍‌ଗତ ଅଶ୍ରୁକୁ ଚାପି ରଖିଲା ନନ୍ଦିତା, ହେଇଥିବ ବା । ନିଧି ସଞ୍ଜୟର ପୁରୁଣା ଚାକର-। ତାର ବିବାହର ଯଥେଷ୍ଟ ପୂର୍ବରୁ ସଞ୍ଜୟର ଚାକିରିରୁ ପ୍ରାରମ୍ଭରୁ ତାପାଖେ ରହିଛି ସେ । ସେ ମଧ୍ୟ ଚିନ୍ତିତ ତା ମୁନିବର ଅହେତୁକ ବିଳମ୍ବ ଲାଗି । ବିବାହର ଛଅ ମାସ ପରେ ଆଜି ପ୍ରତମ କରି ନିଃସହାୟ ଲାଗିଲା ନନ୍ଦିତାକୁ । ସତରେ ସଞ୍ଜୟ ବ୍ୟତୀତ ତାର କିଏ ଅଛି ଏ ଦୂର ବିଦେଶରେ-? କାହାକୁ ଚାହିଁ ସେ ମନରେ ଦମ୍ଭ ଧରିବ ? ମନେ ପଡ଼ିଗଲା ତାର—ପ୍ରଥମ କରି ବାରିପଦା ଆସିଲାବେଳକୁ ଯାଜପୁର ରୋଡ ଷ୍ଟେସନକୁ ତାଙ୍କ ଘରର ସମସ୍ତେ ତାକୁ ଦେଖା କରିବାକୁ ଆସିଥିଲେ । ବୋଉ ଓ ଭାଇମାନେ ସମସ୍ତେ ସଞ୍ଜୟକୁ ଅନୁରୋଧ କରିଥିଲେ । ବୋଉ କହିଥିଲା, ‘‘ନନ୍ଦିତାକୁ ଛାଡ଼ି ଏଇନେ କେତେଦିନ ରାତିରେ ବାହାରେ ରହିବନି ବୋଲି । ଭାରି ଡରକୁଳୀଟାଏ ସେ ବାପା । ସାଙ୍ଗରେ ତମର ଆଉ କେହି ତ ଯାଉନାହାନ୍ତି । ଏଇନେ କେତେ ଦିନ ଏକେଲା ତାକୁ ରାତିରେ ଛାଡ଼ିଯିବ ନାହିଁ । ଦେହରେ ବିତିଗଲେ ଆସ୍ତେ ଆସ୍ତେ ଅଭ୍ୟାସ ପଡ଼ିଯିବ ଯେ ତାର-।’’

 

‘‘ଆପଣ କିଛି ଭାବନ୍ତୁ ନାହିଁ’’ କହି ହସିଥିଲା ସେଦିନ ସଞ୍ଜୟ । ସତରେ ସେ ତାକୁ ଏକାକିନୀ ଛାଡ଼ି ସଂଧ୍ୟାବେଳ ପର୍ଯ୍ୟନ୍ତ ରହି ନ ଥିଲା ଆଜିଯାଏ । ଆଜି କଣ ହେଲା ତାର ?

 

ମନର ଘୁଣଖିଆ ବିକଳ ସ୍ଥାନରେ ଦମ୍ଭ ଓ ଧୈର୍ଯ୍ୟର ପ୍ରଲେପ ଦବାକୁ ଚେଷ୍ଟା କରୁଥିଲା ନନ୍ଦିତା । ଏଇ ଆସୁଥିବ ବୋଧ ହୁଏ ସଞ୍ଜୟ । ତାର ସମସ୍ତ ଆଶଙ୍କାକୁ ଅମୂଳକ କରି ବର୍ତ୍ତମାନ ଆସି ପହଞ୍ଚିଯିବ ବୋଧହୁଏ । କିନ୍ତୁ ମନ ତ ମାନୁନାହିଁ । ନିଜ ମନତଳର ଦୁର୍ବଳତାକୁ ଲୁଚାଇବାକୁ ଯାଇ ନିଜେ ଅପ୍ରସ୍ତୁତ ହେଉଥିଲା ବସି । ଡ୍ରଇଂରୁମ୍‌ର କାନ୍ଥଘଡ଼ିଟା ବାଜିବାକୁ ଆରମ୍ଭ କଲା । ନିବିଷ୍ଟ ଚିତ୍ତରେ ଶୁଣିବାକୁ ଲାଗିଲା ନନ୍ଦିତା ।

 

ଏଁ ଏଗାରଟା ବାଜିଲାଣି ? ଏତେ ରାତି ହେଲାଣି ଏଥି ମଧ୍ୟରେ । ଗୋଧୂଳିର ଧୂସର ଆଲୋକରେ ବସିଥିଲା ଏଠି ଆସି ସେ । ଏଥି ମଧ୍ୟରେ ସଞ୍ଜୟକୁ ଅପେକ୍ଷା କରି ଦୀର୍ଘ ପାଞ୍ଚଘଣ୍ଟା ବିତିଯାଇଛି ତାର । ନିଜ ଭାବନାରେ ନିଜେ ମଗ୍ନ ରହି ସମୟର ଏ ଦୀର୍ଘତା ଭୁଲିଯାଇଛି । ଅଜଣା ଆଶଙ୍କାରେ ମନ ତାର ଶିହରୀ ଉଠିଲା । କାନ୍ଥଘଣ୍ଟାର ଆବାଜରେ ମନ ତଳର ସେ ଦୁର୍ବଳତାର ପ୍ରେତଟା ପୁଣି ଚେଇଁ ଉଠିଲା । ସଂଜୟର ଡେରି ହେବାର କାରଣ ରୂପେ ସମସ୍ତ ପ୍ରକାର ଅଶୁଭ ପରିଣତି ତାର ମନର ମୁକୁରରେ ଶୋଭାଯାତ୍ରା କରିବାକୁ ଆରମ୍ଭ କଲେ । ସେ ଆଉ ନିଜକୁ ଆୟତ୍ତରେ ରଖି ପାରିଲାନି । ଅନ୍ତରର ଅଦମ୍ୟ କୋହରେ ନିଜକୁ ଆଉ ସଂଯତ ରଖି ପାରିଲାନି ସେ । ଶୋଇଲା ଘରକୁ ଯାଇ ପଲଙ୍କ ଉପରେ ତାର ଦୁର୍ବଳ ତନୁଲତାକୁ ଲୋଟାଇ ଦେଲା । ଦୁଃଖରେ ଭୟରେ ଫୁଲି ଫୁଲି କାନ୍ଦି ଉଠିଲା ସେ । କେତେବେଳ ଯାଏ ସେ ସେମିତି ଅବସ୍ଥାରେ କାନ୍ଦିଛି ଆଜି ଆଉ ତାର ମନେ ନାହିଁ । କିନ୍ତୁ ସେମିତି ଅର୍ଦ୍ଧଚେତନ ଅବସ୍ଥାରେ ତାର ଅନେକ ବେଳ ବିତି ଯାଇଛି ।

 

କାହାର ସ୍ପର୍ଶରେ ତାର ସଂବିତ ଫେରି ଆସିଲା । ମୁହଁ ଟେକି ଚାହିଁଲା ବେଳକୁ ସଞ୍ଜୟ ତା ପାଖରେ ଠିଆ ହୋଇ ହସୁଥିଲା । ନନ୍ଦିତା ନୟନର କରୁଣ ଅଭିବ୍ୟକ୍ତି ଦେଖି ତାକୁ କୋଳକୁ ଆଉଜେଇ ନେଲା ସଞ୍ଜୟ ।

 

‘‘କଣ ହୋଇଛି ତୁମର ନନ୍ଦା ? ଆଖି ମୁହଁ ଏମିତି ଫୁଲିଛି ଯେ ।’’ ସଞ୍ଜୟର ଆଶ୍ୱାସନାରେ ଉପଶମିତ କୋହ ତାର ପୁଣି ଦୁର୍ବାର ହୋଇଉଠିଲା । ସଞ୍ଜୟର କୋଳ ଭିତରେ ନୟନର ଅଶ୍ରୁର ପ୍ରବାହରେ ନିଜକୁ ନିଃଶେଷ କରି ଦେଇଥିଲା ସେ ଦିନ ନନ୍ଦିତା । ସଞ୍ଜୟର ଅନେକ ସାନ୍ତ୍ୱନାରେ ସେଦିନ ସେ ସଂଯତ ହୋଇଥିଲା । ସେମିତି ତା କୋଳରେ ପଡ଼ି ରହି କହୁଥିଲା—

 

‘‘ମୋ ଦେହ ଛୁଇଁ କୁହ, ଆଉ କେବେ ନ କହି ଏତେ ଡେରି କରିବନି ।’’

 

ହସି ହସି ଦେହ ଛୁଇଁ ଶପଥ କରିଥିଲା ସେଦିନ ସଞ୍ଜୟ । ନନ୍ଦିତା ଠାରୁ ତାପାଇଁ ତାର ଆଶଙ୍କାର ପରିଚୟ ପାଇ ମନରେ ଟିକିଏ ଗର୍ବର ସଞ୍ଚାର ମଧ୍ୟ ହୋଇଥିଲା ତାର । ଆଜିଯାଏ ଦିନକ ପାଇଁ ଯାଇ ତିନିଦିନ ରହିଲେ ମଧ୍ୟ କେହି ତା ବିଷୟରେ ପ୍ରଶ୍ନ କରିବାକୁ ନ ଥିଲେ । କିନ୍ତୁ ଆଜି ତାର ଅନାଗତ ବିପଦ ପାଇଁ ଭାବି ଝୁରି ହେବାକୁ ଜଣେ ରହିଛି ।

 

‘‘ଏତେ ଦୁର୍ବଳ ମନ ନେଇ କେମିତି ସଂସାରର ଏ ବନ୍ଧୁର ପଥ ଅତିକ୍ରମ କରିବ ନନ୍ଦା-?’’

 

‘‘ତମେ ଯେ ମୋ ପାଖେ ପାଖେ ଥିବ, ମୋ ହାତ ଧରି ବାଟ କଢ଼େଇବାକୁ ।’’

 

ନନ୍ଦିତା ଏକ ଅସହାୟ କରୁଣ ଚାହାଁଣୀରେ ଚାହିଁ ରହିଲା ସଞ୍ଜୟ ଆଡ଼େ । ସେ ଚାହାଁଣୀ ନମ୍ର କରୁଣ ମିନତିଭରା । ମୁହଁରେ ତାର ଆକୁଳତାର ଭଉଁରୀ ।

 

X X X

 

ଦିନେ ଶେଷର ପିଙ୍ଗଳା ଖରା କ୍ରମେ ବିବର୍ଣ୍ଣ ହୋଇ ଆସୁଥିଲା । ରବି ବାସରୀୟ ଅଳସ ଅପରାହ୍ନ କ୍ରମେ ସରି ସରି ଆସୁଥିଲା । ସଞ୍ଜୟ ଆଜି ଫାଇଲ୍‌ ଛୁଇଁନି । ଛୁଟି ଦିନଟା ପୂର୍ଣ୍ଣ ଉପଭୋଗ କରିବା ପାଇଁ ଦୁହେଁ ଦୁହିଁଙ୍କ ଭିତରେ ନିଜକୁ ହଜାଇ ଦେଇଥିଲେ । ସମସ୍ତ ଦିନଟା ଆଜି ନିଭୃତ ଗୁଞ୍ଜନରେ ବିତିଛି । ଦୁଇ ଜଣଙ୍କର ସଂସାରରେ ତୃତୀୟର ଆବିର୍ଭାବ ସଂବାଦରେ ବିଭୋର ହୋଇପଡ଼ିଥିଲେ ସେ ଦୁହେଁ ।

 

‘କହିଲ ନନ୍ଦା, କଣଟିଏ ହବ ଆମର ? ପୁଅ ।’

 

‘ଉଁ ହୁଁ ଝିଅ । ଆଉ ସେ ଠିକ୍‌ ହବ ତୁମରି ପରି । ତାର ଚଳନ ଭଙ୍ଗିରେ ଠିକ୍‌ ତୁମରି ପଦପାତର ଛନ୍ଦ ଦେଖି ମୁଁ ଆତ୍ମହରା ହେବି ।’

 

‘ନାଁ ନାଁ ପୁଅଟିଏ ହବ, ଠିକ୍‌ ତୁମରି ସାହସ ତମରି ଦମ୍ଭ ନେଇ । ଆଉ ସେ ହେବ ଆମ ବାର୍ଦ୍ଧକ୍ୟର ଅବଲମ୍ବନ ।’

 

‘ତମେ ସ୍ୱାର୍ଥପର ହୋଇ ଉଠୁଛ ନନ୍ଦା । ଯୌବନର ପହିଲି ପରଶରେ ତମେ ବାର୍ଦ୍ଧକ୍ୟର ପରିକଳ୍ପନା କରୁଛ କାହିଁକି ? ବସନ୍ତର ପ୍ରଥମ ମଳୟ ସ୍ପର୍ଶରେ ତମ ମନରେ ପୌଷର ଶୀତଳତା କେମିତି ଆସୁଛି ? ଆଜିଠୁଁ ବାର୍ଦ୍ଧକ୍ୟର ଅବଲମ୍ବନ ପାଇଁ ତମେ ଏତେ ବିବ୍ରତ କାହିଁକି ?’

 

‘ହେଲା ବାବୁ ହେଲା । ମୁଁ ହାର ମାନିଲି । ତମର ଝିଅ ହେଉ ଆଉ ତମେ ତା ଭିତରେ ନନ୍ଦିତାର ସତ୍ତା ଅନୁଭବ କରି ପାଗଳ ହୁଅ । କିନ୍ତୁ ମୋର କଣ ଆଶଙ୍କା ହେଉଛି ଜାଣ ? ତମ ଆଖିରେ ନନ୍ଦିତାର ଏ ନିଶା କେତେ ଦିନ ରହିବ ? ଏତେ ପାଇ ତାକୁ ହରେଇବାର ଦୁଃଖ ମୁଁ କେଉଁଠି ଲୁଚେଇବି ?’

 

‘ଏତେ ଦିନର ସାନିଧ୍ୟ ପରେ ମୋ ବିଷୟରେ ତମେ ଏଇ କଳ୍ପନା କରି ପାରୁଛ ନନ୍ଦା ? ମୋର ସ୍ନେହ ମୋର ଆନ୍ତରିକତାର ଅଭାବ କେଉଁଠି ଲକ୍ଷ୍ୟ କଲ ତମେ ? ମୁଁ କଣ ଆଜିଯାଏ ତମକୁ ଏକାନ୍ତ ଭାବେ ଆପଣାର କରି ପାରିନି ?’

 

ଭାବପ୍ରବଣ ହୋଇ ଉଠିଲା ସଞ୍ଜୟ ।

 

‘ତମେ ଏ ସାମାନ୍ୟ କଥାକୁ ଏମିତି ଧରି ବସିବ ଜାଣିଥିଲେ ମୁଁ କହିନଥାନ୍ତି । ତମର ଆନ୍ତରିକତାକୁ ଅବିଶ୍ୱାସ କରି ମୁଁ କଣ ଏକଥା କହିଲି ? ମୁଁ କେବଳ ଭବିଷ୍ୟତ କଥା ଭାବୁଥିଲି ।’

 

‘ଅନାଗତ ଭବିଷ୍ୟତ ଆଶଙ୍କାରେ ଅଯଥା କାହିଁକି ଆତଙ୍କିତ ହବା ଆମେ ? ତମରି ପଣତ ତଳେ ମୁଁ ଆଜି ଅତୀତର ସମସ୍ତ ଦୁଃଖ ଗ୍ଲାନି ଭୁଲିଛି । ଏମିତି ଚିରଦିନ ତମରି ସେ ସ୍ୱପ୍ନିଳ ଆଖିପତାର ଅନ୍ତରାଳରେ ମୋର ସମସ୍ତ ଦୁଃଖ ଅବସାଦ ହଜିଯାଉ ।’

 

ସେ ଦିନର ସେ ଆତ୍ମସନ୍ତୋଷ ଆଜି ବି ରହି ରହି ବିକଳ କରେ ନନ୍ଦିତାର ମନକୁ, ଅନ୍ତରକୁ । ସେ ଦିନର ସେ ସ୍ନେହ, ପ୍ରେମ, ପରସ୍ପରକୁ ଏକାନ୍ତ ଭାବେ ନିଜସ୍ୱ କରିଥିବାର ସଂସାରର ସ୍ରୋତ ଆଜି କାହାର ପ୍ରତିବନ୍ଧକରେ ଦିଗ ହରେଇଛି ? ଆଜି କାହାର ଉତ୍ତାପ ପାଇ ସେ ଅନ୍ତଃସଲୀଳା ଫଲ୍‌ଗୁଧାରୀ ଶୁଷ୍କ ବାଲୁକାଶଯ୍ୟାରେ ପରିଣତ ହୋଇଛି ? ସେଠି ଆଜି ବିନ୍ଦୁଏ ଜଳର ମଧ୍ୟ ସନ୍ଧାନ ମିଳେନା । ଅନ୍ତର ଭାଙ୍ଗି ଭାଙ୍ଗି ପଡ଼ୁଥିଲା ନନ୍ଦିତାର ।

 

X X X

 

ବହୁତ ଦୂରରେ ପାହାଡ଼ରେ ନିଆଁ ଲାଗିଛି । ଲାଲ୍‌ ଆଲୁଅରେ ରୋଶନୀ ଜଳୁଛି । ଚାହୁଁ ଚାହୁଁ ମାଡ଼ି ଚାଲିଛି ସେ ହୁତାଶନ । ନିଜ ସହିତ ଏ ଦାବାନଳର କେଉଁଠି ଗୋଟାଏ ସାମଞ୍ଜସ୍ୟ ଥିଲାପରି ମନେହୁଏ ନନ୍ଦିତାର । ତା ଅନ୍ତରରେ ମଧ୍ୟ ଏମିତି ଗୋଟାଏ ଦାବଦହନ ଅନୁଭବ କରୁଛି ସେ । ସେ ତରଳ ଅଗ୍ନିର ସ୍ରୋତ ତାର ପ୍ରତିଟି ଧମନୀରେ ଅନୁଭୂତ ହେଉଛି । କିନ୍ତୁ ଠିକ୍‌ କେଉଁଠୁ ସେ ଦହନର ପ୍ରାରମ୍ଭ ? କେଉଁ ଇନ୍ଧନ ପାଇ ସେ ନିର୍ବାପିତ ନହୋଇ ଲେଲୀହାନ ଶିଖା ବିସ୍ତାର କରୁଛି ? ଏମିତି କଣ ସେ ଜାଳିଦେବ ତାର ମନକୁ, ପ୍ରାଣକୁ—ଅବଶେଷରେ ଏହି ଜୀର୍ଣ୍ଣ ଶରୀରଟାକୁ ମଧ୍ୟ ? ନନ୍ଦିତାର ଚେତନା ବଡ଼ ଅବ୍ୟବସ୍ଥିତ ହୋଇ ଯାଉଥିଲା ।

 

ଆଜି ବି ସେ ଦିନର ସେଇ ମଧୁବୋଳା ଅନୁଭୂତିର ସ୍ମୃତି ତା ମନ ମୁକୁରରେ ସ୍ପଷ୍ଟ ପ୍ରତିଫଳିତ ହୁଏ । ସେଥର ଭାଇଙ୍କ ସାଥିରେ ସେ ଚାରିଦିନ ପାଇଁ ଯାଜପୁର ଚାଲି ଯାଇଥିଲା । ସଞ୍ଜୟର ଅନୁମତି ଦବା ମୂଳରେ କୌଣସି ଆନ୍ତରିକତା ନ ଥିଲେ ମଧ୍ୟ ଭାଇଙ୍କର ଅନୁରୋଧ ଓ ନନ୍ଦିତାର ଆଗ୍ରହ ନିକଟରେ ତାର ନିଜ ଇଚ୍ଛାଟା ପ୍ରଚ୍ଛନ୍ନ ରହି ଯାଇଥିଲା । ନନ୍ଦିତା ଆଗ୍ରହରେ ବାପଘରକୁ ଚାଲି ଯାଇଥିଲା । ଚାରିଦିନ ପାଇଁ ଯାଇ ଛଅଦିନ ରହିଯାଇଥିଲା ସେ । ଫେରିଲା ଦିନ ବସ୍‌ଷ୍ଟାଣ୍ଡରେ କାହାକୁ ନ ଦେଖି ଚିନ୍ତିତ ହୋଇଥିଲେ ନନ୍ଦିତା ଓ ତା ଭାଇ । ରିକ୍‌ସା କରି ଏକା ଘରକୁ ଆସିଥିଲେ ସେଦିନ । ଘରେ ମଧ୍ୟ ସଞ୍ଜୟର ଅନୁପସ୍ଥିତି ମନକୁ ବଡ଼ ଲାଗିଥିଲା । ନନ୍ଦିତାର ଭାଇ ଅଛନ୍ତି ସଞ୍ଜୟର ଅନୁପସ୍ଥିତିରେ କଣ ମନେକରିଥିବେ ସେ । କାହାକୁ କିଛି ନ କହି ଜିନିଷପତ୍ର ସଜେଇବାରେ ମନ ଦେଇଥିଲା । ହଠାତ୍‌ ସଞ୍ଜୟ ଆସି ଦୃଢ଼ ଆଲିଙ୍ଗନରେ ଆବଦ୍ଧ କରିଥିଲା ତାକୁ । ସଞ୍ଜୟର ବଳିଷ୍ଠ ବାହୁର ମାଂସପେଶୀରେ ଅଣନିଃଶ୍ୱାସୀ ହୋଇଯାଇଥିଲା ସେଦିନ ନନ୍ଦିତା।

 

‘ଆରେ ଛାଡ଼ନା, ଭାଇ ସେ ଘରେ ଅଛନ୍ତି ପରା ?’ ‘ଥାଆନ୍ତୁ’ ।

 

‘ମୋ ନିଃଶ୍ୱାସ ବନ୍ଦ ହୋଇଗଲା ଯେ ?’

 

ନନ୍ଦିତା ମୁହଁଟାକୁ ନିଜ ପାଖକୁ ନେଇଆସି କହି ଉଠିଲା ସଞ୍ଜୟ । ‘କହ, ମତେ ଛାଡ଼ି ଏତେଦିନ ଆଉ କୁଆଡ଼େ ଯିବନି । ତମକୁ ନ ପାଇଲେ ମରିଯିବି ରାଣି !’

 

ସଞ୍ଜୟର ଆଖି ଛଳ ଛଳ ହୋଇ ଉଠିଥିଲା ସେଦିନ । ନିଧିକୁ ପଚାରି ବୁଝିଥିଲା ପରେ, ସଞ୍ଜୟ ସେ ଛଅଦିନ ଘରେ ଭଲ କି ଖାଇ ନ ଥିଲା କି ରହି ନ ଥିଲା । ସେ ଦିନର ସେ ହଜିଯାଇଥିବା ସ୍ମୃତି ସାଥିରେ ଆଜିର ଏ ଜୀବନର କୌଣସି ସାମଞ୍ଜସ୍ୟ ଖୋଜିଲେ ମିଳେନା । କିନ୍ତୁ ମନର ନିଭୃତ କୋଣରେ ହଜି ଯାଇଥିବା ମଧୁର ଗନ୍ଧ କେତେବେଳେ କେତେବେଳେ ଫେରି ଆସି ମନକୁ ଆଉ ପ୍ରାଣକୁ ମଧୁମୟ କରେ । ପ୍ରାଣ ପୁଲକି ଉଠେ ।

 

ଅନ୍ତଃସତ୍ତ୍ୱା ନନ୍ଦିତାର ଘରକୁ ଯିବା ଦିନ ଯେତିକି ପାଖେଇ ଆସୁଥାଏ; ମନ ଭିତରେ ସେତିକି ଭାଙ୍ଗିପଡ଼ୁଥାଏ ସଞ୍ଜୟ । ତାର ସମସ୍ତ ଆନ୍ତରିକ ଅନିଚ୍ଛା ସତ୍ତ୍ୱେ ଘରେ କେହି ସ୍ତ୍ରୀ ଲୋକ ନ ଥିବାରୁ ବାଧ୍ୟ ହେଉଥାଏ ଶଶୁର ଘରକୁ ପଠେଇ ଦବାକୁ । ଦିନକୁ ଦିନ କେମିତି ଅନ୍ୟମନସ୍କ ହୋଇ ଯାଉଥାଏ ସେ । ପ୍ରତି ମୂହୂର୍ତ୍ତରେ, ପ୍ରତି କଥାରେ, ପ୍ରତି ଚାହାଣୀରେ ସଞ୍ଜୟର ଉଦାସଭାବ ପରିସ୍ଫୁଟ ହୋଇ ଉଠୁଥାଏ । ସଞ୍ଜୟର ହୃଦୟତତ୍ତ୍ୱ ନନ୍ଦିତାର ଚକ୍ଷୁରେ ସ୍ପଷ୍ଟ ପ୍ରତିଭାତ ହେଉଥିଲା । ସେ ହାସ୍ୟୋଜ୍ଜ୍ୱଳ ମୁହଁଟିର ଏ ବିଶାଦବୋଳା ଅଭିବ୍ୟକ୍ତି ଦେଖିଲେ ନନ୍ଦିତାର ଅନ୍ତରରେ ତପ୍ତ ଲୌହ ସ୍ରୋତ ପ୍ରବାହିତ ହେଲାପରି ଲାଗେ । ସେ ଆଉ ସ୍ଥିର ହୋଇ ନ ପାରି ସେଦିନ କହିଥିଲା ସଞ୍ଜୟକୁ—

 

‘ମୁଁ ଆମ ଘରକୁ ଯିବିନି । ତମେ ମୋ ଯିବା ବନ୍ଦ କରିଦିଅ ।’

 

‘କଣ ହେଲା ପୁଣି ?’

 

‘କିଛି ନୁହେଁ ଯେ ତମର ଏ ଶୁଖିଲା ମୁହଁ, ଉଦାସ ଆଖି ଦେଖି ମୁଁ ସ୍ୱର୍ଗରେ ମଧ୍ୟ ସୁଖରେ ରହି ପାରିବିନି ।’ ଆଖିରୁ ଲୁହ ଝରିଥିଲା ନନ୍ଦିତାର ।

 

ସଞ୍ଜୟ ମଧ୍ୟ ସ୍ଥିର ହୋଇ ରହି ପାରିନଥିଲା । ଦୁହିଁଙ୍କ ବାହୁବନ୍ଧନରେ ଦୁହେଁ ଆଖିରୁ ଲୁହ ଝରେଇ ଅଜସ୍ର କାନ୍ଦିଥିଲେ ସେଦିନ । କେତେବେଳଯାଏ ସେଦିନ ସେମିତି ଅବସ୍ଥାରେ କଟିଥିଲା ଆଜି ଆଉ ଠିକ୍‌ ମନେ ପଡ଼ୁନି ।

 

‘ଘରେ ଯଦି କେହି ମୁରବି ସ୍ତ୍ରୀଲୋକ ଥାନ୍ତେ ତମକୁ ମୁଁ ଆଉ ଏତେଦିନ ପାଖରୁ ଛାଡ଼ି ରହନ୍ତି ? ପରିସ୍ଥିତି ଆମକୁ ବାଧ୍ୟ କରୁଛି ନନ୍ଦା । ତମେ ଆଉ ଅବୁଝା ହୁଅନି ।’

 

‘ମୁଁ ତ କହୁଛି, କେହି ନଥନ୍ତୁ ମତେ ଡାକ୍ତରଖାନାରେ ଭର୍ତ୍ତି କରିଦେବ । ତମେ ପାଖରେ ଅଛ—ତାଠାରୁ ବଡ଼ ସାନ୍ତ୍ୱନା ମୋର ଏ ଦୁର୍ଦ୍ଦିନରେ ଆଉ କଣ ? ସବୁବେଳେ ମନ ମୋର ବିକଳ ହେବ, ତମଠୁଁ ଦୁରରେ ରହି ।’

 

‘ନାଁ, ତମେ ଆଦୌ ମନ ଖରାପ କରିବନି । ମୁଁ ବରାବର ଯିବାକୁ ଚେଷ୍ଟା କରିବି । ତମର ମାନସିକ ଅବସ୍ଥାରେ ପ୍ରଭାବ ଆମର ସେ ଅନାଗତ ଶିଶୁ ଉପରେ ପଡ଼ିବ । ତାରି ମଙ୍ଗଳ ଦୃଷ୍ଟେ ଆମକୁ ସବୁ ସହି ମନକୁ ପୁଲକିତ କରିବାକୁ ପଡ଼ିବ ।’

 

ନନ୍ଦିତା ଆଖିରୁ ଲୁହ ପୋଛିଦେଇ ସେଦିନ ହସିବାକୁ ଚେଷ୍ଟା କରିଥିଲା ସଞ୍ଜୟ । ସେ ହସ ପାହାନ୍ତି ପହରର ଗତାୟୁ ଚନ୍ଦ୍ରର ଆଲୋକ ପରି ମ୍ଲାନ । ସବୁ ବୁଝୁଥିଲେ ମଧ୍ୟ ପରିସ୍ଥିତିର ଚାପରେ ନନ୍ଦିତା ତାର ଅନ୍ତରର ଆଲୋଡ଼ନକୁ ଦମନ କରିଥିଲା । ଶେଷରେ ସେ ଭଗ୍ନ ହୃଦୟ ଓ ବିକଳ ମନ ନେଇ ସଞ୍ଜୟକୁ ଛାଡ଼ି ଯାଜପୁର ଯାଇଥିଲା ।

 

ସେଥର ଯାଜପୁର ଯାଇଥିଲା ସଞ୍ଜୟ ଦୁଇଦିନ ପାଇଁ ଛୁଟିରେ । ଭରାଦେହ ଓ ଭାରାଗ୍ରସ୍ତ ମନନେଇ ଅଭିନନ୍ଦନ କରିଥିଲା ନନ୍ଦିତା ତାକୁ । ଦିନ ଅବସାନ ପରେ ଯେତେବେଳେ ଦୁଇଟି ମନ, ଦୁଇଟି ହୃଦୟ ଓ ଦୁଇଟି ଦେହ ଏକତ୍ରିତ ହୋଇଥିଲେ, ସେତେବେଳେ ନିବିଡ଼ ଆଶ୍ଲେଷରେ ତାର ପ୍ରତିଟି ଅଙ୍ଗକୁ ସଞ୍ଜୟ କଣ୍ଟକିତ କରି ଦେଇଥିଲା । ସଞ୍ଜୟ ଆଖିରେ ସେଦିନ ସେ ଆଗ୍ରହର ଆଲୋକ ଦେଖି ନନ୍ଦିତା କୌଣସି ପ୍ରତିବାଦର ସୂର ତୋଳି ପାରି ନଥିଲା । ନନ୍ଦିତାର ନିବିଡ଼ ସାନିଧ୍ୟରେ ଯେତେବେଳେ ସଞ୍ଜୟ ଆତ୍ମବିସ୍ମୃତି ହୋଇ ପଡ଼ିଥିଲା ସେତେବେଳେ ନନ୍ଦିତା ମୂହଁ ଖୋଲିଲା ।

 

‘ମୁଁ ଆଉ ଏ ଯାତ୍ରାରୁ ରକ୍ଷା ପାଇଲା ପରି ଲାଗୁନି ।’ ଚମକି ଉଠିଥିଲା ସଞ୍ଜୟ—‘ତା ମାନେ ?’

 

‘ମତେ ବଡ଼ ଆଶ୍ୱସ୍ତି ଲାଗୁଛି ସବୁବେଳେ । ଖୁବ୍‌ ଭୟ ଲାଗୁଛି ।’

 

‘କାହିଁକି ଅଯଥା ଏ ଭୟ, କାହିଁକି ଏ କାତରତା ତମର ନନ୍ଦା ?’

 

‘ମୋ ମନର ଆକୁଳତା ତମେ ବୁଝିବନି । ଅନାଗତ ଆଶଙ୍କାରେ ମୁଁ ସଦାସର୍ବଦା ଆତଙ୍କିତ ହେଉଛି ।’

 

‘କିନ୍ତୁ କାହିଁକି ? ଡାକ୍ତର ତ କହୁଛନ୍ତି ତମର ସବୁ ଠିକ୍‌ ଅଛି । ଅଯଥା କାହିଁକି ଏତେ ଭାବୁଛ ? କେତେ ତ ଏଇ ଅବସ୍ଥାକୁ ଆସୁଛନ୍ତି ପୁଣି ନିର୍ବିଘ୍ନରେ ଉଦ୍ଧାର ପାଇ ସଂସାର କରୁଛନ୍ତି । ତମର କାହିଁକି ଏ ଅହେତୁକ କାତୁରତା ?’

 

‘କେଜାଣି ? ମତେ ତ କାହିଁକି ସେମିତି ଲାଗୁଛି । ତା ଛଡ଼ା ମୁଁ ଯଦିବା ଚାଳିଯାଏ, ସେଥିରେ କାହାର କେତେ ବା କ୍ଷତି ହେବ ? ତମର ବୟସ ଅଛି, ପଦବୀ ଅଛି, ତମକୁ ମୋଠାରୁ ଅଧିକ ରୂପବତୀ ଓ ଗୁଣବତୀ ଝିଅ ମିଳିବେ ।’

 

ସଞ୍ଜୟର ଭାରି ନିଃଶ୍ୱାସ ପାତ ଶବ୍ଦରେ ନନ୍ଦିତାର ପ୍ରଗଳ୍‌ଭତା ଆପେ ଆପେ ବନ୍ଦ ହୋଇଗଲା । ସେ କହିଲା, ‘ରାଗିଲ କି ?’

 

ସଞ୍ଜୟ ଚକ୍ଷୁର ନୀରବ ଅଶ୍ରୁ ତା ପ୍ରଶ୍ନର ଉତ୍ତର ଦେଲା ।

 

ନନ୍ଦିତା ଆଶ୍ଚର୍ଯ୍ୟ ହେଲା । ଏଇ ସାମାନ୍ୟ ଖିଆଲି କଥାରେ ସଞ୍ଜୟର ଏତେ ଦୁଃଖ, ଏତେ ଭାବପ୍ରବଣତା ? ସେ ଅପରାଧିନୀ ମନେ କଲା ନିଜକୁ ।

 

‘ଏଇ ସାମାନ୍ୟ କଥାରେ ଏତେ ଦୁଃଖ କଲ ?’

 

‘ସାମାନ୍ୟ ? ତୁମ ପାଇଁ ସାମାନ୍ୟ ହୋଇପାରେ । କିନ୍ତୁ ମୋ ପାଇଁ ଯେ ସେ କଣ, ତା ଏତେ ଦିନର ବୁଝାମଣା ପରେ ମଧ୍ୟ ଉପଲବ୍‌ଧି କରି ପାରିଳନି ? କେମିତି ଏତେ ବଡ଼ କଥା କହି ପାରିଲ ତମେ ? ସୁଖର ପ୍ରାଚୁର୍ଯ୍ୟ ମଧ୍ୟରେ ବଢ଼ି ତମର ହୁଏତ ସେ ଦୁଃଖର ଅନୁଭୂତି ନାହିଁ ! କିନ୍ତୁ ନିଜର ଅଙ୍ଗେ ଲିଭେଇଲା ଦୁଃଖକୁ ମୁଁ କେମିତି ଭୁଲିବି ନନ୍ଦା ? ପିଲାବେଳୁ ଆମେ ମାତୃହୀନ । ଘର ସଂସାର ଆମର କେଉଁକାଳୁ ବିପର୍ଯ୍ୟସ୍ତ । ଶୃଙ୍ଖଳିତ ଏବଂ ସ୍ନେହର ପ୍ରାଚୂର୍ଯ୍ୟରେ ପ୍ରାଣବନ୍ତ ସଂସାରର ଚିତ୍ର ଆମ ମାନସ ପଟରୁ କେଉଁକାଳୁ ଲିଭିଯାଇଥିଲା । ତୁମରି ପ୍ରଥମ ପଦପାତରେ ସେ ଶୁଷ୍କ ବୃକ୍ଷ ପଲ୍ଲବି ଉଠିଥିଲା । କିନ୍ତୁ ଆଜି ଅଦିନରେ ସେ ସବୁ ମଉଳେଇ ଦେଇ କି ସୁଖ ପାଇବ ତୁମେ ? ଏ ସଂସାରର ଗୁରୁଦାୟିତ୍ୱର ଆଶଙ୍କାରେ ତୁମେ ହୁଏତ ଶିହରି ଉଠୁଥିବ । ଅନ୍ତର ତୁମର ଏ ପରିବାର ପ୍ରତି ବିତଶ୍ରଦ୍ଧ ହୋଇ ଉଠୁଥିବ ହୁଏତ । କିନ୍ତୁ ପାରିବ ଆମ ଏତେ ଲୋକଙ୍କ ଆଶା ବୃକ୍ଷକୁ ମୂଳୋତ୍ପଟନ କରି ? ପ୍ରାଣତନ୍ନି ତୁମର ଥରି ଉଠିବନି ? ମୋ ଆଖିକୁ ଚାହିଁ ଦେଖିଲ । ଏ ଆଖିର ତାରକାରେ କିଛି ଅବିଶ୍ୱାସ କିଛି ପ୍ରତାରଣାର ଚିହ୍ନ ଦେଖି ପାରୁଛ ?‘

 

ନନ୍ଦିତା ବ୍ୟଥିତ ହୋଇଥିଲା ସେଦିନ । ଅକାରଣରେ ସଞ୍ଜୟ ମନରେ ଏ ଗଭୀର ଦୁଃଖର ଦାଗ ଆଙ୍କିଥିବାରୁ ଅନୁଶୋଚନାର ଗ୍ଲାନିରେ ଭରି ଉଠିଥିଲା ତାର ଅନ୍ତର । ନିଜକୁ ଅପରାଧୀ ମନେକରିଥିଲା ସେଦିନ । କିନ୍ତୁ ଆଜି ତାର ଏ ଦୁର୍ଦ୍ଦିନ ପାଇଁ କାହକୁ ଅପରାଧୀ କରିବ ସେ ? ସଞ୍ଜୟ ଆଖିରୁ ସେ ମାଦକତା ଅପସରିଛି । ମନରୁ ସେ ଆବେଗତା ଲିଭିଛି । ସେ ଜୀବନ ସ୍ମୃତିରେ ରହିଲାଣି, ଭବିଷ୍ୟତର ଏତେ ବଡ଼ ଅସରନ୍ତି ପଥ ଲାଗି ସେଇ ସ୍ମୃତି ମାତ୍ର ପାଥେୟ ତାର-। ସବୁ ସରିଛି ଅନେକ ଦିନୁ ।

 

ନନ୍ଦିତା ବାହାରକୁ ଚାହିଁଲା ସକାଳ ହୋଇଯାଇଛି । ଶରତର ନିର୍ମୋଘ ପରିଷ୍କାର ଖରା ବିଞ୍ଚି ହୋଇ ପଡ଼ିଛି । କମଳା ରଂଗର ଖରା । କୃଷ୍ଣଚୂଡ଼ା ଗଛ ଶାଖାରେ ବସିଥିବା ସାନ ସାନ ଚଢ଼େଇଙ୍କ ପରରେ ଖରା ଲାଗି ଚିକ୍‌ ଚିକ୍‌ କରୁଛି । ମା ପକ୍ଷୀଟି ତାର ସନ୍ତାନର ଚଞ୍ଚୁରେ ପ୍ରଭାତର ପ୍ରଥମ ଆହାର ଯୋଗେଇ ଦଉଛି । କି ମମତା ବିହୁଳ ଦୃଷ୍ଟି ! ସୃଷ୍ଟ ବସ୍ତୁ ପାଇଁ ସ୍ରଷ୍ଟାର କି ଆକୁଳତା ? ନନ୍ଦିତାର ବିହୁଳତା କଟିଛି । ନିଦ୍ରାର ବିହୁଳତା ଯାତନାର ବିହୁଳତା । ମନରେ କେମିତି ହାଲ୍‌କା ଆନନ୍ଦର ତରଙ୍ଗ ଉଠୁଛି । ଆଜିର ଏ ପ୍ରଭାତ ତା ଜୀବନରେ ନୂତନ ଅଧ୍ୟାୟର ସୃଷ୍ଟି କରିଛି । ତାର ପରିଚୟ ଏକ ନୂତନ ରୂପରେ ପ୍ରକାଶ ଲଭିଛି । ସେ ଆଜି କେବଳ କନ୍ୟା ନୁହେଁ, ଭଗିନୀ ନୁହେଁ, ଜାୟା ନୁହେଁ, ଜନନୀ । ହଁ, ହଁ, ସନ୍ତାନର ଜନନୀ । ସେଇ ତାର ସବୁଠୁ ବଡ଼ ପରିଚୟ । ତା ନାରୀତ୍ୱର ଚରମ ସାର୍ଥକତା । ଗୋଟିଏ ରାତ୍ରିର ବ୍ୟବଧାନରେ ତାର ପରିଚୟ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇଯାଇଛି । ତା ଦେହରେ ମନରେ ସେ ଏଇ ପରିବର୍ତ୍ତନର ପରିପ୍ରକାଶ ଲକ୍ଷ୍ୟ କରି ପାରୁଛି । ମୁହଁରେ ତାର ଅଜ୍ଞାତରେ ହସ ମଣ୍ଡି ହୋଇଗଲା । ନନ୍ଦିତା କର ଲେଉଟାଇବାକୁ ଚେଷ୍ଟାକଲା । ଆଃ ! କି କଷ୍ଟ ? ଅଣ୍ଟାଠାରୁ ଗୋଡ଼ ପର୍ଯ୍ୟନ୍ତ ଯେମିତି ଭାରୀ ପଥର ତଳେ ରହିଯାଇଛି । ଶରୀରର ପ୍ରତି ଛତ୍ରେ ଛତ୍ରେ ବେଦନାର ବହିଃ ପ୍ରକାଶ । ବେଦନା ବିଧ୍ୱନିତ କରୁଣ ଚିତ୍କାର ତା କଣ୍ଠ ଫଟେଇ ବାହାରି ଆସିଲା । କିନ୍ତୁ ଅବୟତର ଯାତନାକୁ ଭ୍ରୃକ୍ଷେପ ନ କରି ସ୍ରଷ୍ଟା ଚାହୁଁଛି ସୃଷ୍ଟିର ଦର୍ଶନ । କର ଲେଉଟାଇଲା ନନ୍ଦିତା ଅନେକ କଷ୍ଟରେ ସାହାଯ୍ୟ—କାରିଣୀର ସାହାଯ୍ୟରେ ।

 

ଆଃ, କି ସୁନ୍ଦର କଅଁଳିଆ ଛୋଟମୁହଁଟି–ଆଙ୍କିଦେଲା ପରି । ଗୋଲାପୀ ଓଠ ଦୁଇଟି ରହି ରହି ଥରି ଉଠୁଛି, ପୁଣି ହସ ମଣ୍ଡିହୋଇ ଯାଉଛି ସେଥିରେ । ନନ୍ଦିତାର ସାରା ଶରୀରରେ ଏକ ଅପୂର୍ବ ଅବ୍ୟକ୍ତି ଶିହରଣ ଖେଳିଗଲା । ଏଇ ତାର କନ୍ୟା । ତାରି ରକ୍ତରୁ ସମ୍ଭୁତା ଏକାନ୍ତ ଭାବେ ତାର ଆପଣାର । କାଲିର ସେ ଯନ୍ତ୍ରଣା ଆଉ ନୟନର ଅଶ୍ରୁର ଝରଣା ଆଜି ହସର ଝରଣାରେ ରୂପାନ୍ତରିତ ହୋଇଛି । ଆଃ ଏତିକି ବେଳେ ସଞ୍ଜୟ ଥାଆନ୍ତା କି ? କି ଖୁସି ହୁଅନ୍ତା ତାରି ରକ୍ତର କଣିକା ଏ ଛୋଟ ଶିଶୁଟିକୁ ଦେଖି । ଶେଷରେ ସଞ୍ଜୟର ଜିତ୍‌ ହେଲା । ସେ ହାରିଗଲା । ତାଙ୍କର ଝିଅ ହେଲା । କିନ୍ତୁ ସେ ଯଦି ନନ୍ଦିତାର ଆକୃତି ନଆଣି ସଞ୍ଜୟ ମୁହଁର ଗଠନ ଆଣେ ତେବେ ତେବେ ସେ ବେଶୀ ଆନନ୍ଦିତା ହେବ । ବିହୁଳ ଦୃଷ୍ଟିରେ ସେ ଚାହିଁ ରହିଲା ତାର ଛୋଟ ସଂସ୍କରଣଟି ଆଡ଼େ । ନାଁ କିଛି ଜଣା ପଡ଼ୁନି ବର୍ତ୍ତମାନ । କାହାର ଆକୃତି ସେ ଆଣିବ କେଜାଣି ? ଯେମିତି ହେଉ, ସେ ପରମାୟୁ ନେଇ ବଞ୍ଚିରହୁ । ଗଲାପଥରେ ତାର କଣ୍ଟକର ଆବିର୍ଭାବ ନହେଉ-। ସେତିକି ଦେଖିଲେ ତାର ପ୍ରାଣ ଶାନ୍ତି ପାଇବ ।

 

ଝିଅର ଏକୋଇଶା ଆଗଦିନ ଆସିଥିଲା ସଞ୍ଜୟ । ନନ୍ଦିତାର ଏଥି ମଧ୍ୟରେ ରୀତିମତ ଅଭିମାନ ହୋଇଥିଲା ମନରେ । ତାର ସାଙ୍ଗ ସାଥିମାନେ ପଚାରିଥିଲେ—

 

‘ଝିଅ ଜନ୍ମ କଲୁ ବୋଲି ସଞ୍ଜୟ ତୋ ଉପରେ ରାଗିଛି କି ? କେମିତି ଏତେଦିନ ଖବର ପାଇ ରହିଲା ମଁ ?’

 

ନନ୍ଦିତା ମନକୁ ଭାରି ଲାଗିଥିଲା କଥା ପଦିକ । ସତେ ଏତେ କଣ କାମ ପଡ଼ିଲା ଯେ ନଆସି ଖାଲି ଟଙ୍କା ପଠେଇ ଦେଇ ରହିଗଲେ ?

 

ଆଜି ସଞ୍ଜୟକୁ ଦେଖି ସେଇ ଭୁଲି ଯାଇଥିବା କଥାର ସ୍ମରଣ ହେଲା ତାର । ମୁହଁରେ ଜୋର କରି ହସ ଟାଣି କହିଲା—

 

‘କେମିତି ଆସିଲ ପୁଣି ? ଝିଅ ଜନ୍ମ କଲି ବୋଲି ତ ଆମ ମା, ଝିଅଙ୍କୁ ପର କରି ଦେଇଥିଲ । କେମିତି ଭୁଲିଲ ସେ ଦୁଃଖ ।’

 

‘ଦୁଃଖ ? କଣ ତମେ ସବୁ କହୁଛ ନନ୍ଦା ? ଝିଅ ହେଲା ବୋଲି ମୁଁ ତମକୁ ପର କରି ଆସୁ ନଥିଲି ? ଏ କଥାର ଭାବନା ପର୍ଯ୍ୟନ୍ତ ତମ ମନକୁ କେମିତି ଆସିଲା ? ଏ କେତେ ଦିନ ହେଲାଣି କାମର ଚାପରେ କି ଅସ୍ଥିରତା ମଧ୍ୟରେ ମୋର ଦିନ ବିତିଛି ତମେ କଣ ବୁଝିବ ? ଚିଫ୍‌ କନ୍‌ଜରଭେଟରଙ୍କ ଇନ୍‌ସପେକ୍‌ସନରେ ଏତେ ବ୍ୟସ୍ତ ଥିଲି ଯେ ତମ ପାଖକୁ ଛୁଟି ଆସିବାର ମୁଁ କୌଣସି ରାହା କରିପାରିଲିନି । ତମେ କଣ ବୁଝିବ, କି ମର୍ମଦାହ ଭିତରେ ମୋ ସମୟ କଟୁଥିଲା-?’

 

ନିଜ ପ୍ରଶ୍ନ ଲାଗି ଲଜ୍ଜିତା ହେଲା ନନ୍ଦିତା । କାହିଁକି ସେ ସଞ୍ଜୟର ଏତେ ଆନ୍ତରିକତା ଉପରେ ଆଘାତ କଲା ? ତାର ସେ ଆଗ୍ରହୋଜ୍ଜ୍ୱଳ ଚାହାଁଣୀରେ ବିଷଣ୍ଣତା ଭରିଦେଲା । ନିଜ କୃତ୍‌ ପ୍ରଗଳ୍‌ଭତାର ପ୍ରାୟଶ୍ଚିତ କରିବାପାଇଁ ସେ ଚେଷ୍ଟା କଲା ସଞ୍ଜୟର ମନ ଭୁଲେଇବାକୁ ।

 

‘ଶେଷରେ ତମେ ଜିତିଲ । ମୁଁ ହାରିଗଲି ।’

 

‘ଅର୍ଥାତ୍‌ ?’

 

‘ତମରି ଚାହିଦା ଅନୁସାରେ ଝିଅ ହେଲା ।’ ଏକଥା ପରେ ପୁଣି ମୁଖର ହୋଇଉଠିଲା ସଞ୍ଜୟ—

 

‘ଦେଖିଲ, ମୋର ଭବିଷ୍ୟତବାଣୀ କିପରି ରୂପ ପାଇଲା ? ତମ କଳ୍ପନା ଖାଲି କଳ୍ପନାରେ ରହିଗଲା ।’

 

‘କିନ୍ତୁ ତମର ଯେ ପୁରା ଜିତ୍‌ ହେଲା ନାହିଁ ଏ ବିଷୟରେ ନିଶ୍ଚିତ ଥାଅ ମହାଶୟ ।’

 

‘କଣ ହେଲା ପୁଣି ?’

 

‘ତମ କନ୍ୟାର ଚଳନଭଙ୍ଗୀରେ କିନ୍ତୁ ଆଉ ନନ୍ଦିତା ପଦପାତର ଛନ୍ଦ ଫୁଟି ଉଠିବ ନାହିଁ । ସେ ପୂରାପୂରି ତା ବାପର ଗଢ଼ଣ ନେଇ ଆବିର୍ଭାବ ହୋଇଛି ।’

 

ଝିଅକୁ ଗେଲକରି କହି ଉଠିଲା ସଞ୍ଜୟ–

 

‘ସତେ ? ମୁଁ ତ କାହିଁ କିଛି ଲକ୍ଷ୍ୟ କରି ପାରୁନି । ନହେଲେ କଣ ହେଲା ? ନହେଉ ପଛେ ତାର ନନ୍ଦିତାର ଆକୃତି, ନଥାଉ ପଛେ ତାର ନନ୍ଦିତାର ଚଳନ ଛନ୍ଦ, ତଥାବି ମୋ ଆଖିରେ ସେ ରୂପ ନେବ—ଛନ୍ଦମୟୀ ନନ୍ଦିତାର କ୍ଷୁଦ୍ର ସଂସ୍କରଣ ରୁପେ ।’

 

ସଞ୍ଜୟର କଥା କହିବାର ନାଟକୀୟ ଭଙ୍ଗୀରେ ହସିଉଠିଥିଲେ ସେଦିନ ନନ୍ଦିତା ଆଉ ତାର ସାନ ଭଉଣୀ ବନ୍ଦିତା ।

 

ସଞ୍ଜୟ ଯିବା ପୂର୍ବରୁ ନନ୍ଦିତାକୁ କହିଥିଲା, ‘ବାପା ଚିଠି ଲେଖିଛନ୍ତି ଜାଣ ନନ୍ଦା ? କଣ ଲେଖିଛନ୍ତି ?’

 

‘ତମକୁ ଆଉ ଝିଅକୁ ନେଇ ସମ୍ବଲପୁରରେ ଛାଡ଼ି ଆସିବାକୁ ।’

 

‘ଏଠିକି ମଧ୍ୟ ସେଇୟା ଲେଖିଛନ୍ତି ଯେ ।’

 

‘ତୁମେ କଣ କହୁଛ ?’

 

‘ଏଥିରେ କହିବାର କଣ ଅଛି ? ବାପା ଯେତେବେଳେ ଲେଖିଛନ୍ତି ନିଶ୍ଚେ ଯିବାକୁ ହେବ-। ତା ଛଡ଼ା ଯେତେବେଳେ ଆସି ପାରିଲେ ନାହିଁ, ଝିଅକୁ ଦେଖେଇବାକୁ ହବତ ପୁଣି ତାଙ୍କୁ-।’

 

‘କିନ୍ତୁ ଝିଅର ବାପା କି ପାପ କରିଥିଲା ନନ୍ଦା ? ଯାହା ପାଇଁ ତାକୁ ଏକବର୍ଷ ନିର୍ବାସନର ପ୍ରାୟଶ୍ଚିତ କରିବାକୁ ହେବ ? କାହିଁକି ମୋ ପାଇଁ କାହାରି ପ୍ରାଣରେ ଦରଦ ଜାଗୁ ନାହିଁ ? କାହିଁକି ମୋ ପ୍ରତି ସମସ୍ତେ ଏତେ ନିର୍ଦ୍ଦୟ ?’

 

‘କଣ ହେଲା ? ଏଇ ସାମାନ୍ୟ କଥାରେ ଏତେ ବିଚଳିତ ହୋଇପଡ଼ୁଛ । ମୁଁ ପୁଣି ଫେରି ଆସିବିନି କି ?’

 

‘ନାଁ ନାଁ. ମୁଁ ତମକୁ କୌଣସି ଆଶ୍ୱାସନାର ଆଜି ଆଉ ଭୂଲିବାକୁ ଚାହୁଁନି । ମୁଁ ବାପାଙ୍କୁ ପରିଷ୍କାର ଲେଖିଦେବି, ମୁଁ ଏକୁଟିଆ ଚଳି ପାରିବିନି । ତାଙ୍କର ଯଦି ଇଚ୍ଛା ଅଛି—ସେ ଆସି ନାତୁଣୀକୁ ଦେଖିଯାଆନ୍ତୁ ।’

 

‘ଛିଃ ! ଅବୁଝା ହୁଅନି । କଣ ଭାବିବେ ସେ ? ବୁଢ଼ାଲୋକ ତାଙ୍କ ମନରେ ଦୁଃଖ ଦବା କଣ ଉଚିତ ? ସେ କେତେ ଆଗ୍ରହରେ ଚାହୁଁଛନ୍ତି ଝିଅକୁ ଦେଖିବେ ବୋଲି । ତୁମେ ନାହିଁ କଲେ ମନ ତାଙ୍କର ଭାଙ୍ଗିପଡ଼ିବ ନି ?’

 

‘ତାଙ୍କର ମନ ପାଇଁ ତୁମେ ଏତେ ବ୍ୟସ୍ତ । କିନ୍ତୁ ମୋ ମନରେ ଯେ ଏତେ ବଡ଼ ଆଘାତୟା ଦ୍ୱାରା ଦିଆହେଉଛି ତାହାର ଖବର ରଖୁଛ କି ? ମୁଁ ଏମିତି କେତେ ଦିନ ଏ ଅନ୍ତର୍ଦାହ ଭୋଗୁଥିବି ? ଝିଅର ବାପ ହେବା କଣ ଗୋଟାଏ ଅଭିଶାପ ? ମୁଁ ତ ଚାହିଁ ନଥିଲି । ନହୋଇ ଥିଲେ ଆମର କୌଣସି ସନ୍ତାନ ସନ୍ତତି କି କ୍ଷତି ହେଉଥିଲା ? ସନ୍ତାନର ଜନକ ହୋଇ ଏମିତି ନିର୍ବାସନ ଭୋଗିବା ଅପେକ୍ଷା ନିଃସନ୍ତାନ ହେବା ଭଲ ନୁହେଁ କି ?’

 

ଉତ୍ତେଜିତ ହୋଇ ଯାଇଥିଲା ସଞ୍ଜୟ ରୀତିମତ । ଉତ୍ତେଜନାର ଆଧିକ୍ୟରେ ଗଳା ତାର କମ୍ପି ଉଠୁଥିଲା । ବଦନର ତ୍ୱକ୍‌ ଉପରେ ଉତ୍ତେଜନାର ଲାଲିମା ସ୍ପଷ୍ଟ ହୋଇ ଉଠୁଥିଲା । ଶଙ୍କିତା ହେଲା ନନ୍ଦିତା ? କେମିତି ବୁଝେଇବ ସେ ଏ ଅବୁଝା ସ୍ତ୍ରୀ–ସର୍ବସ୍ୱ–ସ୍ୱାମୀକୁ । ଗୋଟାଏ ପଟେ ବୃଦ୍ଧ ଶଶୁର ଓ ଅନ୍ୟପଟେ ସ୍ୱାମୀ, ତା ଜୀବନର ସର୍ବସ୍ୱ । କାହାକୁ ଆପଣାର କରି କାହାକୁ ପର କରିବ ସେ ? ତାର ମନରେ ନିକିତିରେ କାହାର ଓଜନ ତ କମ୍‌ ନୁହେଁ । ମସସ୍ତେ ତାର ଆପଣାର । ସମସ୍ତଙ୍କ ପ୍ରତି ତାର କର୍ତ୍ତବ୍ୟ ସମାନ । କିନ୍ତୁ ବଡ଼ ହେଉଛି କର୍ତ୍ତବ୍ୟର ଅଗ୍ରାଧିକାର ବିଚାର । ତାକୁ ମୁଖ୍ୟ ଗୌଣ ଦୃଷ୍ଟିରେ କର୍ତ୍ତବ୍ୟର ନିର୍ବାଚନ କରିବାକୁ ହେବ । ଏ ହେବ ତାର ବଧୂ ଜୀବନର ପ୍ରଥମ ପରୀକ୍ଷା । ତାକୁ ଉତ୍ତୀର୍ଣ୍ଣ ନିର୍ଦ୍ଧାରଣ କରିନେଲା ।

 

‘ତୁମେ ଉତ୍ତେଜିତ ହୁଅନା ମତେ ବୁଝିବାକୁ ଚେଷ୍ଟା କର । ଆମର ଅସବିଧାର ଦ୍ୱାହି ଦେଇ ଅଜ୍ଞାନ ଶିଶୁଟିକୁ ଦୋଷୀ କରୁଛ କାହିଁକି ? କି ଅପରାଧ ତାର ? ଆମ ସଂସାରକୁ ତାର ଆଗମନ ପାଇଁ କଣ ସେ ଦାୟୀ ? ଜୀବନର ପ୍ରାରମ୍ଭରୁ ତାକୁ ଏକ ଅଭିଶାପ ରୂପେ ଗ୍ରହଣ କରି ନେଉଛ କାହିଁକି ? ସଂସାର କଲେ କେତେ ଏମିତି ସୁବିଧା ଅସୁବିଧାର ସମ୍ମୁଖୀନ ହବାକୁ ହେବ ଏବଂ ତାକୁ ବହନ କରିବାକୁ ହବ ଆମକୁ । ସେଥିପାଇଁ ଦୁଃଖ କଲେ ଅନୁତାପ କଲେ କଣ ସେ ସମସ୍ୟାର ସମାଧାନ ହୋଇଯିବ ? ବରଂ ସେଥିରେ ସହିଷ୍ଣୁତାର ପ୍ରଲେପ ଦେଇ ତାକୁ ଗ୍ରହଣ କରିନେବାକୁ ହେବ । ଛିଃ ସୂନାଟି ପରା ଏଇଥିପାଇଁ ଏତେ ଭାବୁଛ ? ମୁଁ କଣ ଶିଘ୍ର ଫେରି ଆସିବିନି ?’

 

ବହୁତ କଷ୍ଟରେ ବୁଝିଥିଲା ସେଦିନ ସଞ୍ଜୟ ଏବଂ କଥା ହୋଇଥିଲା ସେ ଛୁଟୀ ନେଇ ଆସି ତାକୁ ସମ୍ବଲପୁରରେ ଛାଡ଼ି ଆସିବ ।

 

ଆଜି ବି ବିଗତ ଦିନର ସୁଖମୟ ସ୍ମୃତି ହୃଦୟର ସୂକ୍ଷ୍ମ ତନ୍ତୀ ଗୁଡ଼ିକରେ ଝଙ୍କାର ତୋଳନ୍ତି-। ଏ ଅବସାଦଗ୍ରସ୍ତ ବିକଳ ମନରେ ଆଜି ବି ସେ ଝଙ୍କାରର ମୂର୍ଚ୍ଛନାରେ ଶିହରଣ ଜାଗେ । ଆଜି ବି ନିଜର ଅଜ୍ଞାତରେ ସେ ମୂର୍ଚ୍ଛନାରେ ସମ୍ମୋହିତ ହୁଏ ନନ୍ଦିତା ଆଉ ତାର ଅଧର ଉପକୂଳରେ ହସର କ୍ଷୁଦ୍ର ତରଙ୍ଗ ସୃଷ୍ଟି ହୋଇ ମିଳେଇ ଯାଏ । କିନ୍ତୁ ସୁଖମୟ ଜୀବନର ଯମୁନା ଆଉ କେବେ ଉଜାଣି ବହିବ ନାହିଁ । ଆଉ ତାର ମନ ଉପବନରେ ଅସରନ୍ତି କୁସୁମ କଳି କେବେ ବିକଶିତ ହେବ ନାହିଁ-। ଦୁର୍ଦ୍ଦିନର ପ୍ରଳୟଙ୍କରୀ ସ୍ପର୍ଶରେ ସବୁ ମଉଳି ଯାଇଛି–ସବୁ ଉଭେଇ ଯାଇଛି-। ସେଇ ଝଡ଼ର ସ୍ପର୍ଶରେ ତା ମନର ସ୍ନିଗ୍‌ଧତା ମନ୍ଥର ହୋଇ ଯାଇଛି । ଏ ଜୀବନରେ ସେ ସବୁଜ ପୁନରାବୃତ୍ତି ଏକ ବିଭ୍ରାନ୍ତ କଳ୍ପନା ।

 

X X X

 

ତାଳଚେର ଗାଡ଼ିର ଫାଷ୍ଟକ୍ଲାସ କମ୍ପାର୍ଟମେଣ୍ଟରେ ଏକ ନିରୋଳା ପରିବେଶ ମଧ୍ୟରେ ନନ୍ଦିତାର ସମ୍ବଲପୁର ଯାତ୍ରା ଆରମ୍ଭ ହୋଇଥିଲା ସେଥର । ଅନେକ ଦିନ ପରେ ନନ୍ଦିତାର ଏକାନ୍ତ ସାନିଧ୍ୟରେ ମୂଖର ହୋଇ ଉଠିଥିଲା ସଞ୍ଜୟ ।

 

‘ଦେଖୁଛ ନନ୍ଦା ! ଦୂର ଚତ୍ରବାଳର ତୀରେ ବ୍ରାହ୍ମଣୀର ଶୈକତ ମେଖଳା କି ମନୋରମ ଦିଶୁଛି । ଶରତର ଏ ସ୍ନିଗ୍‌ଧ ପରିବେଶ ମଧ୍ୟରେ ବ୍ରାହ୍ମଣୀର ଉଚ୍ଛୁଙ୍ଖଳ ଯୌବନ ଶାନ୍ତ ଲଭିଛି । ଆଜିର ଏ ଶାନ୍ତ ଜଳକନ୍ୟାକୁ ଦେଖିଲେ କିଏ କହିବ ଯେ କିଛିଦିନ ତଳେ ୟାର ଉଦ୍ଦାମ ଯୌବନ କୂଳ ପ୍ଲାବନ କରି ଆତଙ୍କିତ କରିଥିଲା ସମସ୍ତଙ୍କୁ ? ସେ ସମୟ ଉତ୍ତୀର୍ଣ୍ଣ ହୋଇଛି ତାର । ବୟସା ନାରୀର ସ୍ଥିରତା ଲଭିଛି, ଏକଦା ଚପଳା ବ୍ରାହ୍ମଣୀ ।‘

 

‘ହଠାତ୍‌ ବ୍ରାହ୍ମଣୀକୁ ଦେଖି କବିତ୍ୱ ଉଦ୍‌ଭାବ ହେଲା ଯେ—’

 

‘ତୁମେ ଜାଣନା ନନ୍ଦା ଏଇ ନଦୀ ସହିତ ଅତୀତର ବହୁ ମଧୁମୟ ସ୍ମୃତି ମୋର ଜଡ଼ିତ । ୟାର କୋଳରେ କେତେ ଧୂସର ଗୋଧୂଳି ଆଉ କେତେ ଅତନ୍ଦ୍ର ରାଜା ନିଶୀଥ ବିତିଛି ମୋର ନୌକା ବିହାରରେ ।’

 

‘କେବେ ? ମୁଁ ଶୁଣିନି ତ ?’

 

‘ତୁମକୁ ମୁଁ କେବେ କହିବାର ସୁଯୋଗ ପାଇନି । ମାଟ୍ରିକ୍ୟୁଲେଶନ ପଢ଼ିଲାବେଳେ ମୁଁ ଥିଲି ତାଳଚେରରେ ମଉସାଙ୍କ ପାଖରେ । ସେତେବେଳେ ସେ ସେଠିକାର ଦେୱାନ୍‌ ଥିଲେ । ଆମ ଘରଟା ଥିଲା ଠିକ୍‌ ବ୍ରାହ୍ମଣୀ ଉପରେ । ତାଳଚେରର ବିଖ୍ୟାତ ଭିକ୍ଟୋରିଆ ହଲ୍‌ରେ ରହୁଥିଲେ ସେତେବେଳେ ଦେୱାନ୍‌ । ମାଉସୀଙ୍କର ଦିଓଟି ପୁଅ, ଝିଅ ଓ ମୁଁ ସାଥୀ ହୋଇ ପଢ଼ୁଥିଲୁ ସେଠି । ଆନନ୍ଦମୁଖର କୈଶୋର ବିତିଛି ମୋର ବ୍ରାହ୍ମଣୀ ତୀରରେ ।’

 

‘ତା ପରେ ?’

 

‘ତାପରେ ଆଉ କଣ ? ଏଇ ନଦୀର ସୈବତ ଶଯ୍ୟାରେ କେତେ ବାଲିଘର ରଚି ତାରି ଗର୍ଭରେ ସବୁ ଲୀନ ହୋଇ ଯାଇଛି, ତାହାର ହିସାବ ଆଜି ଆଉ ମନେ ହୁଏନା । ସେ ଚାପଲ୍ୟ ଅପସରି ଯାଇଛି । ସେ ବାଧା ବନ୍ଧନ ହୀନ ଜୀବନର ଅବସାନ ଘଟିଛି ।’

 

‘କାହିଁକି ତେବେ ଏ ବନ୍ଧନ ନିଜେ ନିଜେ ବରିନେଲ ?’

 

‘ସଂସାରଟା ଆମର ଏଇୟା ନନ୍ଦା ? କାହାରି ଉଚ୍ଛୁଙ୍ଖଳତା ସେ ସହେନା । ସମସ୍ତଙ୍କର ଶୃଙ୍ଖଳା ବିହୀନ ଜୀବନକୁ ଏମିତି ସେ ବନ୍ଧନଯୁକ୍ତ କରେ । ମୁକ୍ତ ଜୀବନ ଆସ୍ୱାଦନା କରିବାର ସୁଯୋଗ ସବୁଦିନ ସେ କାହାରିକୁ ଉପଭୋଗ କରିବାକୁ ଦିଏନା । ପରିବାରର ବନ୍ଧନ, କର୍ମକ୍ଷେତ୍ରର ବନ୍ଧନ ଆଉ ମାନସିକ ବନ୍ଧନରେ ସମସ୍ତଙ୍କୁ ତାର ନୀତି ନିୟମର ଗାନ୍ଥିନିରେ ଗୁନ୍ଥିଛି ଏ ସମାଜ । ଯିଏ ସେ ନିୟମରୁ ବିଚ୍ୟୁତ ହେଉଛି ହୁଏତ ସେ ହେଉଛି ସଂସାର–ତ୍ୟାଗୀ ସନ୍ନ୍ୟାସୀ ନଚେତ୍‌ ଅସାମାଜିକ ଜୀବ ।’

 

‘ସେ ତ ଅଲଗା କଥା । କିନ୍ତୁ ତୁମେ ଯେ ଏ ପାରିବାରିକ ବନ୍ଧନରେ ବାନ୍ଧି ହେଲ ତମ ଇଚ୍ଛାର ବିରୁଦ୍ଧରେ ତା ପଛରେ ଥିଲା କଣ ଏଇ ସମାଜର କଠିନ ନିର୍ଦ୍ଦେଶ ?’

 

‘କିଏ କହିଲା ତୁମକୁ, ମୁଁ ମୋ ଇଛା ବିରୁଦ୍ଧରେ ଏ ବନ୍ଧନ ବରିନେଲି ବୋଲି ? କାହିଁକି-? ମୁଁ କଣ ସତ୍ୟର ଅପଳାପ କଲି ? ତୁମ ଘରକୁ ଆସିଲା ପରେ ମୁଁ ଅନେକଙ୍କ ମୁହଁରୁ ଶୁଣିଛି ତୁମର ଏ ଅନିଚ୍ଛାକୃତ ବନ୍ଧନର ଇତିହାସ ।’

 

ହସି ଉଠିଲା ସଞ୍ଜୟ । ‘ଓଃ, ତୁମେ ତା ହେଲେ ମୋର ସେ ପାଗଳାମୀ ଇତିବୃତ୍ତର ସନ୍ଧାନ ପାଇ ସାରିଛ ? ସତ କହୁଛି ନନ୍ଦା ତୁମ ବ୍ୟତୀତ ଅନ୍ୟ କେହି ହୋଇଥିଲେ ସେ ବୋଧହୁଏ ମୋ ବିଦ୍ରୋହୀ ହୃଦୟର ଏତେ ବେଶୀ ସ୍ଥାନ ପାଇ ପାରିନଥାନ୍ତା । ମୋ ଜୀବନର ଗତିପଥ ହୁଏତ ଅଲଗା ପ୍ରକାର ହୋଇଥାନ୍ତା ।’

 

‘ଏଇଠି ଭୁଲ କରୁଛ ତୁମେ । ମୁଁ ନଆସି ତମ ଘରକୁ ଆଉ ଯେ କେହି ଆସିଥାନ୍ତା ବଧୂ ରୂପେ, ସେ ହୋଇଥାନ୍ତା ତମର ସ୍ତ୍ରୀ । ଆଉ ମୋ ପାଇଁ ତମ ମନରେ ଯେତିକି ସ୍ଥାନ ଅଛି, ତା ପାଇଁ ଆଧ୍ୟ ଠିକ୍‌ ସେତିକି ରହିଥାନ୍ତା ।’

 

‘ନାଁ ନନ୍ଦା, ତୁମେ ବାପାଙ୍କ ଜିଦ୍‌ କଥା ଜାଣନା । ସେ ତୁମ ବାପାଙ୍କୁ ଜବାବ୍‌ ଦେଲା ପରେ ମୁଁ ଯଦି ତାଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିଥାନ୍ତି ସେ ହୁଏତ ମୋର ବିବାହ ପ୍ରସ୍ତାବରେ ଚିରଦିନ ପାଇଁ ପୂର୍ଣ୍ଣଚ୍ଛେଦ ଟାଣି ଦେଇଥାନ୍ତେ ।’

 

‘ସେଇଟା ହୋଇଥାନ୍ତା ତାଙ୍କର ସାମୟିକ ଖିଆଲ ହୁଏତ । କିନ୍ତୁ ପରବର୍ତ୍ତୀ ଜୀବନରେ ଅଧିକାଂଶଙ୍କ ଅନୁସୃତ ପନ୍ଥ ମଧ୍ୟ ତୁମେ ଅନୁସରଣ କରିଥାନ୍ତ । ତୁମ ଜୀବନରେ ଠିକ୍‌ ଏମିତି ଶୁଭରଙ୍ଗ ବାଜିଉଠିଥାନ୍ତା, ଆଉ ତୁମେ ଏକ ଅବଗୁଣ୍ଠନବତୀର ପଣତରେ ଛନ୍ଦିହୋଇ ଯାଇଥାନ୍ତ ଆପେ ଆପେ ।’

 

‘ଥାଉ ବନ୍ଦ କର ନନ୍ଦା । ତୁମ ବ୍ୟତୀତ ଆଉ କାହାର ଓଢ଼ଣା ଉହାଡ଼ର ସରମ ଚାହାଣୀର ଦୃଶ୍ୟ ମୁଁ କଳ୍ପନା କରି ପାରୁନି । ମୋ ଜୀବନ ଚଲାପଥରେ ତମେ ପ୍ରଥମେ ଏବଂ ତମେ ଶେଷ ନାରୀ ହୁଅ । ମୁଁ ଆଉ କିଛି ଚାହୁଁନି ।’

ହସିଥିଲା ସେଦିନ ନନ୍ଦିତା । ମନେ ମନେ ଭାବିଥିଲା, ସବୁ ପୁରୁଷ ବୋଧହୁଏ ଏଇୟା-। ଚାଟୁକଥାରେ ନାରୀର ମନ ଭୁଲେଇବାରେ ଖୁବ୍‌ ପାରଦର୍ଶୀ ସେମାନେ । ସେ ମଧ୍ୟ ସଞ୍ଜୟର ଅତୀତ ଇତିହାସ ଜାଣେ । ଥାଉ କି ଲାଭ ଆଉ ସେ କଥା ଉଠେଇ, ସଞ୍ଜୟର ଏ ଜୁଆରିଆ ମନରେ ଭଟ୍ଟାର ଉଦ୍ରେକ କରିବା ମନ ତଳର ଛପିଲା କଥା ସେଇ ମନର ଅନ୍ତରାଳରେ ବିଲୟ ଲଭୁ । ପ୍ରକାଶ କରି ଲାଭ ନାହିଁ ଆଉ ।

X X X

ଶେଷ ଫାଲ୍‌ଗୁନରେ ସେ ଏକ ମଧୁର ସଞ୍ଜ । ଚଉରାମୂଳରେ ସଞ୍ଜବତୀର ଶେଷ ଶିଖା ଲିଭି ଲିଭି ଆସୁଥାଏ । ଆକାଶରେ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀର ବୈଭବା ରୂପେଲି ଚାନ୍ଦର ଉଦ୍‌ଭାସିତ ଜ୍ୟୋତ୍ସ୍ନା । ଧାରା ଆକାଶ ବକ୍ଷରେ ବିଛୁଡ଼ି ହୋଇ ପଡ଼ୁଥାଏ । ଅସୀମ ସୁଖ ପ୍ରବାହରେ ମଣିଷ ଭାସି ଭାସି ଯାଏ—ଆନନ୍ଦରେ ଆତ୍ମହରା ହୁଏ । ପୁଣି ଦୁଃଖର ତିମିରରେ ବି ତାକୁ ବୁଡ଼ିବାକୁ ହୁଏ-। ସମ୍ବଲପୁରରେ ରହିବାର ଦୀର୍ଘ ଆଠମାସ ହୋଇଗଲାଣି । ନନ୍ଦିତା ଯିବ ଯିବ ବୋଲି ଏ ପର୍ଯ୍ୟନ୍ତ ସଞ୍ଜୟ ପାଖକୁ ଯାଇନି । ସଞ୍ଜୟର ଏଥିମଧ୍ୟରେ କୋରାପୁଟ ବଦଳି ହୋଇଯାଇଛି । ଏତେ ଥଣ୍ଡାରେ ସେଠିକି ସାନଛୁଆକୁ ନେଇ ଯିବାକୁ ଦେଇ ନାହାଁନ୍ତି ଶଶୁର । ତାର ଆଉ ଯିବା ହୋଇ ପାରିନି । ଏଇ ଦୀର୍ଘ ଆଠମାସର ସମ୍ବଲପୁର ରହଣୀ ଭିତରେ ସେ ପାଇନି କିଛି । କିନ୍ତୁ ହରେଇଛି ବହୁତ । ଆଖିରେ ସ୍ୱପ୍ନର ଅଞ୍ଜନ ବୋଳି ସେ ଯେଉଁ କମନୀୟ ସଂସାରର ରୂପ ଏ କେତେ ଦିନ ଧରି ଦେଖି ଆସିଥିଲା ସେ ଆଜି ଉଭେଇ ଯାଇଛି । ତାର କଳ୍ପନାର ତାସ ଘର ଭୁଷୁଡ଼ି ପଡ଼ିଛି-। ସଂସାରର ନଗ୍ନ ସ୍ୱରୂପ ତା ଆଖିରେ ଆଜି ସ୍ପଷ୍ଟ ହୋଇ ଯାଇଛି । ଇସ୍‌ କି ଶୋଚନୀୟ ଭାବରେ କଳ୍ପନା ତାର ବିଧ୍ୱସ୍ତ ହୋଇଯାଇଛି । ହିଂସା ଆଉ ସ୍ୱାର୍ଥପରତାର ଜୀବାଣୁ ଏ ପରିବାରର ସମସ୍ତ ରକ୍ତବାହୀ ଧମନୀରେ ଧ୍ୱସଂର ଶୋଭାଯାତ୍ରା ଆରମ୍ଭ କରିଦେିଛନ୍ତି । ସେଥିରୁ ରକ୍ଷା କରିବାକୁ ତା ପରି ପ୍ରତିଷେଧକ ଅତି ଦୁର୍ବଳ । ନାଁ ନାଁ ସେ ପାରିବନି । ହିଂସା ଆଉ ସ୍ୱାର୍ଥପରତାର ଏ ହୀନ ପରିବେଶ ମଧ୍ୟରେ ତାର ଶ୍ୱାସରୁଦ୍ଧ ହୋଇଯାଉଛି । ସେ ଏଥିରୁ ମୁକ୍ତି ଚାହେଁ । ହଁ ବଞ୍ଚିରହିବା ପାଇଁ ତାର ଏ ନୀଚ ପରିବେଶ ମଧ୍ୟରୁ ମୁକ୍ତି ପ୍ରୟୋଜନ । ସେ ଏ ଆତ୍ମ ସର୍ବସ୍ୱ ସଂସାରରେ ତାର ନିଶ୍ଚିତ ବିଲୟ ଡାକି ଆଣି ପାରିବନି ।

ପ୍ରଥମେ ପ୍ରଥମେ ୨। ୩ ମାସ ବାରିପଦାରୁ ଆସି ତାର ସମୟ ବେଶ କଟି ଯାଇଥିଲା-। ଶଶୁର ଓ ନଣନ୍ଦଙ୍କର ସ୍ନେହ ଆଦର କମ୍‌ ପାଇ ନ ଥିଲା-। ପାଖରେ ତାର ପ୍ରଚୁର ଟଙ୍କା ଥିଲା । ଅକାତରେ ସେମାନଙ୍କ ସଉକ୍‌ ପାଇଁ ସବୁ ସେ ମେଲି ଦେଇଥିଲା । କିନ୍ତୁ ସେ ଟଙ୍କାର ଶେଷ ସଙ୍ଗେ ସଙ୍ଗେ ତା ପ୍ରତି ଥିବା ସ୍ନେହ ଆଦରର ଝରଣା ମଧ୍ୟ ଶୁଷ୍କ ହୋଇ ଆସିଥିଲା । ସାନ ଛୁଆଟିକୁ ନେଇ ଘରର ଅସରନ୍ତି କାମର ଭାର ମଧ୍ୟ ତାକୁ ବହନ କରିବାକୁ ହୋଇଥିଲା । ଅନଭ୍ୟସ୍ତ ହାତ ତାର ଏତେ କାମର ଚାପ ସହିପାରି ନ ଥିଲା । ସ୍ୱାସ୍ଥ୍ୟ ତାର ନଷ୍ଟ ହୋଇ ଯାଇଥିଲା । ମନ ତାର ଭାଙ୍ଗି ଯାଇଥିଲା । କାହାରିଠାରୁ ସାମାନ୍ୟତମ ସହାନୁଭୁତି ସେ ପାଇ ନ ଥିଲା । ଶଶୁର ଏବଂ ନଣନ୍ଦଙ୍କର ବାକ୍ୟବାଣରେ ଜର୍ଜରିତା ନନ୍ଦିତା ବାପଘରର ସୁଖମୟ ଦିନ ଗୁଡ଼ିକର ସ୍ମୃତିରେ ଦହି ହେଉଥିଲା । ପିଲାଟିଦିନରୁ ଶାଶୁଘରକୁ ଆସିବା ଯାଏ କୌଣସି ଦିନ ଗୃହକର୍ମର ଚାପ ତା ଉପରେ ପଡ଼ି ନ ଥିଲା । ମନ ତାର କୌଣସି ଦିନ ଗୃହକର୍ମ ପ୍ରତି ଆକୃଷ୍ଟ ନ ଥିଲା । ପାଠ ପଢ଼ିଲାବେଳେ ସେ ଅନ୍ୟ ଏକ ସଂସାରର ସ୍ୱପ୍ନ ଦେଖିଥିଲା । ଭଲ ପଢ଼ୁଥିଲା ବୋଲି ତାର ପଢ଼ା ପ୍ରତି ଘରର ସମସ୍ତଙ୍କର ଆଗ୍ରହ ଥିଲା । ସେ ଚାହିଁଥିଲା ସ୍ୱାବଲମ୍ବିନୀ ହେବାପାଇଁ । ସାଂସାରିକ ବନ୍ଧନର ନିଗଡ଼ ପ୍ରତି ତା ମନରେ ଏକ ସହଜାତ ବିତୃଷ୍ଣା ଥିଲା । କିନ୍ତୁ ବୋଉର ଅହେତୁକୀ ଜିଦ୍‌ ପାଇଁ ସ୍ୱପ୍ନ ତାର ରୂପାୟିତ ହୋଇପାରି ନ ଥିଲା । ବୋଉ ଚାହିଁଥିଲା ସଂସାରର ଅଧିକାଂଶ ଝିଅଙ୍କ ପରି ସେ ମଧ୍ୟ ଶଙ୍ଖା ସିନ୍ଦୂର ପିନ୍ଧି ପରଘରର ଦାୟିତ୍ୱ ବହନ କରିବାକୁ । ପ୍ରତିବାଦ କରିବାର ମନର ବଳ ସେ ସଞ୍ଚୟ କରି ପାରି ନ ଥିଲା । ବାପା, ବୋଉଙ୍କ ନିଷ୍ପତିକୁ ମୁଣ୍ଡ ପାତି ସହି ନେଇଥିଲା । ମନକୁ ପରିବର୍ତ୍ତନ କରି ଗୋଟିଏ ସୁନ୍ଦର ଗୃହସ୍ଥଳୀର କଳ୍ପନା କରିଥିଲା ସେ । ସ୍ନେହ ସହାନୁଭୂତି ଓ ପ୍ରାଣର ପ୍ରାଚୁର୍ଯ୍ୟରେ ଏକ ମନୋରମ ସଂସାରର ସ୍ୱପ୍ନ ସେ ଦେଖିଥିଲା-। ବିବାହ ପରେ ତାର ସଂସାରର ଧାରଣା ମଧ୍ୟ ଅନୁରୂପ ହୋଇଥିଲା । କିନ୍ତୁ ଏ କେତେଦିନ ସମ୍ବଲପୁରରେ ସ୍ଥିତ ମଧ୍ୟରେ ସେ ଧାରଣା ତାର ଦୂର ଚକ୍ରବାଳର ଉପକୂଳକୁ ଅପସରି ଯାଉଛି-। ସେ ଉପକୂଳରେ ଆଉ ତାର ଆଶା ଆଶ୍ୱାସନାରେ ଜାହାଜ କେବେ ଲଙ୍ଗର ପକେଇବ ନାହିଁ-। ଦିଗ୍‌ବଳୟର ଧୂଆଁ ଗାର ପାଖେ ତା ମନର ଆଶା, ଆକାଙ୍‌କ୍ଷାର ଧୂସର କୁହେଳି ପରି ମିଳେଇ ଯାଇଛି । ସବୁ ଅସ୍ପଷ୍ଟ ।

କଥା କଥାକେ ଶଶୁର ଓ ନଣନ୍ଦଙ୍କର ଶାଶୁଙ୍କ ସୁଗୃହିଣୀ ପଣର ଊପମା ଓ ତା ନିଜର ଅପାରଗତା ପାଇଁ ବକ୍ରୋକ୍ତି ସମୟେ ସମୟେ ଅସହ୍ୟ ହୋଇ ଉଠୁଥିଲା ତାର । ଘରର ସମସ୍ତ କାମ ଏକାକୀ କରିବାର ଅକ୍ଷମତା ପାଇଁ କମ୍‌ କଥା ଶୁଣିବାକୁ ପଡ଼ୁ ନ ଥିଲା ତାକୁ । ସାହି ପଡ଼ିଶାଙ୍କର ଉପଲକ୍ଷ ଦେଇ ମଧ୍ୟ ଅନେକ କଥା ଶୁଣେଇ ଦଉଥିଲେ ତାକୁ । ଏ ସବୁ ନୀରବରେ ହଜମ କରୁଥିଲେ ମଧ୍ୟ ସମୟେ ସମୟେ ମନ ତାର ବିଦ୍ରୋହୀ ହୋଇ ଉଠୁଥିଲା । ସବୁଠୁଁ ବେଶୀ ବାଧୁଥିଲା ତାକୁ ସ୍ୱାର୍ଥ ପାଇଁ ଏ ପରିବାରରେ ଯାହା ନୁହଁନ୍ତି, ସେଇୟା ପରିଚୟ ଦବାର ନିଖୁଣ ଅଭିନୟଟି । ସ୍ୱାର୍ଥର ଅବସାନ ସଙ୍ଗେ ସଙ୍ଗେ ଭଲ ପଣିଆର ମୁଖା ମଧ୍ୟରୁ ନିଜର ଅସଲ ରୂପର ପ୍ରକାଶ । ଏ ଧରଣର ଅଭିନୟ ଦେଖିବାରେ ଅନଭ୍ୟସ୍ତ ନନ୍ଦିତାର ଅନ୍ତରରେ ଘୃଣାର ଉଦ୍ରେକ ହୋଇଥିଲା ଏ ସବୁ ଦେଖି ଦେଖି । ସ୍ନେହ ସହାନୁଭୂତିର ଅଭାବରେ ହୃଦୟ ତାର ହାହାକାର କରି ଉଠୁଥିଲା । କାମ କରି ନ ପାରିବାର ଦୋଷଟା କଣ ଏତେ ଅମାର୍ଜନୀୟ ? ଯାହାପାଇଁ ଜଣଙ୍କ ପ୍ରତି କୌଣସି ସ୍ନେହ ସହାନୁଭୂତି ରହେନା । ଇଚ୍ଛାକୃତ ଭାବରେ ସେ ଯେ କୌଣସି କାମରେ ଅବହେଳା କରେ, ସେ କଥା ତ ନୁହେଁ । ସେ ଯଦି ଉଦ୍ଦେଶ୍ୟକ୍ରମେ ଘରର କାମରେ ଯୋଗ ନ ଦେଇ ବସି ରହୁଥାନ୍ତା, ତେବେ ତା ବିବେକ ପାଖରେ ସେ ନିଜେ ଦାଷୀ ସାବ୍ୟସ୍ତ ହୁଅନ୍ତା । କିନ୍ତୁ ସେ ତ ତାର ପାରୁପର୍ଯ୍ୟନ୍ତ ସବୁ କାମ କରିବାକୁ ଚେଷ୍ଟା କରେ । ଅନଭ୍ୟସ୍ତ ହସ୍ତ ତାର ପାରିଉଠେନା ସବୁ ଏକାକୀ ଶେଷ କରିବାକୁ । ଆପଣାର ଲୋକ ହୋଇ ଯଦି ଏତକ ନ ବୁଝିବେ, ତେବେ ସେମାନେ ଆଉ ତାର ଆପଣାର କଣ ? ସବୁଥିରେ ଗୋଟାଏ କେମିତି ଅସହଯୋଗ ମନୋଭାବ । ସେ ଯେମିତି ଏମାନଙ୍କର ଏକାନ୍ତଭାବେ ଆପଣାର ନୁହେଁ । ପ୍ରତି କଥାରେ ଯେମିତି ସେ ପର–ସେହିପରି ଅଭିବ୍ୟକ୍ତି । ବେଦନା ବିକ୍ଷୁବ୍ୱ ପ୍ରାଣ ତାର ବିଦ୍ରୋହ କରି ଉଠେ । ଅନେକ ସମୟରେ ମନେ ହୁଏ ତାର ଅନ୍ତରରେ ଚାପି ହୋଇ ରହିଥିବା ପୁଞ୍ଜିଭୂତ କ୍ଷୋଭର ଯେମିତି ବହିଃପ୍ରକାଶକୁ ଆଉ ସେ ରୋକି ପାରିବନି । ଆଉ ସେ ଅନ୍ତର୍ଦାହ ସହି ପାରିବନି । ପ୍ରଶଂସା ଯେତେବେଳେ ସେ ନ ପାଇଲା, ଆଉ ନିନ୍ଦା ଶୁଣିବାକୁ ଡରିବ କାହିଁକି ? କି ଲାଭ ଆଉ ଅନ୍ତରର ଏ ତରଳ ଅଗ୍ନିଶ୍ରୋତକୁ ଦମନ କରି ନିଜ ଭିତରେ ନିଜେ ଜଳିପୋଡ଼ି ମରିବାରେ । ହୁଏତ ଏ ପରିବେଶରୁ ତାକୁ ଦୂରେଇ ରହିବାକୁ ହେବ । ନଚେତ୍‌ ଅନ୍ତର ତଳର ତରଳ ଲାଭାସ୍ରୋତ କେଉଁ ଅସତର୍କ ମୁହୂର୍ତ୍ତରେ ଉଦ୍‌ଗିରୀତ ହୋଇ ତାକୁ ଏବଂ ତାର ପରିବେଷ୍ଟନୀକୁ ଧ୍ୱଂସମୁଖୀ କରିବ । ନିଜକୁ ରକ୍ଷା କରିବାର ଏକମାତ୍ର ଉପାୟ ପ୍ରଚୁର ଅର୍ଥ । ସେ ଅର୍ଥ ଯଦି ସେ ସଞ୍ଜୟ ଠାରୁ ଆଣି ଏମାନଙ୍କ ହାତରେ ଦେଇ ପାରନ୍ତା, ତେବେ ସେ ନିଜକୁ ଏ ନିଶ୍ଚିତ ଧ୍ୱଂସମୁଖରୁ ରକ୍ଷା କରି ପାରନ୍ତା । କିନ୍ତୁ କାହିଁ ? ସେ ସମ୍ବନ୍ଧରେ ସଞ୍ଜୟର ନିଷ୍ପୃହତା ତା ମନକୁ ଆହୁରି ବିକଳ କରିବାରେ ଲାଗିଛି । କାହିଁ ତାର ଏ ସ୍ୱାର୍ଥ ସର୍ବସ୍ୱ ଚକ୍ରବ୍ୟୁହରୁ ଉଦ୍ଧାର ?

ମାତୃହୀନାର ଆବରଣ ତଳେ ଲୁସିର ସମସ୍ତ ବାକ୍ୟବାଣ ପ୍ରଚ୍ଛନ୍ନ ରହିଯାଉଛି । ତା ମୁଖର ପ୍ରତିବାଦ ସହସ୍ର ରଙ୍ଗର ସମାବେଶରେ ବାହାର ଜଗତରେ ବିସ୍ତାରିତ ହୋଇଉଠୁଛି । ଶାଶୁ ଘରର ବୋହୁ ମୁହଁରେ ପ୍ରତିବାଦ ନିଷ୍ଫଳ । ଆତ୍ମପକ୍ଷ ସମର୍ଥନ କରିବାର ଭାଷା ତାର ଚିରଦିନ ପ୍ରଚ୍ଛନ୍ନ ରହିଯାଏ ଅନ୍ୟମାନଙ୍କର ମିଥ୍ୟା ଓ ପ୍ରବଞ୍ଚନାର ଆବରଣ ତଳେ । ବେଳେବେଳେ ତା ମନରେ ସ୍ୱତଃ ପ୍ରଶ୍ନ ଜାଗେ, ବୋହୁ ହବାଟା କଣ ଅଭିଶାପ ? ବୋହୁ ହୃଦୟର ଅକୁହା କଥା କଣ ଏ ସଂସାରରେ କେହି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । କାହିଁ ତାଙ୍କ ଘରକୁ ତ ଭାଉଜ ତାର ଆସିଛନ୍ତି । ତାଙ୍କୁ ପର ବୋଲି ଭାବି ଅନ୍ୟମାନଙ୍କ ଦୋଷ ଦୁର୍ବଳତାର ଶିକାର ତ ତାଙ୍କୁ କେବେ ହେବାକୁ ଦେଇ ନଥିଲେ ସେମାନେ ? ଆଜିର ବାପ ଘରର ଅଲିଅଳି କନ୍ୟା କାଲି ହୁଏ ଶାଶୁଘରର ଅବଗୁଣ୍ଠନବତୀ ବଧୂ । ଏଇ କେତେ ଦିନର ବ୍ୟବଧାନରେ କଣ ତାର ମନରେ ଏତେ ପରିବର୍ତ୍ତନ ସମ୍ଭବ ଯାହାଦ୍ୱାରା ତାର ପରକୁ ଆପଣାର କରି ସଂସାରର ସମସ୍ତ ଦାୟିତ୍ୱ ଅମ୍ଲାନ ବଦନରେ ବହନ କରିବାକୁ ସକ୍ଷମ ହବ ? ସେଇତକ ସେମାନେ ବୁଝିଥିଲେ । ଭାଉଜର ସମସ୍ତ ଦୋଷକୁ ନିଜ ଘରର ଝିଅ ଜ୍ଞାନରେ କ୍ଷମା କରିଥିଲେ ସେମାନେ । ଶାଶୁଘରର ନିୟମ କାନୁନ୍‌ ତାଙ୍କ ଭାଉଜଙ୍କର ସ୍ୱଚ୍ଛନ୍ଦ ଗତିପଥରେ କୌଣସି ଦିନ ଅନ୍ତରାୟ ହୋଇ ନଥିଲା ତ । କିନ୍ତୁ ତା ନିଜ ବେଳକୁ ଏ ହେଲା କଣ ? ତା ପାଇଁ ତା ଶାଶୁଘର, ଝିଅମାନଙ୍କ ମନରେ ସେ ଯମ ଯନ୍ତ୍ରଣାର ଆଗାର ହେଲା କାହିଁକି ? କି ଅପରାଧ କରିଥିଲା ସେ ? ଆଜି ଯେଉଁ ସବୁ ଦୋଷ ଦୁର୍ବଳତାର ଦ୍ୱାହି ଦେଇ ତାର ବୋହୁ ପଣିଆର ସ୍ୱନାମକୁ କଳଙ୍କିତ କରୁଛନ୍ତି ଲୁସି, କାଲି ସେ ଶାଶୁଘରର ବୋହୁ ହେଲା ପରେ ଏ ସବୁଥିରୁ ନିଜକୁ ମୁକ୍ତ କରି ପାରିବେ ତ ? ନିଜର କ୍ଷଣକୋପୀ ଗୁଣରେ ଶାଶୁଘରେ ସମସ୍ତଙ୍କର ସମାଲୋଚନାକୁ ସହିଷ୍ଣୁତାର ପ୍ରଲେପ ଦେଇ ଅତିକ୍ରମ କରି ପାରିବେ ତ ?

ନନ୍ଦିତା ସହି ପାରି ନ ଥିଲା । କ୍ଷଣକୋପୀ ନଣନ୍ଦ ଓ ଅବୁଝାମଣା ଶଶୁରଙ୍କ ଗହଣରେ ବୋହୁ ହୋଇ ଯେତିକି ଧୈର୍ଯ୍ୟ ଓ ସହିଷ୍ଣୁତାର ପ୍ରୟୋଜନ, ସେତକ ସେ କୌଣସି ଦୁର୍ବଳ ଅସତର୍କ ମୁହୂର୍ତ୍ତରେ ହରେଇ ବସିଥିଲା । ଏ ପରିବାରର ବୋହୁ ହୋଇ ସୁନାମ ଅର୍ଜ୍ଜନ କରିବା ପାଇଁ ସେ ମୂକ, ବଧିର ହୋଇ ପାରିନଥିଲା । ଜୀବନର କୌଣସି ଏକ ଅସହ୍ୟ ମୁହୂର୍ତ୍ତରେ ମୂକ ମୁଖରେ ତାର ଭାଷା ଫୁଟିଥିଲା । ହୃଦୟର ସେଇ ବେଦନା ବିକ୍ଷୁବ୍‌ଧ ଅଭିବ୍ୟକ୍ତି ତା ଉପରକୁ ଦୁଃଖ ଯନ୍ତ୍ରଣାର ପ୍ରଳୟଙ୍କରୀ ସ୍ରୋତକୁ ଡାକି ଆଣିଥିଲା । ସେ ଜ୍ୱାଳାମୁଖୀ ସ୍ରୋତ ବିରୁଦ୍ଧରେ ମଥା ଉତ୍ତୋଳନ ସେ କରି ପାରି ନଥିଲା । ଦୁଃଖ ଓ ବେଦନାରେ ପ୍ରାଣର ସୂକ୍ଷ୍ମତମ ତନ୍ତୀ ଖଣ୍ଡ ଖଣ୍ଡ ହୋଇଯାଇଥିଲା । କେତେ ବିନିଦ୍ର ରଜନୀ ତାର ଆଖିର ଲୁହରେ ବିତି ଯାଇଥିଲା ସେ କଥା କହି ଆଜି ଆଉ ଲାଭ ନାହିଁ । କାହାକୁ ସେ ଏ ଦୁଃଖ କହିବ ? କିଏ ଶୁଣିବ ତାର ଏ ଦୁର୍ଦ୍ଦଶାର କାହାଣୀ-? ସାଇ ପଡ଼ିଶା ଯିଏ ତା ପ୍ରତି ସ୍ନେହ ସହାନୁଭୂତି ଦେଖାନ୍ତି, ସେ ଏ ପରିବାରର ବିଷ ଦୃଷ୍ଟିରେ ପଡ଼ନ୍ତି । ତେଣୁ କାହାଆଗେ ହୃଦୟ ଖୋଲିବାର ସୁଯୋଗ ସେ ପାଇ ନଥିଲା । ପ୍ରକାଶ ନକରି ପାରିବା ଦୁଃଖର ଆଘାତରେ ହୃଦୟ ତାର ଫାଟି ଯାଉଥିଲା । କିଏ ଦବ ତାକୁ ଏ ଅସମୟରେ ସାନ୍ତ୍ୱନାର ପ୍ରଲେପ ?

ଇଚ୍ଛାକୃତ ଭାବେ ନିଜ ସ୍ୱାର୍ଥର ତାଡ଼ନାରେ ସେ ଯଦି ଏ ପରିବାର ପ୍ରତି ଅବହେଳା ବା ଅନାଦର ଦେଖାଇ ଥାନ୍ତା ତେବେ ସେ ନିଶ୍ଚୟ ତା ବିବେକ ପାଖରେ ନିଜକୁ ଦୋଷୀ ମଣନ୍ତା । ନିଜ ସୁଖ ସ୍ୱାଚ୍ଛନ୍ଦ୍ୟକୁ ସେ କେବେ ବଡ଼ ବୋଳି ମଣିନି । ସମୂହ ସ୍ୱାର୍ଥ ନିକଟରେ ନିଜ ସ୍ୱାର୍ଥ କଥା ଚିନ୍ତା କରିବାର ଦୁଃଶିକ୍ଷା ତାର କେବେ ନ ଥିଲା । ଏ ପରିବାରର ସମସ୍ତଙ୍କୁ ଆପଣାର କରିବାର ଚେଷ୍ଟାରେ ତ କେବେ ସେ ତୃଟି କରିନି । ସମସ୍ତଙ୍କୁ ଆପଣାର କରିବାକୁ ଯାଇ ସେ କାହାରି ଆପଣାର ହୋଇ ପାରିଲାନି । ଏ ଅବଶୋଷ ସେ କେଉଁଠି ରଖିବ ? ସବୁ କରିବାର ଆଶା ନେଇ କିଛି ନକରି ପାରିବାର ଗ୍ଲାନିରେ ଦହି ହେଉଥିଲା ନନ୍ଦିତା । ସ୍ନେହ କାଙ୍ଗାଳ ଅଭିମାନିନୀ ମନ ତାର ସ୍ନେହ ସହାନୁଭୂତିର ଦୁର୍ଭିକ୍ଷରେ ହାହାକାର କରି ଉଠୁଥିଲା । ଏ ପରିବାରର ସ୍ନେହ ପାଇବାକୁ ହେଲେ ପ୍ରଚୁର ଅର୍ଥ ଓ ପ୍ରଚୁର ଶାରିରୀକ ଶକ୍ତିର ପ୍ରୟୋଜନ । ଦୁଇଟା ମଧ୍ୟରୁ ଯେତେବେଳେ କୌଣସି ଗୋଟାକର ହେଲେ ପୂର୍ଣ୍ଣତା ତା ପାଖରେ ନଥିଲା, ସେତେବେଳେ ସ୍ନେହ, ଆଦର, ସହାନୁଭୂତି ଆଶା କରିବା ତାପକ୍ଷରେ ରୀତିମତ ଏକ ବିଡ଼ମ୍ବନା ।

ସେଥର ତାକୁ ଖୁବ୍‌ ଜର ହୋଇଥିଲା । ଯେତେଦିନ ଯାଏ ସେ ପାରୁଥିଲା କାହାକୁ ଜାଣିବାକୁ ସେ ଦେଇନି । ସେଇ ଅସୁସ୍ଥ ଶରୀର ନେଇ ରୋଷେଇ ଓ ସମସ୍ତଙ୍କର ଖାଇବାର ଯତ୍ନ ସେ ନେଇଛି । ମୁହଁର ଅଭିବ୍ୟକ୍ତିରେ ଦୁଃଖ ଯନ୍ତ୍ରଣା ପ୍ରକାଶର ସୁଯୋଗ ସେ ଦେଇନି । ସହାନୁଭୂତିର ଏତେ ଅଭାବ ଯେଉଁଠି ସେଠି ଆପଣା ମନର କଥା ଅନ୍ୟକୁ ଜଣେଇ ହାସ୍ୟାସ୍ପଦ ହେବ କାହିଁକି ସେ ? କିନ୍ତୁ ଜର ତାର ନକମି ବଢ଼ିଥିଲା । ତାକୁ ଶଯ୍ୟାଶାୟୀ କରିଦେଲା । ଅବୟବର ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲା ନନ୍ଦିତା । ମୌଖିକ ସହାନୁଭୂତି ଜଣେଇ ସମସ୍ତେ ଅପସରି ଯାଇଥିଲେ । ମୁଣ୍ଡର ଅସହ୍ୟ ଯନ୍ତ୍ରଣାରେ ଆଖିରୁ ଲୁହ ଝରୁଥିଲା ନନ୍ଦିତାର । ମନେ ପଡ଼ୁଥିଲା ଘର କଥା ତାର । ଜର ହେଲେ ତାର ମୁଣ୍ଡ ବିନ୍ଧେ ବୋଲି ଜଣେ ତା ମୁଣ୍ଡ ବରାବର ଚିପିଦିଏ । ଏଠି ତଣ୍ଟି ଶୁଖିଗଲେ ପାଣି ଟୋପାଏ ମିଳିବା ମଧ୍ୟ ତା ଭାଗ୍ୟରେ ନାହିଁ । ଏଇ ସଂସାର । ଏଇ ବନ୍ଧନ । ୟାରି ପାଇଁ ମନରେ ଅସଂଖ୍ୟ ସୁନେଲି ସ୍ୱପ୍ନ ନେଇ କୁଆଁରୀ ଝିଅ ଚାହିଁ ରହିଥାଏ ।

‘ଭାଉଜ ତମେ କାନ୍ଦୁଛ ?’

ଚମକି ପଡ଼ିଲା ନନ୍ଦିତା । ତା ମନରେ ବେଦନା ଆଖିର ଲୁହରେ ପ୍ରକାଶ ଲଭିଛି ଜାଣି ବ୍ୟଥିତା ହେଲା ସେ । ସାହିର ସାନ ଝିଅଟି ତନୁ ସମ୍ପର୍କରେ ତାର ନଣନ୍ଦ ହେବ । ତାରି ମୁହଁକୁ ଚାହିଁ ଆଖି ଛଳ ଛଳ ହୋଇ ଉଠୁଛି ତାର ।

‘କାନ୍ଦୁଛ ମଁ, ମୁଣ୍ଡଟା ଭାରି ବିନ୍ଧୁଛି ଯେ, ବଡ଼ କଷ୍ଟ ହେଉଛି ।’

‘କାହିଁ ଦେଖେଁ ?’

ମୁଣ୍ଡରେ ହାତ ମାରିଲା ତନୁ । ତମକୁ ତ ଏତେ ଜର, ହାତ ପୋଡ଼ି ଯାଉଛି । ମୁଁ ପାଣି ପଟି ଦିଏଁ ।’

ନାଁ ଥାଉ ତମେ ବ୍ୟସ୍ତ ହୁଅନି । ସେ ମନକୁ କମିଯିବ ଯେ ।’

‘ନାଁ, ନାଁ, ଏ ଖରାବେଳେ ଏତେ ତାତି । ପାଣିପଟି ନ ଦେଲେ କମିବନି । ଲୁସି ଅପା କାହିଁ କି ? ତମକୁ ଏତେ ଜର କୁଆଡ଼େ ଗଲା ସେ ? ମୁଁ ଡାକେ ତାକୁ ।’

ତନୁ ମୁହଁରେ ହାତ ଦେଲା ନନ୍ଦିତା ।

‘ମୋ ସୁନା ଭଉଣୀ ପରା ଡାକନି ତାଙ୍କୁ । କୋଉଠି ଥିବେ । ବଳେ ଆସିବେ ଯେ ।’

ମୁଣ୍ଡରେ ପାଣି ପଟି ଦେଲା ତନୁ । ଆଖି ବୁଜି ପଡ଼ିଥାଏ ନନ୍ଦିତା । ପାଖ ଘରେ ଲୁସି ଓ ତାର ସାଥି ନୀନା ଆସି ଗପ କରିବାକୁ ଆରମ୍ଭ କଲେ । କିଛି ସମୟ ପରେ ନୀନା ପଚାରିଲା, ‘ଭାଉଜ କାହିଁ ଦିଶୁନାହାଁନ୍ତି, ଲୁସି ! କୁଆଡ଼େ ଗଲେ କି ?’

‘କୁଆଡ଼େ ଆଉ ଯିବେ । ଟିକିଏ ଜର ହେଉଛି ଯେ ରାଣୀ ଆଜି ଖଟ ଛାଡ଼ୁନାହାଁନ୍ତି । ସକାଳୁ ମଣିଷ ଖଟି ଖଟତ ମଲାଣି । ଏ ଘରେ ଯାହାଙ୍କର ସବୁ ମୁଣ୍ଡକୁ ନବା କଥା ସେ ଆମର ତଳକୁ ଓହ୍ଲେଇବେ ନାହିଁ । ମା ଯେତେବେଳେ ନାହିଁ ଆମେ ତ ଚାକରାଣୀ ହବା କଥା ।’

 

‘କାହିଁ ଭାଉଜ କଣ କିଛି କରନ୍ତି ନି ?’

 

‘ନାଁ ସେ କାହିଁକି କରିବେ ? ବଡ଼ ଘରୁ ଅଲିଅଳି ଝିଅ ଆସିଛନ୍ତି, କାମ କରି ପାରିବେ କେଉଁଠୁ ? ଆମର ଏମିତି ଦେହର କେତେ ଜର ବିତିଛି । କିଏ ଟିକିଏ ଜରରେ ଏମିତି ଶୁଏ । ବୁଝିଲ ନୀନା, ବଡ଼ଲୋକ ଘରୁ ଝିଅ କେବେ ଆସିବନି । ସେମାନେ କେବେ କଥାରେ ରହିବେନି ।’

 

ନନ୍ଦିତା କାନରେ ପଡ଼ିଥିଲା ଦୁଇବନ୍ଧୁଙ୍କର କଥୋପକଥନ । ଅକୁହା ବେଦନାରେ ଓଠ ତାର ଥରି ଉଠିଥିଲା । ଆଖିରୁ ଧାର ଧାର ଲୁହ ଗଣ୍ଡବାହି ବହି ଆସିଥିଲା । ନନ୍ଦିତାର ଦୁଃଖ ତନୁ ନଜରକୁ ଏଡ଼ିପାରି ନଥିଲା ।

 

Unknown

‘ଲାସିଆପାଟା ବଡ଼ ଖରାପ ଝିଅଟାଏ ନାଁ ?’

 

‘ନାଁ, ସେ କାହିଁକି ଖରାପ ହେବେ ମୋ ଭାଗ୍ୟଟା ଖରାପ ତନୁ । ମୁଁ ପୂର୍ବଜନ୍ମ ପାପର ଫଳ ଭୋଗୁଛି ।’

 

‘ସେ ସବୁ ବଡ଼ ବଡ଼ କଥା କହନା । ଏତେ ମିଛ କଥା କେମିତି ସେ କହିପାରୁଛି ଖାଲି ସେଇୟା ମୁଁ ଭାବୁଛି । ବଡ଼ଲୋକ ଘର ଝିଅ ବୋଲି କୋଉ କଥା ତମେ ଆଉ ନ କରୁଛ ? ସେ ସିନା ଦେଖିନି, ମୁଁ ତ ଆରଥର ଯାଇ ତମ ଘର ଦେଖି ଆସିଛି । ସତରେ ତ ବଡ଼ଲୋକ ଘର । ଖାଲି ସଞ୍ଜୁଭାଇଙ୍କ ଯୋଗୁଁ ମଉସା ଏଠି ତମକୁ ଦବା କଥା । ନହେଲେ ୟାଙ୍କର କଣ ଅଛି ? ତମକୁ କାହିଁକି ସେ ଦେଇଥାନ୍ତେ ଏଠି ?’

 

‘ଛିଃ ! ସେମିତି କହନ୍ତିନି ତନୁ । ମୁଁ ତ ବର୍ତ୍ତମାନ ବଡ଼ଲୋକ ଘରର ଝିଅ ହୋଇ ନାହିଁ ଆଉ ? ବର୍ତ୍ତମାନ ମୁଁ ବହିଦାର ଘରର ବୋହୁ । ବାପଘରର ବଡ଼ପଣକୁ ନେଇ ଗର୍ବ କରିବାର ପ୍ରବୃତ୍ତି ଶାଶୁଘରକୁ ଆସିଥିବା ଝିଅର ରହିବା ଅସୁନ୍ଦର । ସବୁ ବଡ଼ଲୋକ, ସବୁ ଅଲିଅଳପଣ ବାପଘରୁ ଗୋଡ଼ କାଢ଼ିବା ସାଙ୍ଗେ ସାଙ୍ଗେ ସେଇଠି ପଛରେ ପଡ଼ି ରହେ ତନୁ । ଶାଶୁଘରର ସମସ୍ତ ପରିବେଶକୁ ଆପଣାର କରିବାକୁ ହୁଏ ବୋହୁକୁ । କହିଲ, ମୁଁ କଣ ସେଥିରେ କେବେ ଅବହେଳା କରିଛି ? କେବେ କଣ ମୋ ଭାବଭଙ୍ଗୀରେ ରାୟ ଘରର ଆଭିଜାତ୍ୟ ପ୍ରକାଶ କରିବାର ଦୁଃସାହାସ ମୁଁ କରିଛି ? ତେବେ କାହିଁକି ମୋ ପ୍ରତି ଏ ଆକ୍ଷେପ ତନୁ ? ବଡ଼ଘରର ଝିଅ ହବାଟା ମୋର କଣ ଅପରାଧ ?’

 

‘‘ତମେ ବୁଝିପାରୁନ କି ଭାଉଜ ଏମାନଙ୍କ ମନ ଭିତରେ ସବୁବେଳେ ତମଘର ପ୍ରତି ଆନ୍ତରିକ ଇର୍ଷା ଭାବଟା ପ୍ରଚ୍ଛନ୍ନ ହୋଇ ରହିଛି । କାଳେ ତମେ କେତେବେଳେ ସେମାନଙ୍କ ଦାରିଦ୍ର୍ୟକୁ ଉପହାସ କରିବ ସେଇଥିପାଇଁ ସେମାନେ ଆଗରୁ ଏମିତି ଭାବ ଦେଖେଇବେ ଯାହାଫଳରେ ବି ତମର ଅହଂଭାବ କୌଣସି ଦିନ ଏଠି ପ୍ରକାଶ ପାଇପାରିବ ନାହିଁ ।

 

‘କିନ୍ତୁ କାହିଁକି ତନୁ ? କାହିଁକି ଏ ଅହେତୁକୀ ଆଶଙ୍କା ? ପ୍ରକାଶ କରିବା ଦୂରେ ଥାଉ ମୋ ମନରେ ତ କେବେ ଏ ଧରଣର ଭାବ ସ୍ଥାନ ପାଇନି । ଏ ଘରେ ପାଦ ଦେଲା ଦିନୁ ଏ ଘରର ପରିବେଶକୁ ଆପଣାର କରିବାରେ କେବେ ତ ତ୍ରୃଟି କରିନି ମୁଁ ? ତେବେ ମୋ ପ୍ରତି ସାଧାରଣ ସୌଜନ୍ୟତାର ମଧ୍ୟ ଏତେ ଅଭାବ କାହିଁକି ଏମାନଙ୍କର ?’

 

‘ତମେ କାହିଁକି ଏ ସବୁ ଆଶା କରୁଛ ୟାଙ୍କଠୁଁ ? ସେମାନଙ୍କର ଏଇ ଉଗ୍ରସ୍ୱଭାବ ନେଇ ଆମ ସାହିରେ ସମସ୍ତେ ବିତଶ୍ରଦ୍ଧ ଏମାନଙ୍କ ପ୍ରତି । ପିଲାଦିନରୁ ଖୁଡ଼ି ଚାଲି ଯାଇଛନ୍ତି ନାଁ ସେଥିପାଇଁ କେବଳ ସମସ୍ତଙ୍କର ସହାନୁଭୂତି ଥାଏ । ତମ ପରି ଭାଉଜ ଆମର ଥିଲେ ଆମେ କେତେ ଆନନ୍ଦିତ ହଉଥାନ୍ତୁ । ଅଥଚ ଏମାନଙ୍କର କି ହିଂସାଭାବ ?’

 

‘ଛାଡ଼ ତନୁ । ତମର ନାହିଁ ବୋଲି ତମେ ଆଜି ଏ କଥା କହୁଛ । ତମର ମୋ ପରି ଖରାପ ଭାଉଜଟାଏ ଥିଲେ ତମେ ହୁଏତ ଏମାନଙ୍କ ପରି ମୋ ଦୁର୍ଗୁଣରେ ଅତିଷ୍ଠ ହୋଇ ଉଠନ୍ତଣି-।’

 

ତିନିମାସ ଅଧର ଉପକୂଳରେ ଅବିଶ୍ୱାସର ହସ ଲହରୀ ମଥା ପିଟିଥିଲା ।

 

ନନ୍ଦିତା ଭାବୁଥିଲା ଶୋଇ ଶୋଇ । କେବେ ତାର ଏ ଦୁଃଖର କଳାରାତି ଅବସାନ ହେବ ? କେବେ ପାହାନ୍ତାର କୁହେଳି ଫଟାଇ ଆଶା ଆଶ୍ୱାସନାର ନାଲି ସୂର୍ଯ୍ୟ ପ୍ରକାଶ ଲଭିବ ? ସେ ଦିନ ଆଉ କେତେ ଦୂରରେ ?

 

ରାତ୍ରର ଅନ୍ଧକାର ନିର୍ବାପିତ । ଆକାଶରେ ଟୋପାଏ ହେଲେ ସେ ତରଳ ଅନ୍ଧକାରର ଦାଗ ନାହିଁ । ପ୍ରତ୍ୟୁଷ ଆସୁଛି ଲଜ୍ଜ୍ୟା ନମ୍ର ଗ୍ରାମ୍ୟ ବଧୂ ଭଳି ଛନ୍ଦାୟିତ ମନ୍ଥର ଗତିରେ । ନନ୍ଦିତା ନୟନ ମୂଦ୍ରିତ କଲା । କି ଏକ ସ୍ନିଗ୍‌ଧତାର ଆବେଗରେ ନୟନ ମନ ତାର ଆଚ୍ଛନ୍ନ ହେଲା ପରି ଲାଗିଲା । ଗତ ରାତ୍ରିରେ ଜଡ଼ତା ଅବଶ ଭାବ ଏ କମନୀୟ ପ୍ରତ୍ୟୁଷ ତା ଦେହରୁ ଓ ମନରୁ ଅପହରଣ କରି ନେଇଛି । ରୋଗ କ୍ଲିଷ୍ଟ ଶରୀରକୁ ତାର ଏ ପ୍ରଭାତ ଫୁଲ ପରି ହାଲୁକା କରି ଦେଇଛି । ନୟନ ମେଲିଲା ସେ । ଆକାଶରେ ଊଷାରୁଣର ଲାଲିମା । ତାକୁ ଲାଗିଲା ଯେମିତି ବହୁତ ଦିନରୁ ଊଷାକାଶର ଏ ବର୍ଣ୍ଣବିଭବ ସେ ଦେଖିନି । ଏତେ କମନୀୟ ଏ ବର୍ଣ୍ଣବିନ୍ୟାସ । ତାକୁ ଅନେକ ସମୟ ଯାଏ ଆଚ୍ଛନ୍ନ କରି ରଖିଲା ।

 

ପାଖରେ ଶୋଇ ଯାଇଛି ସଙ୍ଗୀତା । ଟିକି ଟିକି ଓଠରେ ତାର ଏବେ ବି ରାତ୍ରି ଶେଷ ସ୍ୱପ୍ନର ମଧୁର ସ୍ପର୍ଶ ଲାଗି ରହିଛି । ରହି ରହି ଥରି ଉଠୁଛି ନରମ ଲାଲି ଅଧର ତାର ହସର ସ୍ପର୍ଶରେ-। ମୁହଁଟି ତାର ପ୍ରଭାତର ଶ୍ୱେତପଦ୍ମ ପରି ଢଳଢ଼ଳ ଛଳଛଳ ଏଇ ତାର କନ୍ୟା । ପର ସୁଖୀ ଦାମ୍ପତ୍ୟ ଜୀବନର ପ୍ରତୀକ । ଆଉ ମିଳନର ସେତୁବନ୍ଧ । ନନ୍ଦିତାର ମନେହେଲା ଦିନକୁ ଦିନ ଯେପରି ସଙ୍ଗୀତାର ଅବୟବରେ ସଞ୍ଜୟର ସାଦୃଶ୍ୟ ସ୍ପଷ୍ଟ ହୋଇଉଠୁଛି । ମୁହଁରେ ତାର ଅକାରଣରେ ହସ ମଣ୍ଡି ହୋଇଗଲା । ସଞ୍ଜୟ ଏଥର ଆସିଲେ ତାକୁ ଭଲଭାବେ ବୁଝାଇ ଦେବ ସଙ୍ଗୀତା ଏକାନ୍ତ ଭାବେ ସଞ୍ଜୟର ହିଁ ଆକୃତି ନେଇ ଆସିଛି । ଆଉ ସଞ୍ଜୟ ଚାହିଁଲେ ମଧ୍ୟ ଝିଅଠାରେ ନନ୍ଦିତାର ଅସ୍ତିତ୍ୱକୁ ଖୋଜି ପାଇବ ନାହିଁ ।

 

ହଠାତ୍‌ ସଞ୍ଜୟ କଥା ମନେପଡ଼ି ମନଟା ବିଷଣ୍ଣ ହୋଇ ଉଠିଲା ତାର । ଅନେକ ଦିନ ହେଲାଣି ଚିଠି ପାଇନି ସେ ତାଠୁଁ । ନିଜ ଶରୀରର ଅସୁସ୍ଥତାରେ ସେ ମଧ୍ୟ ଆଉ ତାକୁ ଚିଠି ଖଣ୍ଡେ ଦେଇ ପାରିନି । ଏ ଘରୁ ମଧ୍ୟ କେହି ଯେ ତା ଦେହ ବିଷୟ ଲେଖି ସଞ୍ଜୟକୁ ଚିଠି ଖଣ୍ଡେ ଦେଇଥିବେ ସେ ସମ୍ଭାବନା ନାହିଁ । ନିଜର ଶାରିରୀକ ଅସୁସ୍ଥତାରେ ଏ ଘରର ଚରମ ଉଦାସୀନତା ମଧ୍ୟରେ ସଞ୍ଜୟର ଚିଠି ଖଣ୍ଡକ ହିଁ ତା ମନରେ ଆଣି ଦେଇଥାନ୍ତା ସହାନୁଭୂତି ଆଉ ସମବେଦନାର ସ୍ପର୍ଶ । କିନ୍ତୁ ସେତକ ଆଧ୍ୟ ଆଜି ଅଲଭ୍ୟ ।

 

ନନ୍ଦିତାର ଆଖି ଆଗରେ ଛାଡ଼ି ଯାଇଥିବା ଅତୀତର ଅସୁସ୍ଥ ଦିନଗୁଡ଼ିକ ମୂର୍ତ୍ତିମନ୍ତ ହୋଇ ଉଭାହେଲେ । ବାପାଙ୍କ ଉଦ୍‌ବେଗ ଓ ବୋଉର ବ୍ୟାକୁଳତା ତାର ଶରୀରର ସମସ୍ତ ଯନ୍ତ୍ରଣା ମଧ୍ୟରେ ମଧ୍ୟ ପ୍ରଶାନ୍ତିର ପ୍ରଲେପ ଆଣିଦେଉଥିଲା ଉତ୍ତପ୍ତ ମନରେ ଆଉ ପ୍ରାଣରେ ଯାହାକୁ ପାଇ ସେ ଅନେକ ସମୟରେ ତାର ରୋଗ ଯନ୍ତ୍ରଣା ମଧ୍ୟ ଭୁଲି ପାରୁଥିଲା । କିନ୍ତୁ ଆଜି ରୋଗର ଶାରିରୀକ ଦହନଠାରୁ ଅନୁଶୋଚନାର ମାନସିକ ଦହନ ତା ପକ୍ଷରେ ଅସହ୍ୟ ହୋଇଛି । ଏଇ ଦହନରେ ତାର ବର୍ତ୍ତମାନ ବିଦଗ୍‌ଧ ଓ ଭବିଷ୍ୟତ ଆତଙ୍କିତ । ଏ ଜୀବନରେ ସ୍ୱପ୍ନ ନାହିଁ—ଭାବପ୍ରବଣତା ନାହିଁ—ଅଛି ଖାଲି ତିକ୍ତ ଅଭିଜ୍ଞତାର ସ୍ପର୍ଶ, ସ୍ୱାର୍ଥପରତାରେ କଳୁଷିତ । ଏଇ ଅଭିଜ୍ଞତା ତାର ଅଶ୍ରୁରେ ଲବଣାକ୍ତ ।

 

ଆଜି ହୁଏତ ସଞ୍ଜୟଠାରୁ ଚିଠି ଆସିପାରେ । ସେଥିରେ ନିଶ୍ଚୟ ଥିବ ଦୀର୍ଘଦିନ ଚିଠି ନ ଦେଇ ପାରିବାର ଯୌକ୍ତିକ କୈଫିୟତ । କିନ୍ତୁ ସେତିକିରେ କଣ ତାକୁ ଦହନରୁ ମୁକ୍ତି ମିଳିବ ? ଜୀବନ ସଂଗ୍ରାମରେ ସେ ଆଜି ଶୋଚନୀୟଭାବେ ପରାଜିତା । ଏ ପରିବାରର ସଂକୀର୍ଣ୍ଣତା ଆଉ ସ୍ୱାର୍ଥପରତାର ବିଷ ତାର ଦେହ ଓ ମନକୁ ଧୀରେ ଧୀରେ ନିସ୍ତେଜ କରି ଦେଉଛି । କେତେ ଦିନ ଆଉ ସେ ତାର କ୍ଷୟିଷ୍ଣୁ ଜୀବନଶକ୍ତିକୁ ଉଜ୍ଜୀବିତ କରି ରଖିପାରିବ ? ଜୀବନ ସେ ଚାହୁଁଥିଲା କିନ୍ତୁ ଦହନ ହୁହେଁ । ସେ ଜୀବନରେ ନଥାଉ ପଛେ ସୁଖ, ସମ୍ଭୋଗ ଆଉ ବିଳାସିତାର ପ୍ରାଚୁର୍ଯ୍ୟ କିନ୍ତୁ ସ୍ନେହ, ସହାନୁଭୂତି ଓ ପ୍ରାଣର ପ୍ରାଚୁର୍ଯ୍ୟରେ ଉଦ୍‌ଭାସିତ ଏକ ସୁଖୀ ଜୀବନର ପରିକଳ୍ପନା କରି ସେ ଏମିତି କି ଅପରାଧ କରିଥିଲା ? ଯାହାର ପ୍ରାୟଶ୍ଚିତ ତାକୁ ଜୀବନର ସମସ୍ତ ମୂଲ୍ୟ ଦେଇ ଆଜି କରିବାକୁ ହେଉଛି । ଜୀବନ ତାର ଏମିତି କେତେ ବନ୍ଧୁର ପଥରେ ଅଗ୍ରସର ହେବ କଳ୍ପନା ସେ କରିପାରୁନି । ସହିବା ପାଇଁ ଯେତକ ଶକ୍ତି ଦରକାର ସେତକ ଆହରଣ କରିବାକୁ ସେ ପୁଣି ଆଜି ନୂଆ କରି ପଣ କଲା । ସେଥିପାଇଁ ତାର ଆହୁରି ତ୍ୟାଗ ଆହୁରି ସାଧନା ପ୍ରୟୋଜନ । ଏଇ ସଂକଳ୍ପ ତାର ଅବସାଦଗ୍ରସ୍ତ ମନକୁ ସତେଜ କରି ଦେଲା ହଠାତ୍‌ । ନୂତନ ସଂକଳ୍ପ ଆଣିଦେଲା ତାର ନୟନ ଉପକୂଳରେ ଆଲୋକର ନିର୍ଝର ଧାରା । ନୂତନ ଜୀବନର ଆଲୋକରେ ସେ ଉଦ୍‌ଭାସିତ ହୋଇଉଠିଲା, ଉଦ୍‌ବେଳିତ ହୋଇଉଠିଲା । ଆଘାତ, ଅପମାନର ଗରଳକୁ ସେ ତାର ବ୍ୟକ୍ତିଗତ ତ୍ୟାଗରେ ଅମୃତରେ ପରିଣତ କରିଦବ । ଏ ଘରର ସବୁକୁ ପୁଣି ନୂତନ ଭାବେ ଆପଣାର କରି ସବୁରି ମୁହଁରେ ହସ ଫୁଟାଇବାକୁ ଆପ୍ରାଣ ଚେଷ୍ଟା କରିବ ସେ । ଅମୃତର ମଧୁର ଆସ୍ୱାଦନାରେ ତାର ହୃଦୟ ମନ ଭରି ଉଠିଲା । ନୟନର ସେ ଜ୍ୟୋତି ତାର ଆଉ କୌଣସି ଆଘାତରେ ମଳିନ ହେବ ନାହିଁ ।

 

ଲୁସିର ପଦ ଶବ୍ଦରେ ଦୃଷ୍ଟି ଉତ୍ତୋଳନ କଲା ନନ୍ଦିତା । ମୃଦୁହସର ତରଙ୍ଗରେ ତା ଅଧରର ବେଳାଭୂମି ଉଛୁଳି ଉଠିଲା । କିନ୍ତୁ ଲୁସିର ମେଘାଚ୍ଛନ୍ନ ମୁହଁ ଦେଖି ତାର ଅଧର ଉପକୂଳରେ ହସର ତରଙ୍ଗ ଧୀରେ ମିଳାଇ ଗଲା । ସେ ଶଙ୍କିତା ହେଲା । ପ୍ରଶ୍ନିଳ ଦୃଷ୍ଟିରେ ସେ ଲୁସି ମୁହଁକୁ ଚାହିଁ ରହିଲା ।

 

ଲୁସି ହାତର ବହିଟା ତଳକୁ ଫୋପାଡ଼ି ଦେଲା । ‘ଧେତ୍‌ ଏ ଘରେ ମଣିଷ ମରିବ ସିନା ଟିକିଏ ଶାନ୍ତି ପାଇବନି । କିଏ ଏତେ ରାତି ଦିନ ଏ ଘରର ଜଞ୍ଜାଳ କରୁଥିବ । ଝିଅଟାଏ ମୁଁ ଜନ୍ମ ହେଇଥିଲି କଣ ସବୁଦିନ ପାଇଁ ଏ ଘରର ଜଞ୍ଜାଳ ମୁଣ୍ଡେଇ ବସିବାକୁ । ଯାହାର କରିବା କଥା ସବୁ ସେ ଏ ଘରେ କୁଣିଆ । ଆଉ ମା ଯେତେବେଳେ ମରିଛି ସବୁ ବୋଝଯାକ ମରିବା ଯାଏ ତ ମୁଣ୍ଡାଇବି ମୁଁ ।’

 

ଶଙ୍କିତା ହେଲା ନନ୍ଦିତା ଜୋର କରି ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରି ଉତ୍ତର ଦେଲା ‘‘କାହିଁକି ସକାଳୁ ବିଗିଡ଼ୁଛ ? ମୁଁ ଆଜି ଉଠିଲିଣି । ତମେ ବ୍ୟସ୍ତ ହୁଅନି । ମୁଁ ସିନା ପଡ଼ିଥିଲି ବୋଲି ତମେ ହଇରାଣ ହେଉଥିଲ ।’’

 

‘‘ମୁଁ ତ ତମକୁ କିଛି କହୁନି । ତମେ କଣ ସବୁଦିନ ଏଠି ରହି ଏ ଘରର ଘରକରଣା ସମ୍ଭାଳ ? ସବୁ ଭାର ତ ମୋ ମୁଣ୍ଡରେ ଦେଇ ବୋଉ ନିଶ୍ଚିତରେ ଶୋଇଲା । କାହାକୁ ମୁଁ ଦୋଷ ଦେବି ଏଥିରେ ।’’

 

ସ୍ତବ୍‌ଧ ହେଲା ନନ୍ଦିତା । ଲୁସି କଣ୍ଠର ଶାଣିତ ଛୁରୀରେ ତାର ଦୁର୍ବଳ ହୃଦୟ ମନ ରକ୍ତାକ୍ତ ହୋଇ ଉଠିଲା । କ୍ଷଣିକ ଆଗର ସଂକଳ୍ପ କଥା ଭାବି ଆଖିରୁ ତାର ବେଦନାର ବାରୀ ଝରିଲା । ଆତ୍ମପ୍ରତ୍ୟୟର ବନ୍ଧନ ତାର ଶିଥିଳ ହେଲା । ସେ କଣ ଏ ପରିବେଶରେ ସତେ ତାର ସଂକଳ୍ପକୁ ପୁରା କରି ପାରିବ ? ବିଷର ଏ ବାରିଧାରାରେ ଅବଗାହନ କରି କଣ ସେ ଏ ସଂସାରରେ ଅମୃତ ସିଞ୍ଚନ କରି ପାରିବ ? କାନ୍ଥରେ ଟଙ୍ଗା ହୋଇଥିବା ସଞ୍ଜୟର ବଡ଼ ଫଟକୁ ପଚାରିଲା ଆଖିରେ ଚାହିଁରହିଲା ନନ୍ଦିତା । ସେ ଫଟ ମୁହଁର ଆତ୍ମପ୍ରତ୍ୟୟର ଦୃଢ଼ ଭଙ୍ଗୀରୁ ଶକ୍ତି ଆହରଣ କରିବାକୁ ଚେଷ୍ଟା କଲା ସେ । ଭଙ୍ଗାମନ ତାର ପାରିଲାନି । କ୍ଷଣିକ ଆଗରୁ ସତେଜ ହୋଇଉଠିଥିବା ଅଙ୍ଗଲତା ଗଭୀର କ୍ଲାନ୍ତିର ଭାରାରେ ନଇଁ ଆସିଲା । ଉଠିବାକୁ ଚେଷ୍ଟା କରି ମଧ୍ୟ ଆଉ ସେ ପାରିଲାନି ।

 

କେତେବେଳେ ଯାଏ ସେ ସେମିତି ଆଚ୍ଛନ୍ନ ରହିଲା ତାର ଖିଆଲ ନାହିଁ । ଲୁସିର ଡାକରେ ନୟନ ମେଲିଲା ନନ୍ଦିତା ।

 

‘‘ନୂଆବୋହୁ ଭାଇ ଆସିଲେଣି ।’’ ଲୁସିର ହସ ହସ ମୁହଁ ତା ମନରେ ବିସ୍ମୟ ସୃଷ୍ଟି କଲା । କ୍ଷଣିକ ପୂର୍ବର ସେ ମେଘ ମେଦୁର ଆକାଶର ଚିହ୍ନ ପର୍ଯ୍ୟନ୍ତ ନାହିଁ ଲୁସି ମୁହଁର ରେଖାରେ । ହଠାତ୍‌ ଏ ପରିବର୍ତ୍ତନ କେମିତି ସମ୍ଭବିଲା ?’’

 

ହସି ହସି ଘରକୁ ପଶି ଆଶିଲା ସଞ୍ଜୟ । ବୁଝିଲ ନନ୍ଦା ତମକୁ ଅଚାନକ ଚମକେଇ ଦେବି ବୋଲି କିଛି ଖବର ନଦେଇ କେମିତି ଚାଲି ଆସିଲ ଦେଖିଲ ?

 

ନନ୍ଦିତାର ଦୁର୍ବଳ ଶରୀର ସଞ୍ଜୟ ମୁହଁର ସମସ୍ତ ସରସତାକୁ ଲିଭେଇ ଦେଲା । କ୍ଷଣିକ ପୂର୍ବର ହାସ୍ୟୋଜ୍ଜ୍ୱଳ ମୁହଁରେ ତାର ଫୁଟି ଉଠିଲା ଯୁଗପତ୍‌ ବିସ୍ମୟ ଓ ବେଦନାର ଅଭିବ୍ୟକ୍ତି । ‘‘କଣ ହେଇଛି ତମର ନନ୍ଦା, ଏମିତି କଣ ଦିଶୁଛ ?’’ ‘‘କିଛି ନାହିଁ ମୁଁ ଟିକିଏ ଜର ହୋଇଥିଲା । ବ୍ୟସ୍ତ କାହିଁକି ହଉଛ । ଆଜି ତ ଭଲ ହୋଇଗଲଣି ।’’

 

ନାହିଁ ଭାଇ ବହୁତ ଜର ହୋଇଥିଲା ନୂଆବୋହୁଙ୍କୁ ଆଠଦିନ ହେଲା ରେମିଶନ ହେଉ ନଥିଲା । ଆଜି ଓହ୍ଲେଇଛି ସକାଳୁ ।

 

ସଞ୍ଜୟ ମୁହଁରେ ବିରକ୍ତିର ଆଭାଷ । ମତେ କାହିଁକି ଚିଠି କେହି ଦେଇନଥିଲ ? ଏତେ ଲୋକ ଅଛ ନୂଆବୋହୂ ଦେହ ଖରାପ ମତେ ଜଣେଇଲ ନାହିଁ ଏ ପର୍ଯ୍ୟନ୍ତ । କି ଅସମ୍ଭବ ଘର ଏ ମୁଁ ତ ବୁଝିପାରୁନି ।

 

ଲୁସି ମୁହଁ ସଞ୍ଜୟର ଏ କଟୁକ୍ତିରେ ଶୁଖିଗଲା । ମୁଖର ରେଖାରେ ବିରକ୍ତିର କଠିନ ଭଙ୍ଗୀପ୍ରକାଶ ପାଇଲା ।

ଶଙ୍କିତା ହେଲା ନନ୍ଦିତା । ସେ ଭଲ ଭାବେ ଜାଣେ ସଞ୍ଜୟର ଏ ଉକ୍ତିର ପ୍ରତିକ୍ରିୟା ଯାହା ସୃଷ୍ଟି ହେଲା ଲୁସି ମନରେ ସେ ଅଣୁ ପରମାଣୁ ହୋଇ ପ୍ରକାଶ ଲଭିବ ଲୁସିର ତା ପ୍ରତି ବ୍ୟବହାରରେ । ତାକୁ ନୀରବରେ ହଜମ କରିବାକୁ ହେବ ନନ୍ଦିତାକୁ ସଞ୍ଜୟର ଅନୁପସ୍ଥିତିରେ । ଆଉ ଉପାୟ ନାହିଁ ତାକୁ ରୋକିବାକୁ । ବହିଗଲା ପାଣି, ହୁଡ଼ିଗଲା କଥା ଆଉ ଉଜାଣି ଫେରେ ନାହିଁ । ଅବସ୍ଥା ସମ୍ଭାଳିବାକୁ ସେ ତତ୍ପର ହେଲା । ତା ମୁହଁରୁ କିଛି କଥା ଶୁଣିବା ପୂର୍ବରୁ ଲୁସି ସେ ଘରୁ ଅପସରି ଗଲା ।

ଏସବୁ ଆସୁ ଆସୁ ନ କହିଥିଲେ କଣ କ୍ଷତି ହୋଇଥାନ୍ତା ? କାହିଁକି ଜାଣି ଜାଣି ତା ମନରେ ଦୁଃଖ ଦେଲ ଅଯଥା ?

‘‘ଦୁଃଖ ହେଲେ ଭାସିଗଲା କଣ ? ଗୋଟାଏ ଲୋକ ବେମାରରେ ପଡ଼ି ଏତେ ଅବସ୍ଥା ହେଲାଣି । ଚିଠି ଖଣ୍ଡେ ଦବାକୁ ଏତେ କଷ୍ଟ ଲାଗିଗଲା ।’’

ଛିଃ ଥାଉ । ମୁଁ ତ ଭଲ ହେଇଗଲିଣି । ଅଯଥା ଏତେ ଉତ୍ତେଜିତ ହେଉଛ କାହିଁକି ? ନନ୍ଦିତା କଥାରେ କାନ ନ ଦେଇ ଟେବୁଲ ଉପରୁ ଔଷଧ କାଗଜଟା ଉଠାଇ ନେଇ ଦେଖିଲା ସଞ୍ଜୟ । ମୁହଁ ବିବର୍ଣ୍ଣ ହୋଇଉଠିଲା ତାର ।

ବୁଝିଲ ନନ୍ଦା ବହୁତ ଉପଦେଶ ତ ମୋ ପାଟି ବନ୍ଦ କରିବାକୁ ଦେଲ, ଚରମ ଅବହେଳାର ଏ ସ୍ୱାକ୍ଷର କେଉଁଠି ଲୁଚାଇବ ତୁମେ । ବିଂଶ ଶତାବ୍ଦୀର ଏ ବୈଜ୍ଞାନିକ ଯୁଗରେ ଶ୍ୟାମବାବୁଙ୍କର ଛଅ ନୂଆପଇସିଆ ଔଷଧ ଅଚଳ ହେଲାଣି । ଉପାୟହୀନ ଲୋକେ କେବଳ ଦଇବକୁ ନିର୍ଭର କଲାପରି ଏ ଔଷଧ ଉପରେ ଦୁର୍ବଳ ଭରସା କରିଥାନ୍ତି ମାତ୍ର ।

ସଞ୍ଜୟର ଏ ଆକ୍ଷେପରେ ତ୍ରସ୍ତା ହେଲା ନନ୍ଦିତା । ଏ କଟୁକ୍ତିର ପ୍ରତିକ୍ରିୟା ସଞ୍ଜୟର ଅନୁପସ୍ଥିତିରେ ନିଶ୍ଚତ ଝଡ଼ର ସୂଚନା ଦେଲା । ଆଉ ସେ ଅକାଳ ଝଡ଼ର ଘୂର୍ଣ୍ଣିବାତ୍ୟାରେ ପଡ଼ି ତାର ଧୈର୍ଯ୍ୟର ଜୀର୍ଣ୍ଣତରା ଉପରେ ସେ କେତେ ଦୂର ଭରସା ରଖିପାରିବ ସେଇ କଥା ଭାବି ଶଙ୍କିତା ହେଲା ସେ । କିନ୍ତୁ ପାଟିରୁ ଖସିଗଲା କଥାର ସଂଶୋଧନ ଆଉ ସମ୍ଭବ ନୁହେଁ । ତାକୁ ହିଁ ଏ ଭୁଲର ପ୍ରାୟଶ୍ଚିତ କରିବାକୁ ହେବ ମାନସିକ ଶାନ୍ତିର ମୂଲ୍ୟ ଦେଇ । ଉପାୟ ନାହିଁ ।

ଛାଡ଼ ସେ ସବୁ ଔଷଧରେ ତ ଭଲ ହେଇ ଗଲିଣି । ଆଉ ତାର ଗୁଣ ବାହୁନି, ଅଶାନ୍ତି ସୃଷ୍ଟିକରି ଲାଭ କଣ ?

ଆହତ ହେଲା ସଞ୍ଜୟ ।

ତମେ ସିନା ଖାଲି ଅଶାନ୍ତିକୁ ବଡ଼ କରି ଦେଖୁଛ । ମୁଁ ଆଉ ଏକୁଟିଆ ବଣ ଜଙ୍ଗଲରେ ଘୂରି ଏ ଯେଉଁ ପଇସା ରୋଜଗାର କରୁଛି ସେ ଖାଲି କଣ ପୂର୍ବଜନ୍ମର କଲା କର୍ମର ପ୍ରାୟଶ୍ଚିତ କରିବା ପାଇଁ ନାଁ ଏ ଜନ୍ମରେ କିଛି ସୁଖଶାନ୍ତି ପାଇବା ପାଇଁ । ତମର ଏ ଚେହେରା ଦେଖିବାକୁ କଣ ଏତେ ଖଟିବି ମୁଁ ?

ଖାଲି ମୋରି ପାଇଁ କଣ ଏକା ତମର କର୍ତ୍ତବ୍ୟ ଅଛି ? ପରିବାରର ସମୂହ କଲ୍ୟାଣ ଦୃଷ୍ଟିରେ ବ୍ୟକ୍ତଗତ ସୁଖ ସ୍ୱାଚ୍ଛନ୍ଦ୍ୟ କେତେ କ୍ଷୀଣ । ଛିଃ ଏଇ ସାମାନ୍ୟ କଥାରେ ଏତେ ବିଚଳିତ ହେବା ଶୋଭନୀୟ ନୁହେଁ । ବସ ଲୁଗାପଟା ବଦଳାଅ । ମୁଁ ତମର ଚା ଜଳଖିଆ ଆଣେ ।

 

ଝରକାର ପରଦା ଅନ୍ତରାଳରୁ ଲୁସିର ପଣତ ଅପସରି ଗଲା । ନିଶ୍ଚିତ ବିପର୍ଯ୍ୟୟ ଆଶଙ୍କାରେ ଆତଙ୍କିତ ହେଲା ନନ୍ଦିତା । ଲୁସି ସବୁ ଶୁଣିଛି ପରଦାର ଅନ୍ତରାଳରେ ରହି । ଆଉ କିଛି ବୁଝେଇ ହବନି ତାକୁ । ପରିସ୍ଥିତିର ସମ୍ମୁଖୀନ ହେବାକୁ ହିଁ ପଡ଼ିବ । ଧୀରେ ଧୀରେ ରୋଷେଇଘର ଆଡ଼କୁ ପାଦ ଚାଲିଲା ନନ୍ଦିତା ଆଉ ସଞ୍ଜୟକୁ ନ ଚାହିଁ-। ଗତ ସପ୍ତାହ ବ୍ୟାପି ଅସମ୍ଭବ ଉତ୍ତାପ ତା ଶରୀରରୁ ସମସ୍ତ ଜୀବନଶକ୍ତିକୁ ଅପହରଣ କରି ନେଲାପରି ଲାଗିଲା ତାକୁ । ଏ କ୍ଷୀଣ ଶକ୍ତି ଉପରେ ନିର୍ଭର କରି କିଛି କରିବାର ପ୍ରୟାସ କରିବା ବୃଥା । ତଥାପି କରିବାକୁ ହବ ତାକୁ । ଲୁସି ଉପରେ ଏତେ ଭାର ଛାଡ଼ିଦେବା ଅନ୍ୟାୟ ହବ । ଅବିବାହିତା ଝିଅ ଏ ସଂସାରର ଏତେ ଦାୟିତ୍ୱ ନବ ବା କାହିଁକି ? ଚୁଲୀ ପାଖେ ପହଞ୍ଚି ଲୁସିର କର୍ମତତ୍ପରତା ଦେଖି ନିଜକୁ ନିଃସହାୟ ମଣିଲା ନନ୍ଦିତା । ଆଉ ଯେ ଲୁସି ହାତରୁ ନେଇ ସେ କିଛି କାମ କରିପାରିବ ସେ ବିଶ୍ୱାସ ତାର ହେଲା ନାହିଁ-। କାରଣ ଲୁସି ଥରେ କାମ କରିବାକୁ ବସିଲେ ଆଉ କାହାକୁ ସେଠାରେ ପ୍ରବେଶ କରିବାର ସୁଯୋଗ ଦବନାହିଁ । ତଥାପି ନିଜେ କରିବାର ଚେଷ୍ଟାରେ ଲାଗିଗଲା ସେ । ଆଷାଢ଼ର ଗମ୍ଭୀର ଆକାଶ ଭଳି ଗାମ୍ଭୀର୍ଯ୍ୟରେ ଲୁସି ମୁହଁଟା ଗୁମ୍‌ ମାରି ରହିଥିଲା ।

 

ମୁହଁରେ ଫିକା ହସ ଟାଣି ନନ୍ଦିତା ଲୁସିକୁ ବୁଝେଇବାକୁ ଚେଷ୍ଟା କଲା । ‘‘ଉଠ ଲୁସି ମୁଁ କରି ଦଉଛି ।’’

 

‘‘କଣ ଦରକାର ତମର ? ମୋ ଦେହରେ କଣ ଶକ୍ତିର ଅଭାବ ହୋଇଛି । ନିଆଁ ପାଖକୁ ଆସିବା କିଛି ଦରକାର ନାହିଁ । ଭାଇ ବିରକ୍ତ ହେବେ ପୁଣି ।’’

 

‘ତାଙ୍କ କଥା କାହିଁକି ଶୁଣୁଛ ତମେ ? ସେ ସଂସାରର କେତେ ବା ବୁଝନ୍ତି । ଯାହା ଯେତେବେଳେ ମୁଣ୍ଡରେ ପଶିଲା କହିଦିଅନ୍ତି । ତମେ ତାଙ୍କ କଥା ଧରୁଛ କାହିଁକି ?’

 

‘ମୁଁ କାହାରି କଥା ଧରୁନି । ମୋ କାମ ମୁଁ କରୁଛି । ଆଉ କଥା ବଢ଼େଇବା ନିଷ୍ପ୍ରୟୋଜନ-।’

 

ନନ୍ଦିତା ନୟନ ଉପକୂଳରେ ଅଶ୍ରୁର ବନ୍ୟା ଦେଖାଦେଲା । ଲୁସିର ରୁକ୍ଷ ଅତି ବାସ୍ତବ ଅଭିବ୍ୟକ୍ତିରେ । ସେ କେତେ ସଙ୍କୁଚିତ ମନେକରୁଥିଲା ନିଜକୁ ସଞ୍ଜୟର ଲୁସି ପ୍ରତି ଆକ୍ଷେପରେ । ଲୁସିର ମନ ଭୁଲେଇବାକୁ କେତେ ଆଶା କରି ସେ ଆସିଥିଲା । କିନ୍ତୁ ଲୁସି ମନରେ ତା ପ୍ରତି ଯେଉଁ ଅସୂୟାଭାବ ପ୍ରଚ୍ଛନ୍ନ ରହିଛି ତାକୁ ସେ କିଛି ଦେଇ ମଧ୍ୟ ପରିବର୍ତ୍ତନ କରି ପାରିବନି । ସେ ଅପଚେଷ୍ଟାର ପ୍ରତିଦାନରେ କେବଳ ଆଘାତ ପାଇ ହୃଦୟ ମନ ତାର ରକ୍ତାକ୍ତ ହେବ ସିନା କିନ୍ତୁ ପ୍ରତିଆଘାତ ସେ ଦେଇ ପାରିବନି । ଏଇ ତାର ଆନ୍ତରିକତାର ପ୍ରତିଦାନ । ଉଦ୍‌ଗତ ଅଶ୍ରୁକୁ ଚାପି ଫେରି ଆସିଲା ନନ୍ଦିତା । ସଞ୍ଜୟର ଚା ଜଳଖିଆ ପରେ ଲୁସି ଆଣି ନନ୍ଦିତାକୁ ତା ଶୟନ କକ୍ଷରେ ଜଳଖିଆ ଦେଲା । ବଡ଼ ସଙ୍କୁଚିତ ଲାଗିଲା ନନ୍ଦିତାକୁ । ବ୍ୟସ୍ତ ହୋଇ ଉଠିଲା ସେ ।

 

ନାଁ, ନାଁ, ଏ କଣ ମୋ ଜଳଖିଆ ଏଠିକି କାହିଁକି ଆଣିଲ ? ଚାଲ ମୁଁ ଯିବି ରୋଷେଇଘରକୁ ସାଥୀ ହୋଇ ଖାଇବା ।

 

ତମେ ଅଯଥା କାହିଁକି ଯିବ । ତମ ଦେହ ଭଲ ନାହିଁ । ତମେ ବରଂ ଏଇ ଘରେ ଥାଅ । ଭାଇଙ୍କର କଣ ଦରକାର ବୁଝ । ଲୁସି ମୁହଁରେ ହସ ।

 

ବିସ୍ମୟରେ ନୟନ ବିସ୍ଫୋରିତ ହେଲା ନନ୍ଦିତାର । ଲୁସିର ଏ ଆକସ୍ମିକ ପରିବର୍ତ୍ତନର ପ୍ରହେଳିକା ଭେଦ କରିବାକୁ ଚେଷ୍ଟା କଲା ସେ ।

 

ଭାଇଙ୍କର ଆଉ କଣ ଦରକାର ? ଅଯଥା ଏ କେତେଦିନ ତମ ଉପରେ ସବୁ ବୋଝ ଚାପି ବସି ବସି ବିରକ୍ତ ଲାଗି ଗଲାଣି । ଚାଲ ମୁଁ ବି ଆଜି ମିଶିବି ରୋଷେଇରେ ।

 

ନାଁ, ନାଁ, ବୋଝ ଆଉ କଣ ଲୋକଟାଏ ତ ଅଛି ମୁଁ ବା ଆଉ କଣ କରୁଛି ଯେ ? ତମେ ଏ ଭଙ୍ଗାଦେହରେ ନିଆଁ ପାଖକୁ ଯାଅନି । ପୁଣି ପଡ଼ିଯିବ । ମୁଁ ଚଳେଇ ଦେବିନି କି ?

 

ଲୁସିର ଏ ଆନ୍ତରିକତାର ସ୍ୱର ନନ୍ଦିତାର ନିଜ କାନକୁ କେମିତି ଅସମ୍ଭବ ମନେ ହେଲା । ଏ ଅହେତୁକୀ ପରିବର୍ତ୍ତନର ପରିଣତ ତାର ଦୁର୍ବଳ ମନ ଖୋଜି ପାରିଲା ନାହିଁ । ବିମୂଢ଼ ନୟନ ତୋଳି ସେ କେବଳ ଲୁସିର ହାସ୍ୟୋଜ୍ଜ୍ୱଳ ମୁଖରେଖାକୁ ନିରୀକ୍ଷଣ କରିବାରେ ଲାଗିଲା । ଯେଉଁ ଲୁସି ତାର ରୋଗଯାତନାରେ ତା ପ୍ରତି କୌଣସି ସହାନୁଭୂତି ଦେଖେଇନି ବରଂ ଅନ୍ୟମାନଙ୍କ ଆଗରେ ତା ବିଷୟରେ କଟୁ ମନ୍ତବ୍ୟ ଦେଇ ତାକୁ ଆଘାତ କରିଛି । ଆଜି ହଠାତ୍‌ ଏ ଆନ୍ତରିକତା ପଛରେ କି ଅଭିସନ୍ଧ ତାର ଥାଇପାରେ ? ସରଳ ମନ ତାର ଏ ଜଟିଳତା ଭେଦ କରିବାକୁ ଅକ୍ଷମ ହେଲା । ସେ ଖାଲି ବିମୂଢ଼ ଭାବରେ ଲୁସିର କର୍ମ ତତ୍ପରତାକୁ ଳକ୍ଷ୍ୟ କରିବାରେ ଲାଗିଲା ।

 

ସଞ୍ଜୟ ସେଥର ଯେଉଁ କେତେ ଦିନ ରହିଲା ଲୁସି ତାକୁ କିଛି ପ୍ରାୟ କରିବାକୁ ଦିଏନି । ତା ଖାଇବା ଖବର ବୁଝିବା ଯେମିତି ଲୁସିର ଦୈନନ୍ଦିନ କର୍ମସୂଚୀରେ ପ୍ରଥମ ସ୍ଥାନ ଅଧିକାର କଲା-। ନନ୍ଦିତା ସେ ସବୁକୁ ସହଜ ଭାବେ ଗ୍ରହଣ କରି ନେଲା । ଲୁସି ପ୍ରତି ଆନ୍ତରିକତାର ଉଚ୍ଛ୍ୱାସରେ ଉଚ୍ଚକିତ ହୋଇଥିଲା ତାର ପ୍ରାଣ ଆଉ ମନ । ସେଥିପାଇଁ କେବଳ ସଞ୍ଜୟର ଏକାନ୍ତ ଅନୁରୋଧ ସତ୍ତ୍ୱେ ତା ସହିତ ଯିବାର ପ୍ରସ୍ତାବକୁ ସେଥର ସେ ପ୍ରତ୍ୟାଖ୍ୟାନ କରିଥିଲା । ସଞ୍ଜୟ ଏଥିରେ ଆହତ ହୋଇଥିଲା । କିନ୍ତୁ ସମୂହ ସ୍ୱାର୍ଥଦୃଷ୍ଟିରୁ ସଞ୍ଜୟକୁ ସେ ବହୁତ କଷ୍ଟରେ ବୁଝାଇଥିଲା-। ତାର ମନେ ହୋଇଥିଲା ସେ ଏଥର ଚାଲିଗଲେ ତାର ଔଷଧ ବିଷୟରେ ସଞ୍ଜୟର ସେ ଦିନର ସେ କଟୁ ମନ୍ତବ୍ୟ ସମସ୍ତଙ୍କ ଆଖିରେ ବଡ଼ ହୋଇ ରହିଯିବ । ଆଉ ସେଇକଥା ଯେତେବେଳେ ଲୁସି ମୁହଁରୁ ଶଶୁରଙ୍କ କାନକୁ ଯିବ ସେ ବଡ଼ ଆଘାତ ପାଇବେ । ସେ ନିଜ ପାଇଁ ଶଶୁରଙ୍କୁ ଏ ବୟସରେ ଏ ଆଘାତ ଦବାକୁ ଚାହିଁ ନଥିଲା । ବରଂ ଆଉ କେତେ ଦିନ ଏମିତି ଭାବେ ଏଠି କଟେଇଦବା ପରିସ୍ଥିତି ଦୃଷ୍ଟିରୁ ସମୀଚୀନ ମନେ ହୋଇଥିଲା ତାକୁ । ତା ଛଡ଼ା ଏ ଆକସ୍ମିକ ଆନ୍ତରିକତା ତାର ସ୍ନେହକାଙ୍ଗାଳ ମନକୁ ବିମୁଗ୍‌ଦ କରି ଦେଇଥିଲା । ତାର ମନେ ହୋଇଥିଲା ଏ ସ୍ନେହ ସାହଚର୍ଯ୍ୟ ମଧ୍ୟରେ ଏଠି କେତେ ଦିନ କଟେଇଦବା ତାକୁ କିଛି କଷ୍ଟକର ମନେ ହେବ ନାହିଁ-। ବରଂ ସେ ରହିବା ଦ୍ୱାରା ଶଶୁରଙ୍କ ମନରେ ଶାନ୍ତି ଆସିବ । ତା ହାତରେ ଘରକରଣା ଛାଡ଼ି ଶଶୁର ଏକ ପ୍ରକାର ନିଶ୍ଚିନ୍ତରେ ଦିନ କାଟୁଥିଲେ । ସେ ଚାଲିଗଲେ ପୁଣି ହୁଏତ ସେ ତେଲ ଲୁଣର ସଂସାର ଦାୟିତ୍ୱ ମୁଣ୍ଡକୁ ନେଇ ବ୍ୟଥିତ ହୋଇ ପଡ଼ିବେ । ନିଜର କିଛି ସ୍ୱାଚ୍ଛନ୍ଦ୍ୟର ମୂଲ୍ୟରେ ଯଦି ଶଶୁର ତାଙ୍କର ଏ ଚତୁର୍ଥାବସ୍ଥାରେ କିଛି ଦାୟିତ୍ୱ ବିମୁକ୍ତ ହୁଅନ୍ତି ତେବେ ମନ୍ଦ କଣ ? ସଫଳ ସଂସାର ଚିତ୍ର ଦର୍ଶନ ଆଶାରେ ନନ୍ଦିତାର ମୁହଁରେ ହସ ଫୁଟିଲା । ବଧୂ ଜୀବନରେ କିଛି ପରିମାଣରେ ଦାୟିତ୍ୱବୋଧ ଓ କିଛି ପରିମାଣରେ ତ୍ୟାଗର ଭୂମିକା ଆବଶ୍ୟକ । ସେତକ କରିବାକୁ ହେଲେ ନିଜର ସ୍ୱାର୍ଥକୁ ସ୍ୱାଚ୍ଛନ୍ଦ୍ୟକୁ ଗୌଣ କରିବାକୁ ହୁଏ । ଏଇ ଛୋଟ କଥାଟା ଏତେ ପାଠପଢ଼ି ସଞ୍ଜୟ ବୁଝୁନି କାହିଁକି ? କଣ କହ ଆଉ ସେ ତାର ଏଇ ଆତ୍ମସୁଖ ସର୍ବସ୍ୱ ସ୍ୱାମୀକୁ ବୁଝେଇବ ?

 

‘ତମେ ତା ହେଲେ ଶେଷ ପର୍ଯ୍ୟନ୍ତ ଏଥର ମୋ ସାଙ୍ଗେ ଯିବାକୁ ମତ ଦେଲନି ନନ୍ଦା ।’

 

‘ତମେ ରାଗନି । ଏତେ ଦିନ ତ ହଇରାଣ ହେଲଣି । ଆଉ କେଇଟା ଦିନ ଟିକିଏ ଚଳ-। ସେମାନଙ୍କ ମନରେ ଅଶାନ୍ତି ଦେଇ ଯିବାରେ କଣ ଲାଭ ହେବ ଆମର ।’

 

‘ଲାଭକ୍ଷତି ମୁଁ ବୁଝେନା ନନ୍ଦା । ତମ ଅପେକ୍ଷା ମୋ ପରିବାରର ପ୍ରତ୍ୟେକଙ୍କୁ ମୁଁ ଭଲ ଭାବେ ଜାଣେ । ତମେ ଶତ ଚେଷ୍ଟା କଲେ ମଧ୍ୟ ସେମାନଙ୍କ ମନ ନେଇ ପାରିବନି । ମୁଁ ପୁଅ ହୋଇ ଯାହା ପାରିନି ତମେ ବୋହୂ ହୋଇ ତା ପାରିବାର ଆଶା କେମିତି କରୁଛ ?’

 

କାହିଁକି ତମର ସେମାନଙ୍କ ପ୍ରତି ଏ ଅହେତୁକୀ ଆକ୍ଷେପ ? ବାପା ଏକଜିଦିଆ ଲୋକ-। ବୋଉଙ୍କ ପରେ ତାଙ୍କ ମନର ଅକୁହା କଥା, ବେଦନାର ବହିଃ ପ୍ରକାଶ ହୁଏତ ଅନେକ ସମୟରେ ଅସହ୍ୟ ହୋଇଉଠୁଛି । କିନ୍ତୁ ତା ବୋଲି ତାଙ୍କ ଭିତରର ସ୍ନେହ, ସରାଗ ଓ ସନ୍ତାନଙ୍କ ଠାରୁ ପାଇବାର ଆକାଙ୍‌କ୍ଷାଟାକୁ ଆମେ ଏମିତି ଅବହେଳା କରିବାଟା କଣ ଶୋଭନୀୟ ହେବ ? ଆମେ ଆମ ସନ୍ତାନଙ୍କଠାରୁ କଣ ଆଉ ଆଶା କରିବା ?

 

ନନ୍ଦିତାର କଥା ଶୁଣି ସଞ୍ଜୟ ଆଖିର ଆତ୍ମସ୍ୱାର୍ଥର ପରଦା ଅପସାରିତ ହୋଇଥିଲା । ନନ୍ଦିତାର ଜୀବନ ବିଶ୍ଲେଷଣ ତାକୁ ବିସ୍ମିତ କରି ଦେଇଥିଲା ।

 

କଲେଜ ଜୀବନର ଅର୍ଥନୀତି, ରାଜନୀତି, ବିଜ୍ଞାନ କେଉଁଥିରୁ ଏସବୁ ଶିଖିଲା ନନ୍ଦିତା ? ପୁରୁଷଠାରୁ ନାରୀର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ଅତି ଗଭୀର । କେହି ନ କହିଥିଲେ ମଧ୍ୟ ସାଂସାରିକ ଅଭିଜ୍ଞତାରେ ସେ ପୁରୁଷର ଗୁରୁସ୍ଥାନୀୟା । ବୟସ କମ୍‌ ହେଲେ ମଧ୍ୟ ନନ୍ଦିତା ତାଠାରୁ ଅଧିକ ସଚେତନ, ଜୀବନର ଏଇ ଅତି ବାସ୍ତବ ଦିଗଟା ପ୍ରତି । ନନ୍ଦିତାର ଦୂର ଦୃଷ୍ଟି, ସତର୍କ ଭାବକୁ ଲକ୍ଷ୍ୟ କରି ମନେ ମନେ ଆନନ୍ଦିତ ହୋଇଥିଲା ସଞ୍ଜୟ ।

 

ସେଦିନ ରାତିରେ ସଞ୍ଜୟ ନନ୍ଦିତାକୁ ତା ଶୟନ କକ୍ଷରେ ଅପେକ୍ଷା କରି ବସିଥିଲା । ରାତି ପାହିଲେ କର୍ମକ୍ଷେତ୍ରକୁ ଚାଲିଯିବ ସଞ୍ଜୟ । ପୁଣି ସେଇ ଗତାନୁଗତିକ ଜୀବନଯାତ୍ରା ଆରମ୍ଭ ହୋଇଯିବ । ଗନ୍ଧବିହୀନ ସେ ଜୀବନ । ଜଙ୍ଗଲ ବିଭାଗର ହାକିମ ସେ । ଅଫିସରେ ବସି ସବୁଦିନ ପଙ୍ଖା ତଳେ କାମ କରିବାର ଚାକିରୀ ନୁହେଁ ତାର । ନିବିଡ଼ ଅରଣ୍ୟରେ ସହକାରୀ ସହିତ ତା ନିଜର ପାଦର ସାମର୍ଥ୍ୟ ଉପରେ ମାସର କୋଡ଼ିଏ ଦିନରୁ ଉର୍ଦ୍ଧ୍ୱ ନିର୍ଭର କରିବାକୁ ହୁଏ ତାକୁ । କିନ୍ତୁ ଏ ଅବସନ୍ନ ମନ ଓ ଶରୀରକୁ ସତେଜ କରିବାକୁ ଆଜି ତାର ସେ ଜଙ୍ଗଲ ବିଭାଗର ପ୍ରକାଣ୍ଡ ଘରଟିରେ କିଏ ଆଉ ଅଛି ? ନାରୀର କୋମଳ କଣ୍ଠ, ଶିଶୁର କଳରବ ସବୁଥିରୁ ସେ ଗତ ଏକ ବର୍ଷ ଧରି ବଞ୍ଚିତ । ଏମିତି କେତେ ଦିନ ଅବହେଳିତ ହୋଇରହିବ ସେ ? ସଞ୍ଜୟକୁ ତାର ଭବିଷ୍ୟତ ଚିନ୍ତା କେମିତି ଅସହ୍ୟ ମନେହେଲା । ଝରକାର ଫାଙ୍କରେ ବାହାରକୁ ଆକାଶକୁ ଚାହିଁ ବସିଥିଲା ସଞ୍ଜୟ । ଭାବୁଥିଲା ନନ୍ଦିତା କେମିତି ଏତେ ବଦଳିଗଲା ? ଆଗେ ସେ ତାକୁ ମୁହୁର୍ତ୍ତେ ନ ଦେଖିଲେ କେମିତି ବ୍ୟସ୍ତ ହୋଇ ଉଠୁଥିଲା । ଆଉ ଆଜି ଗୋଟିଏ ସନ୍ତାନର ଜନନୀ ହେଲା ପରେ ସତେ ଯେମିତି ସେ ବହୁତ ଦୂରକୁ ଚାଲି ଯାଇଛି । ସନ୍ତାନର ପରିଚର୍ଯ୍ୟାରେ ପରିବାରର ସେବାରେ ସେ ଆଜି ତାକୁ ଭୁଲିଛି । ନାରୀ ଜୀବନର ଏ ବିଚିତ୍ର ରହସ୍ୟ ଭେଦ କରିବାକୁ ଚେଷ୍ଟା କରୁଥିଲା ସଞ୍ଜୟ । ନନ୍ଦିତାର ପାଦ ଶବ୍ଦରେ ଭାବନା ଗ୍ରନ୍ଥି ଛିନ୍ନ ହେଲା ତାର ।

 

‘‘ଏତେ ବେଳଯାଏ ଶୋଇନ । କଣ ଏତେ ଭାବୁଛ ।’’

 

‘‘ଭାବୁଛି ତମରି କଥା । ଆଗେ କେମିତି ମତେ ନ ଦେଖିଲେ ବା ମୋର ଅସୁବିଧାର ଆଶଙ୍କାରେ ତମେ ଆତଙ୍କିତ ହୋଇ ଉଠୁଥିଲ ଆଉ ଆଜି ତମ ଜୀବନରେ ମୋରି ପ୍ରୟୋଜନୀୟତାଟା କେମିତି ଗୌଣ ହୋଇଉଠିଛି ।’’ ସଞ୍ଜୟ ଆଉ କିଛି କହିବା ପୂର୍ବରୁ ତା ପାଟିରେ ହାତ ଦେଇ କହି ଉଠିଲା ନନ୍ଦିତା ।

 

‘‘ଛିଃ ଏଡ଼ିକି ଅବୁଝା ତୁମେ ? ଦିପହରେ ଏତେ ବୁଝେଇକି କହିଲି ବୁଝିଲନି ? କେମିତି ଏ ସବୁକଥା ଭାବିପାରୁଛ ତମେ ? ମୋ ଆଖିରେ ତୁମେ ଆଗ ଅପେକ୍ଷା ଆହୁରି ଏକାନ୍ତ ଆପଣାର ହୋଇଉଠିଛ । ଆଗେ ମୁଁ ତୁମର କେବଳ ପତ୍ନୀ ଥିଲି । ଆଜି ମୁଁ ତୁମ ସନ୍ତାନର ଜନନୀ-। ସୁଖମୟ ଦାମ୍ପତ୍ୟ ଜୀବନର ନିର୍ଭୁଲ ସ୍ୱାକ୍ଷର ଆଜି ଆମର ସନ୍ତାନ । ତୁମର ପ୍ରୟୋଜନୀୟତା ମୋ ପାଖେ ଗୌଣ ହେବ କେମିତି ? ତୁମ ଛଡ଼ା ମୋ ମନର ପାଣ୍ଡୁଲିପିକୁ ପଢ଼ି ମତେ ଆଉ ବେଶୀ ବୁଝିବ କିଏ ? ପରିବାରର ଅନ୍ୟମାନଙ୍କ କଥା ଦେଖିବା ମୋ ଜୀବନର କର୍ତ୍ତବ୍ୟ ହୋଇପାରେ କିନ୍ତୁ ତୁମ ପାଇଁ ଭାବିବା ବା ତୁମର ଭଲମନ୍ଦ ଦେଖିବା ତ ମୋର ପ୍ରାଣର ନିଗୂଢ଼ତମ ପ୍ରଦେଶର ଆହ୍ୱାନ । ସେ କଣ କର୍ତ୍ତବ୍ୟର ମାପକାଠିରେ ମାପିବାର ଜିନିଷ ? କେବଳ କର୍ତ୍ତବ୍ୟର ସିମୀତ ଗଣ୍ଡି ଭିତରକୁ ଟାଣି ଆତ୍ମାର ଏ ଅତି ନିଜସ୍ୱ ଟାଣଟିକୁ ଛୋଟ କରି ଦେଉଛ କାହିଁକି ? ମୋ ରାଣଟି ଆଉ ଅବୁଝା ହୁଅନି ।’’

 

କକ୍ଷର ଅନ୍ଧକାର ମଧ୍ୟରେ ନନ୍ଦିତା ସଞ୍ଜୟ ଦେହରେ ଘନିଷ୍ଠରୁ ଘନିଷ୍ଠତର ହେଲା । ନିଜ ମୁହଁକୁ ସଞ୍ଜୟର ଛାତି ଉପରେ ଚାପି ଧରି ଆଙ୍ଗୁଳି ଚାଳନା କରିଥିଲା ତାର ଅଳକ ଗୁଚ୍ଛରେ ।

 

ନନ୍ଦିତାର ଉତ୍ତରରେ ସଚକିତ ହୋଇଥିଲା ସଞ୍ଜୟ । ପ୍ରଥମଥର ପାଇଁ ସେ ବୁଝିଥିଲା ଦୁହିଁଙ୍କ ବୁଝାମଣାରେ କେଉଁଠି ଭୁଲ ରହିଯାଉଛି । ଯେଉଁ ଭୁଲ ଚେଷ୍ଟା କଲେ ମଧ୍ୟ ମନର ଅନ୍ଧାର ଗହ୍ୱରରୁ ଆଲୋକକୁ ଆଣିବା ସମ୍ଭବ ହେବନି । କେବଳ ଅନୁଭୂତିର ସୋପାନରେ ପାଦ ଚାଳିଲେ ସେ ଜଉମୁଦ ଦୁଆରର ସନ୍ଧାନ ମିଳିବ । ଗୁଡ଼ାଏ ଅବ୍ୟକ୍ତ ବେଦନା ଏକତ୍ରିତ ହୋଇ ମନକୁ ଭାରି କରି ଦେଉଥିଲା ତାର । ବିଗତ କେତେଦିନର ଅପ୍ରୀତକର ସ୍ମୃତିକୁ ସ୍ମରଣ କରି ମନଟା ତାର ଅଶ୍ୱସ୍ତିରେ ଭରି ଉଠିଲା । ଛୁଟି ଶେଷ ହୋଇଗଲା । ଏଇ ଗୋଟାକ ରାତି ପରେ ତାକୁ ଫେରିଯିବାକୁ ହେବ ତାର କର୍ମକ୍ଷେତ୍ରକୁ । ଜଙ୍ଗଲ କୁପ୍‌ ନିଲାମ, ଅନଧିକାର ବୃକ୍ଷ ନଷ୍ଟଜନିତ ମକଦ୍ଦମା, ଚାରାରୋପଣ ପ୍ରଭୃତି ଅନେକ କାର୍ଯ୍ୟସୂଚୀ ତାକୁ ଅପେକ୍ଷା କରି ରହିଛି । ଏତେ ଦିନ ଅନୁପସ୍ଥିତଜନିତ କାର୍ଯ୍ୟର ଚାପରେ ତାକୁ ଯାଉ ଯାଉ ବୁଡ଼ି ରହିବାକୁ ହେବ ।

 

କିନ୍ତୁ ସେ ସବୁ କଣ ତାର ବେଦନା ବିକ୍ଷୁବ୍‌ଧ ମନକୁ ଭୁଲାଇ ରଖିପାରିବ ? ନନ୍ଦିତା କେମିତି ସେ କଥା ବୁଝୁନି ଆଦୌ । ନନ୍ଦିତାର ପ୍ରଳମ୍ବ କବରୀରେ ଆଙ୍ଗୁଳି ଚାଳନା କରିବାକୁ ଲାଗିଲା ସଞ୍ଜୟ । ସଞ୍ଜୟ ହାତର ପରଶରେ ବିଚଳିତ ହୋଇଗଲା ନନ୍ଦିତା । ପ୍ରିୟର ପରଶ ତା ଭିତରର ପୁଞ୍ଜିଭୂତ ବେଦନାରାଶିର ବହିଃପ୍ରକାଶରେ ସାହାଯ୍ୟ କଲା । ନୟନ ପ୍ରାନ୍ତର ଅଶ୍ରୁଧାରା ସଞ୍ଜୟର ବଳିଷ୍ଠ ମାଂସପେଶୀକୁ ସିକ୍ତ କଲା । ସଞ୍ଜୟ ନିଜ ହାତ ପାପୁଲିରେ ପ୍ରସ୍ଫୁଟିତ ଶତଦଳ ପରି ନନ୍ଦିତାର ଆନନକୁ ତୋଳି ଧରିଲା । ଭୀରୁ ଆଖିପତା ତାର ବେଦନାରେ ଥରି ଥରି ଉଠୁଥିଲା-

 

ନନ୍ଦା ତମେ କାନ୍ଦୁଛ । ମୁଁ ତ କହୁଛି ଚାଲ ମୋ ସାଥୀରେ । ତମେ ତ ନିଜେ ମୋର ସେ ଇଚ୍ଛାରେ ବାଧା ଦଉଛ । କଣ ମିଳିବ ଏ ଅଯଥା ମନ ରଖାରୁ ? ସେମାନେ ଆଜିଯାଏ ଚଳୁଥିଲେ ଆଜି ମଧ୍ୟ ଚଳିବେ । ସେ ଲାଗି ଆମେ ନିଜକୁ ଏମିତି ତିଳ ତିଳ କରି ଆହୁତି ଦବା କାହିଁକି ? ନାଁ ମୁଁ ତମକୁ ଛାଡ଼ି କାଲି ଆଉ ଏକେଲା ଫେରି ଯିବିନି ।

 

ସଞ୍ଜୟର ଉକ୍ତିର ଦୃଢ଼ତାରେ ସଚକିତା ହେଲା ନନ୍ଦିତା । ଏତେ ବୁଝେଇ ଯେଉଁ ମନକୁ ସେ ବାଟକୁ ଆଣିଥିଲା ତାରି ନିଜର ଦୁର୍ବଳତାର ପ୍ରକାଶରେ ସବୁ ନିଷ୍ଫଳ ହୋଇଗଲା । ଆଖିର ଲୁହ ପୋଛି ମନକୁ ଟାଣ କଲା ସେ । କେବଳ ପତ୍ନୀତ୍ୱର ସମ୍ମାନ ପାଇଲେ ନାରୀ ସନ୍ତୁଷ୍ଟ ହୁଏ ନାହିଁ । ସେ ଚାହେଁ ପରିବାରର ଅନ୍ୟାନ୍ୟ ମାନଙ୍କର ମଧ୍ୟ ତା ପ୍ରତି ଗଭୀର ସ୍ନେହ ଓ ବିଶ୍ୱାସ । ଜାୟା ଓ ଜନନୀ ସହିତ ବଧୂର ଭୂମିକା ମଧ୍ୟ ତା ଜୀବନରେ ପ୍ରୟୋଜନ । ତିନୋଟିରୁ କେଉଁ ଗୋଟିକୁ ମଧ୍ୟ ବାଦ୍‌ ଦେଲେ ତା ଜୀବନରେ ପୂର୍ଣ୍ଣତା ଆସେ ନାହିଁ । ତେଣୁ ସେ ସଞ୍ଜୟ କଥାର ପ୍ରତିବାଦ କଲା । ନାଁ କାଲି ନୁହେଁ ଆଉ କେତେ ଦିନ ଯାଉ । କୌଣସି ମତେ ଚଳିଯିବ ଯେ ।

 

ନନ୍ଦିତା ଅଙ୍ଗରେଖାକୁ ଆହୁରି ନିବିଡ଼ ଭାବେ ଅନୁଭବ କରି ସଞ୍ଜୟ କହିଲା ତମେ ସିନା ଚଳିଯିବ ମୁଁ ଯେ ଗୋଟାଏ ମୁହୂର୍ତ୍ତ ମଧ୍ୟ ତମକୁ ଛାଡ଼ି ଚଳିବା କଥା ଭାବି ପାରୁନି । ଦିନର ହାଡ଼ଭଙ୍ଗା ଖାଟେଣୀ ପରେ ରାତିରେ ସୁନିଦ୍ରା ହୁଏନି ମୋର ତମେ ଜାଣ ନନ୍ଦା ? ମୋର ତନ୍ଦ୍ରା ମଧ୍ୟରେ ତମେ ଉଭା ହୁଅ । ଆଉ ଥରେ ତମର ଏଇ ମୂହଁଟିକୁ ଦେଖି ନିଦ ଭାଙ୍ଗିଲେ ମୁଁ ନିଜକୁ ଆୟତ୍ତରେ ରଖିପାରେନି । ସରାରାତି ଆଖିପତାରୁ ମୋର ତନ୍ଦ୍ରା ତୁଟିଯାଏ । କଣ କରିବି ମୁଁ କହ-?

 

ସଞ୍ଜୟର ଏ ଏକାନ୍ତ ପତ୍ନୀଗତ ପ୍ରାଣ ଦେଖି ଉଚ୍ଛ୍ୱସିତ ହେଲା ନନ୍ଦିତା ମନେ ମନେ । ତା ବିନା ସ୍ୱାମୀ ତାର ସମସ୍ତ ସୁଖ ମଧ୍ୟରେ ମଧ୍ୟ ନିଜକୁ ଅସହାୟ ମଣୁଛନ୍ତି ସେତିକି ଜାଣିଲେ ତା ଭିତରଟା ଅବ୍ୟକ୍ତି ଆନନ୍ଦରେ ଭରିଉଠେ । କୌଣସି ଯୁକ୍ତି, କୌଣସି ନୀତି ବାକ୍ୟ ସଞ୍ଜୟ ମନର ଆଉ ଦେହର କ୍ଷୁଧାକୁ ନିୟନ୍ତ୍ରଣ କରି ପାରୁନାହିଁ । ନାରୀ ଦୁର୍ବଳ ବୋଲି ବହୁ ସମର୍ଥିତ ପ୍ରବାଦ ଆଜିଯାଏ ସେ ଶୁଣି ଆସିଛି । କିନ୍ତୁ ଏ କ୍ଷେତ୍ରରେ ପୁରୁଷର ଦୁର୍ବଳତାଟା ଆହୁରି ବେଶୀ । ଯେଉଁ ନାରୀ ତା ସ୍ୱାମୀର ଏଇ ଦୁର୍ବଳତାଟା ଯେତେ ବେଶୀ ଅନୁଭବ କରେ ସେ ନାରୀ ସାଂସାରିକ କ୍ଷେତ୍ରରେ ସମସ୍ତ ଦୁଃଖ ଯନ୍ତ୍ରଣା ମଧ୍ୟରେ ମଧ୍ୟ ନିଜକୁ ସେତେ ଭାଗ୍ୟବତୀ ମନେ କରେ । ଯାହାର ସେତିକି ନାହିଁ ତା ଜୀବନରେ ବାକି ରହିଲା କଣ ? ବଞ୍ଚିବାର ଅବଲମ୍ବନ ତା ନିକଟରେ କେତେ ଦୁର୍ବଳ । ନନ୍ଦିତା ଏ ଦୃଢ଼ ଅବଲମ୍ବନରେ ଅଧିକାରିଣୀ ହୋଇଥିବାରୁ ନିଜର ସାମର୍ଥ୍ୟ ଉପରେ ଆଜି ଏତେ ଅସ୍ଥାବତୀ । ମୂହଁ ଉପରେ ଅଜସ୍ର ଉଚ୍ଛ୍ୱାସରେ ଉଦ୍‌ବେଳିତ ହୋଇ ଉଠୁଥିବା ଆନନ୍ଦକୁ ଚାପି ରଖି ସଞ୍ଜୟକୁ ସାନ୍ତ୍ୱନା ଦବାର ନିଷ୍ଫଳ ପ୍ରୟାସ କରିଥିଲା ନନ୍ଦିତା ।

 

ଆଉ ସଞ୍ଜୟର ମନେ ହୋଇଥିବା ନାରୀ ତା ଜୀବନର ଦୁର୍ଦ୍ଦିନରେ ତା ଭିତରେ ଗଚ୍ଛିତ ଶକ୍ତିରୁ ସାହସ ସଂଗ୍ରହ କରେ । ସେ ଅସରନ୍ତି । ସଂସାରର ଦୁର୍ବହ ମୁହୂର୍ତ୍ତ ଗୁଡ଼ିକରେ ଏଇ ଶକ୍ତିହିଁ ସଞ୍ଜିବନୀର କାମ କରିଥାଏ ।

 

ବିସ୍ମିତ ଆଖିପତା ତୋଳି ନନ୍ଦିତାକୁ ଚାହିଁ ରହିଲା ସଞ୍ଜୟ । ଦୃଷ୍ଟିର ମାଧ୍ୟମରେ ଉଭୟେ ଉଭୟଙ୍କର ମନର ଭାଷା ପଢ଼ିବାକୁ ଚେଷ୍ଟା କରୁଥିଲେ ।

 

ସଞ୍ଜୟ ଯିବାର ଆଜିକୁ ଆଠଦିନ ପୁରିଗଲା । ନନ୍ଦିତା ଉପରେ ଅଭିମାନ କରି ସେ ସୁଦୂର କର୍ମସ୍ଥଳୀକୁ ଫେରିଯାଇଛି । ଚିଠି ଦେଇଥିଲେ ଯିବାର ଚାରିଦିନ ପରେ ସେ ପାଇଥାନ୍ତା । ପ୍ରତିଦିନ ଡାକକୁ ଚାହିଁ ଚାହିଁ ନିରାଶ ହେଉଛି ସେ । କାହିଁ, ସଞ୍ଜୟ ମନର ରାଗ କଣ ତାର ସ୍ଥିର ବିଚାର ପରେ ଆହୁରି କମିନି ? କାହାକୁ ଛାଡ଼ି ସେ କାହାକୁ ଆଉ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବ-? ସମସ୍ତଙ୍କୁ ଖୁସି କରିବାକୁ ଯାଇ ସେ କାହାରି ସନ୍ତୋଷଭାଜନ ହୋଇ ପାରିଲାନି ଯାହା । ମନ ଭିତରେ ରହି ରହି ଅଜ୍ଞାତ ଆଶଙ୍କ ପ୍ରାଣର ସୂକ୍ଷ୍ମତନ୍ତୀକୁ ବିକଳ କରି ଦେଉଛି । ଯେତେ ଚେଷ୍ଟା କରି ଘର କାମରେ ଝିଅ, କାମରେ ନିଜକୁ ଭୁଲେଇବାକୁ ଚେଷ୍ଟା କଲେ ମଧ୍ୟ ମନ ମାନୁନି । ରହି ରହି ଚିଠି ନ ପାଇବାର ବ୍ୟାକୁଳତାଟା ପ୍ରକାଶ ପାଉଛି ତାର ପ୍ରତି କାମରେ । ଚୁଲିରେ ଭାତ ବସେଇ ଦେଇ ନନ୍ଦିତା ନିଜ ଭାବନାରେ ନିଜର ସତ୍ତା ହରେଇ ଦେଇଛି । ଭାତରୁ ପଣି ମରିଗଲାଣି ତାର ନଜର ନାହିଁ । ଶଶୁର ପଶିଆସିଲେ ହଠାତ୍‌ ନନ୍ଦିତା ଅନ୍ୟମନସ୍କା । ଭାତରୁ ପାଣି ମରିଗଲାଣି କଣ କରୁଛ ବୋହୁ ? ଶଶୁରଙ୍କ ପାଟିରେ ପ୍ରକୃତିସ୍ଥା ହେଲା ନନ୍ଦିତା । ଭୀଷଣ ସଙ୍କୁଚିତ ଲାଗିଲା ତାକୁ । ଏଇଠି ବସି ଭାତ ତଳି ଲାଗିଗଲାଣି ତାର ନଜର ନାହିଁ । ବଡ଼ ଅପରାଧି ଲାଗିଲା ନିଜକୁ । ବର୍ଷଣ ମୁଖର ଆକାଶ ପରି ଶଶୁରଙ୍କ ମୁହଁ ଭାରାକ୍ରାନ୍ତ । ମାନସିକ ବିରକ୍ତିର ଅଭିବ୍ୟକ୍ତି ତାଙ୍କ ଚକ୍ଷୁରେ ସୁସ୍ପଷ୍ଟ । ପ୍ରମାଦ ଗଣିଲା ନନ୍ଦିତା । ମେଘ ବର୍ଷିଲା ।

 

ଗୃହିଣୀ ଘରର ଲକ୍ଷ୍ମୀ । ସବୁକଥାକୁ ତାଙ୍କର ନଜର ରଖିବା ଉଚିତ । ତମର ତ କୌଣସି କଥାକୁ ନଜର ନାହିଁ, ତମେ କି ସଂସାର କରିବ ? ଘରେ କଣ ପ୍ରୟୋଜନ ସେଇଟା ମୋ ଆଗରୁ ତମର ଭାବିବା କଥା । ସେ ସବୁରେ ତ ଆଦୌ ନଜର ତମର ନାହିଁ ? ତମେ ବିଦେଶରେ କେମିତି ସଂସାର ଚଳାଅ ?

 

ସେ କଣ ସଂସାର ଚଳାନ୍ତି ବାପା ? ସେଠି ପିଅନ, ଚପରାଶୀ, ଚାକର ଭର୍ତ୍ତି । ଏଙ୍କୁ କଣ କରିବାକୁ ପଡ଼େ ? ଲୁସି କଣ୍ଠରେ ଶାଣିତ ଛୁରୀ ।

 

ହଁ ସେଇଆ ତ ସେମାନେ କରିବେ । ଚାକର ପିଅନଙ୍କ ହାତରେ ସ୍ୱାମୀ ସନ୍ତାନଙ୍କର ଦାୟିତ୍ୱ ଦେଇ ନିଜେ ସିନେମା, ଉପନ୍ୟାସ ନେଇ ଦିନ କଟେଇବେ । ତମ ଶାଶୁ କିନ୍ତୁ ନିଜ ହାତରେ ସବୁ ନକଲେ ଶାନ୍ତି ପାଉ ନଥିଲେ । ତମମାନଙ୍କ ପରି ସିନା ଶିକ୍ଷିତା ନୁହଁନ୍ତି କିନ୍ତୁ ଚାକର ପିଅନଙ୍କର କୃପା ଉପରେ ନିଜ ସଂସାରକୁ ଛାଡ଼ି ନିଶ୍ଚିନ୍ତ ହବାର ଶିକ୍ଷା ତାଙ୍କର ନଥିଲା ।

 

ନୟନ ତଟିନୀର ଦୁଇକୂଳ ଭରି ବାହି ଆସିଲା ଅଶ୍ରୁର ବନ୍ୟା । ଉଦ୍‌ଗତ ଅଶ୍ରୁ ଓ ବିକ୍ଷୁବ୍‌ଧ ବେଦନାକୁ ଚାପି ରଖି ଭାତ ଗାଳି ବସିଲା ନନ୍ଦିତା । ଶଶୁରଙ୍କ ସମକ୍ଷରେ ଅଶ୍ରୁର ପ୍ରକାଶ ସମ୍ଭବ ନୁହେଁ । ବଧୂ ଜୀବନରେ ନୟନର ଅଶ୍ରୁର କୌଣସି ସହାନୁଭୂତି ଉଦ୍ରେକକାରୀ ଶକ୍ତି ନାହିଁ । ବରଂ ଅନ୍ୟର କ୍ରୋଧ ବର୍ଦ୍ଧନ କରେ । ୟାର ପରିଚୟ ସେ ବହୁବାର ପାଇଛି । ତେଣୁ ଅଶ୍ରୁଧାରାର ପ୍ରବାହକୁ ବାଧା ଦବାକୁ ହବ ।

 

ଥରେ ମନେ ଅଛି ତାର ଶଶୁରଙ୍କ କଟୁକ୍ତିରେ ନୟନର ଅଶ୍ରୁଧାରା ସିକ୍ତ କରିଥିଲା ତାର ଗଣ୍ଡଦେଶ । ବୋହୁର ଅଶ୍ରୁ ଦ୍ୱିଗୁଣିତ କରିଥିଲା ଶଶୁରଙ୍କ କ୍ରୋଧକୁ । କହିଥିଲେ—ତମର ଯଦି ଆଖିରେ ଲୁହ ଆସିବ ଆମେ ଆକଟ କଲେ ତେବେ ଆମର ଶାସନ କରିବା ନିଷ୍ପ୍ରୟୋଜନ । ତମେ ବଡ଼ଘରର ଝିଅ, ତମକୁ ଆକଟ କରିବା ଆମ ଶକ୍ତିର ବାହାରେ ।

 

ଭୀଷଣ ଆଘାତ ଲାଗିଥିଲା ତା ମନରେ । ବଡ଼ଘର ଝିଅର ଆକ୍ଷେପୋକ୍ତି କଣ ପ୍ରତି କଥାରେ ତାକୁ ଶୁଣିବାକୁ ହେବ ? କାହିଁକି ତାକୁ ବୋହୂ କରି ଆଣିଥିଲେ ଏତେ ଅସନ୍ତୋଷ ମଧ୍ୟରେ । ଏ ବିବାହ ପାଇଁ ତ ସିଏ ଦାୟୀ ନୁହେଁ । କିନ୍ତୁ ସେ ସବୁ ଯୁକ୍ତି ଅବାନ୍ତର ଏଠି । ଏ ଘରର କ୍ରୋଧ ମୂଳରେ କୌଣସି ଯୁକ୍ତିର ଅବତାରଣା ସମ୍ଭବ ନୁହେଁ । ଭୟରେ ଆଖିର ଲୁହ ଶୁଖିଯାଇଥିଲା ତାର । ସେଇଦିନୁ ସେ ଶଶୁରଙ୍କ କ୍ରୋଧ ସମକ୍ଷରେ ତା ଆଖିର ଲୁହ ଉପରେ ନିଷେଧାଜ୍ଞା ଜାରୀ କରି ଦେଇଛି । ତା ଆଖିର ଲୁହ ଓ ତା ମନର ବେଦନା ବାପଘର ଛାଡ଼ିବା ସାଙ୍ଗେ ଛାଡ଼ିଆସିବା ଉଚିତ ଥିଲା ।

 

ଅଭିମାନିନୀ ମନ ତାର ସହି ପାରେନି । ଟିକିଏ ଆଘାତ ପାଇଲେ ହୃଦୟର ଦୁଃଖ ଆଖିର ଲୁହରେ ପ୍ରକାଶ ଲଭେ । ସେଥିପାଇଁ କ୍ଷଣକୋପୀ ବାପା ମଧ୍ୟ ନନ୍ଦିତା ମନରେ ଆଘାତ ଦବାକୁ ଭୟ କରନ୍ତି । ଅଭିମାନିନୀ ଝିଅର ଆଖି ଲୁହ ସେ ଦେଖି ପାରନ୍ତିନି । କିନ୍ତୁ ଆଜି ସେ ସବୁର ଭାବନା ତାର ଶାଶୁ ନଥିଲା ବୋହୁ ଜୀବନରେ ଅବାନ୍ତର । ସମୟର ଚକ ଘୁରିଯାଇଛି । ତା ଜୀବନରେ ଆଉ ସେ ଅଲିଅଳ ଝିଅର ଭୂମିକା କେବେହେଲେ ଆସିବ ନାହିଁ । ଅତୀତର ଅତି ବାସ୍ତବ ଜୀବନ ଆଜି ସ୍ୱପ୍ନରେ ପର୍ଯ୍ୟବେସିତ । ନିଦ୍ରାଭଙ୍ଗ ପରେ ସେ ମୂଲ୍ୟହୀନ ।

 

ସଞ୍ଜୟ ବାହାର ବାରଣ୍ଡାରେ ବସିଛି । କେତେବେଳୁ ସେଠି ବସିଛି ସେ ? ବାହାରର ସେ ପ୍ରଖର ମୂର୍ତ୍ତି କୁଆଡ଼େ ଗଲା ? ଦିପହରର ଦୁଃସହ ସୂର୍ଯ୍ୟ କେତେବେଳୁ ବିଦାୟ ନେଲେଣି ପଶ୍ଚିମ ଦିଗନ୍ତରେ । ବିଶ୍ୱ ପ୍ରକୃତିର ମୌନ ରୂପ ମଧ୍ୟରେ ଯେମିତି ଯୁଦ୍ଧ କ୍ଷାନ୍ତିର କ୍ଲାନ୍ତ ଅବସନ୍ନତା । ଅପରାହ୍ନ—ସେ ଯେମିତି ଦୀର୍ଘ ସଂଗ୍ରାମ ଶେଷରେ ପରାଜିତ, ପ୍ରକୃତି ପାଖରେ ନିରୁପାୟ ଆତ୍ମସମର୍ପଣ ତାର । ପାହାନ କୋଳରେ ଘୁମନ୍ତ ମେଘ ଉପରେ ଦିବାବସାନର ଶେଷ ରଶ୍ମି ଝଲସି ଉଠୁଥାଏ । ଆସନ୍ନ ସଂଧ୍ୟାର କଳାଛାଇ ଗଛ ପତ୍ରର ଫାଙ୍କେ ଫାଙ୍କେ ଲମ୍ବି ଆସିଛି ଧୀରେ ଏ ଧୂଳିର ଧରଣୀକୁ । ସଞ୍ଜୟ ଭାବୁଛି, ତାର ସଂସାରର ବୀଣା ଆଜି ବେସୁରା ହୋଇଉଠିଛି । କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଗିଣୀ ଆଉ ତାର ଝଙ୍କାରରେ ଖୋଜିଲେ ମିଳୁନି । କଣ ହେଲା ତାର ଆଜି ?

 

ସେ ନିୟମିତ ଅଫିସକୁ ଯାଉଛି । ଟୁରରେ ଯିବାର ବ୍ୟତିକ୍ରମ ନାହିଁ । ସିନେମା ମଧ୍ୟ ଯାଏ । ବଂଧୁ ଗହଣରେ ବସି ଖୁସି ଗପ ମଧ୍ୟ କରେ । କିନ୍ତୁ ସବୁ କେମିତି ବେସୁରା, ବେଖାପ ଜଣାଯାଏ । ନିଜ ମନର ଅତଳ ସାଗରର ସଯତ୍ନ ସାଇତା ରତ୍ନ ସେ ହରେଇ ବସିଛି ଯେପରି । ସବୁଥାଇ କିଛି ନଥିବାର ଅଭାବରେ ସେ ଅନ୍ୟମନା ହୋଇପାରେ । ଅପିସର ଷ୍ଟାଫ ଘରର ପୁରୁଣା ଚାକର ନିଧି ବିସ୍ମିତ ଦୃଷ୍ଟିରେ ଚାହିଁ ରହନ୍ତି । ସେମାନଙ୍କର ସେଇ ବିସ୍ମିତ ଚାହାଁଣୀ ସଞ୍ଜୟ ମନ ଗହନର ଅନ୍ଧାରୀ ମୂଳକକୁ ଭେଦ କରିବାକୁ ଚେଷ୍ଟା କରେ । ସଞ୍ଜୟ ଗମ୍ଭୀର ହୁଏ । ସେମାନେ ହତାଶ ହୁଅନ୍ତି । ଦ୍ୱିଗୁଣ ମନୋଯୋଗ ଦେଇ ତ୍ରୁଟି ଶୂନ୍ୟ କାମ କରିବାରେ ଲାଗିପଡ଼ନ୍ତି-

 

କଣ ହୋଇଛି ସତେ ତାର ? ନିଜ ମନକୁ ନିଜେ ପ୍ରଶ୍ନକରେ ସଞ୍ଜୟ । କହିଲା ଭଳି କିଛି ଘଟଣା ତ ଘଟିନି । ତାର ଅନ୍ତରର ବ୍ୟଥାର ବେଦନା ଖାଲି ଅନୁଭବ କରିଲା ପରି ଜିନିଷ ଯାହା । ସେ ବେଦନା ଅନୁଭବ କରି ମନ ଦହି ହୁଏ, ହୃଦୟ କରତି ହୁଏ । ଅନ୍ତର ନୀରବରେ ଗୁମୁରି ଗୁମୁରି କାନ୍ଦେ । ପାଟି ଖୋଲେ ନାହିଁ କି ଆଖିରୁ ଲୁହ ଝାରି ଦୁଃଖ ପ୍ରକାଶ କରି ହୁଏ ନାହିଁ । ସଞ୍ଜୟ ଏଇ ଅବସ୍ଥାରେ ପଡ଼ି ଛଟପଟ ହେଉଛି।

 

ନନ୍ଦିତାକୁ ଆଣିବାକୁ ଯାଇ ସେ ବାପାଙ୍କ ପାଖେ ଅପ୍ରିୟ ହୋଇଛି । ବାପାଙ୍କ ରାଗରେ ନନ୍ଦିତାକୁ କଡ଼ା କଥା କହି ସ୍ତ୍ରୀ ମନରେ ଭୁଲ ବୁଝାମଣାର ସୂତ୍ରପାତ କରିଛି । ଏଥିଲାଗି ସେ କଣ କମ୍‌ ଆଘାତ ପାଇଛି ? ସେ ଇଚ୍ଛାକୃତ ଭାବେ ନନ୍ଦିତାକୁ ଆଘାତ କରି ନଥିଲା । ବାପାଙ୍କ କଟୁକ୍ତି, ନନ୍ଦିତାର ଆସିବା ପାଇଁ ଅନିଚ୍ଛା ତାକୁ ରୁକ୍ଷ ହବାକୁ ବାଧ୍ୟ କରିଥିଲା । ଏଥିପାଇଁ କଣ ନନ୍ଦିତା ଦାୟୀ ନୁହେଁ ? କାହିଁକି ସେ ଏତେ ଦିନ କାଳ ତାକୁ ଛାଡ଼ି ରହିଛି ? ସେ ତ ଜାଣେ ୟା ଦ୍ୱାରା କୌଣସି ସୁଫଳ ହେବାର ସମ୍ଭାବନା ନାହିଁ । ସେ କଣ ତାର ଘର ଲୋକଙ୍କୁ ଚିହ୍ନିବାରେ ଏ ଦୀର୍ଘ ତିରିଶି ବର୍ଷ ମଧ୍ୟରେ ସକ୍ଷମ ହୋଇନି । କାହିଁକି ଏ ମନନିଆର ବୃଥା ପ୍ରୟାସ ନନ୍ଦିତାର ? ବିଶେଷତଃ ଯେଉଁଟା ସେ ଚାହେଁନି । ଏ ସବୁ ନିଜର ବଡ଼ପଣ ବଜାୟ ରଖିବା ଛଡ଼ା ଆଉ କଣ ହୋଇପାରେ ? ନିଜର ବିଦ୍ୟା ଓ ଆଭିଜାତ୍ୟର ଦମ୍ଭ ନନ୍ଦିତାର ତା କଥାକୁ ଲଙ୍ଘନ କରିବାର ସାମର୍ଥ୍ୟ ଦଉଛି । ନହେଲେ କେଉଁ ସ୍ତ୍ରୀ ସ୍ୱାମୀ ପାଖ ଛାଡ଼ି ଶାଶୁଘରେ ରହିବାର ଜିଦ୍‌ କରେ ଏତେ । ଯଦିବା ସେ ରାଗରେ ଚିଠି ଦଉନି ନନ୍ଦିତା କଣ ତାକୁ ଜାଣିନି ? ନନ୍ଦିତା ଆଗ ଖଣ୍ଡେ ଚିଠି ଦେଲେ କର କ୍ଷତି ହୁଅନ୍ତା । ଜାଣିଶୁଣି ସଞ୍ଜୟକୁ ଉପେକ୍ଷା କରିଛି । ସଞ୍ଜୟ ମନରେ ଦୁଃଖ ସହିତ ବିଦ୍ୱେଶଭାବ ମଧ୍ୟ କିଛି ପରିମାଣରେ ପ୍ରବେଶ କଲା । ତାର ଏ ମାନସିକ ରୁଗ୍‌ଣତାର ଏକମାତ୍ର ନିମିତ୍ତ ହେଉଛି ନନ୍ଦିତା । ସବୁଥାଇ ମଧ୍ୟ ସେ ଆଜି ସବୁଥିରୁ ବିଚ୍ଛିନ୍ନ । ବିକ୍ଷୁବ୍‌ଧ ମନ ତାର ବିଷେଇ ଉଠିଲା । ଏଇ ସଂସାର–ଏଇଥି ପାଇଁ ସେ ଏତେ ଭାବୁଛି । କିନ୍ତୁ ମନ କୌଣସି ପ୍ରବୋଧ ମାନୁନାହିଁ ତ ? ତା ଅନ୍ତରର ଶୂନ୍ୟତା ପୂର୍ଣ୍ଣ ହେଉନି ତ ? ସେଇ ଟିକି ଟିକି ଲାଲି ଓଠରେ ମିଠା ହସ ରହି ରହି ତା ମନକୁ ବିଷଣ୍ଣ କରି ଦେଉଛି । ଆଃ ସେ ଛୋଟ ଛୁଆଟା ହେଲେ ନୀରବ ମୁହୂର୍ତ୍ତରେ ଥାଆନ୍ତା ମନର ଅବସାଦ ଦୂର କରିବାକୁ ! ଝିଅ ଜନ୍ମ ହବାର ବର୍ଷେ ପାଖାପାଖି ହେଲା । ନନ୍ଦିତା ତା ପାଖରୁ ଯିବା ବର୍ଷେ ପୂରିଗଲା । ଗୋଟାଏ ପିଲା ଜନ୍ମ ହେବାର ଯଦି ବର୍ଷକରୁ ଊର୍ଦ୍ଧ୍ୱ ନିର୍ବାସନ ଦଣ୍ଡ ତାକୁ ମିଳେ ତେବେ ସନ୍ତାନ ହେବା କଣ ଏଇ ଅଭିଶାପ । ମାସେ ଦୁଇମାସ ନୁହେଁ ପୂରା ବର୍ଷେ ହେଲା ନନ୍ଦିତା ତା ପାଖରେ ନାହିଁ । ଆଉ ସେଥିପାଇଁ ତା ମନରେ ଅଭାବ ବୋଧ ମଧ୍ୟ ନାହିଁ । ଜାୟା ଭୂମିକାରେ ସମସ୍ତ ସଂଳାପ କଣ ବିସ୍ମୃତିରେ ବାଲୁଚର ମଧ୍ୟରେ ଅପସରି ଯାଏ ? ସେଇ ନାଁ ଝିଅ ହେବା ପୂର୍ବରୁ ଜିଦ୍‌ ଧରିଥିଲା ଯେ ସେ ପଛେ ଏକାନ୍ତ ଏକାକୀ ଭାବେ ସନ୍ତାନ ଜନ୍ମର ସମସ୍ତ ଦାୟିତ୍ୱ ବହନ କରିବ କିନ୍ତୁ ସଞ୍ଜୟର ଉଦାସ ଅବସ୍ଥା ସହ୍ୟ କରି ପାରିବନି । ଆଜି ସବୁ ଭୁଲି ହୋଇଯାଇଛି ତାର । ସ୍ୱାମୀ ହୃଦୟର ଦୁଃଖ ହାହାକାରର ମୂଲ୍ୟ ଅପେକ୍ଷା ସାମାଜିକ କର୍ତ୍ତବ୍ୟବୋଧ ବଡ଼ ହୋଇଛି । ସବୁ ନାରୀ କଣ ଏମିତି ଅସମ୍ଭବ ଭାବେ ବଦଳି ଯାନ୍ତି । କାହିଁ ତା ବନ୍ଧୁ ସୁକାନ୍ତର ସ୍ତ୍ରା ତ ଆଦୌ ତା ପାଖ ଛାଡ଼ି ଯିବାକୁ ଚାହୁଁନି । କି ହସ ଖୁସିରେ ସଂସାର ତାଙ୍କର ଭରି ଉଠୁଛି । କୋରାପୁଟ ଆସି ସୁକାନ୍ତ ପରିବାର ସହିତ ଘନିଷ୍ଠ ହେବା ପରେ ସଞ୍ଜୟର ଏ ଶୂନ୍ୟତା ଓ ସେ ଲାଗି ନନ୍ଦିତା ପ୍ରତି ଆକ୍ଷେପ ବଢ଼ି ଯାଇଛି । ଦିନକୁ ଦିନ ତା ମନରେ ନନ୍ଦିତା ଯେ ତାକୁ ମନରୁ ଦୂରେଇ ଦେଇଛି ଏଇ ଭାବନାଟା ଦୃଢ଼ ହୋଇଉଠୁଛି । ତା ନହେଲେ କେଉଁ ସ୍ତ୍ରୀ ସ୍ୱାମୀକୁ ଛାଡ଼ି ଶାଶୁଘରେ ରହିବାକୁ ଭଲପାଏ ? ଯାହା ଟଙ୍କା ସେ ପାଏ ସବୁ ତ ସମର୍ପି ଦିଏ ତା ପାଖରେ । କଣ ସେ କରେ ଏତେ ଟଙ୍କା ? ସେଦିନ ରେଫ୍ରିଜରେଟର୍‌ କିଣିବା ପ୍ରସ୍ତାବରେ କିସ୍ତି ସୁତ୍ରରେ କିଣିବାର ଉପଦେଶ ସେ ପାଇଥିଲା ତା ଠାରୁ; ସେଇତକ ଟଙ୍କା କଣ ନନ୍ଦିତା ପାଖେ ଗଚ୍ଛିତ ନାହିଁ ? ଗୋଟିଏ ସନ୍ତାନର ପାଳନ ଲାଗି କଣ ଏତେ ବେଶୀ ଅର୍ଥର ପ୍ରୟୋଜନ ! ଅବିଶ୍ୱାସର ବିଷରେ ବିଷେଇ ଉଠିଲା ସଞ୍ଜୟର ଅନ୍ତର । ସବୁ ନାରୀ କଣ ଏଇ ପ୍ରକାର ? ସ୍ୱାମୀର ସୁଖସ୍ୱାଚ୍ଛନ୍ଦ୍ୟ ଅପେକ୍ଷା ତା ଅର୍ଜିତ ଅର୍ଥକୁ ହିଁ ବେଶୀ ମୂଲ୍ୟ ଦିଅନ୍ତି ସ୍ନେହ ପ୍ରେମର ଦ୍ୱାହି ଦେଇ ଛଳନାର ଆଶ୍ରୟ ନିଅନ୍ତି । ଜୀବନ ନାଟକର ରଙ୍ଗମଞ୍ଚରେ ଦ୍ୱିତୀୟ ଅଙ୍କର ଅଭିନୟ ଏଇମାତ୍ର ଆରମ୍ଭ ହେଲା । ବହୁତ କିଛି ଦେଖିବାକୁ ଆଉ ଜାଣିବାକୁ ବାକି ଅଛି, ଏ ସାମାନ୍ୟ ଅଭିଜ୍ଞତା ଜୀବନର ଦୀର୍ଘତା ତୁଳନାରେ ପର୍ଯ୍ୟାପ୍ତ ନୁହେଁ ।

 

ରାତ୍ରି ଆହୁରି ନିବିଡ଼ ହୋଇ ଉଠୁଛି । ରୂପସୀ ରାତ୍ରି—ମାୟାବିନୀ ରାତ୍ରି—ମନକୁ ଉତ୍ତଳା କରେ । ଶୂନ୍ୟତାରେ ଭରିଦିଏ ଦେହ ଆଉ ମନ । ଅଗଣାରେ ଚନ୍ଦ୍ରାଲୋକର ମାୟା । ଭାବୁଥିଲା ନନ୍ଦିତା—ଘୁମନ୍ତ ଆକାଶର ରୂପାଢଳା ବକ୍ଷକୁ ଚାହିଁ ଆଶ୍ୱସ୍ତି ଅନୁଭବ କରୁଥିଲା । ଛାତିରେ ତାର ଅବ୍ୟକ୍ତ ବେଦନା । ଏମିତି ଜ୍ୟୋତ୍ସ୍ନାସ୍ନାତ ରାତ୍ରି ଦେଖିଲେ ମନଟା ତାର ଛଟପଟ ହୁଏ । ଚନ୍ଦ୍ରକା ତଉଳା ଆକାଶର ନଗ୍ନ ବକ୍ଷରେ ହଜିଯାଏ ତାର ମନ । ଏମିତି ସ୍ୱପ୍ନିଳ ରାତିରେ ସଞ୍ଜୟ କଥା ତାର ବେଶୀ ମନେପଡ଼େ । ଆଖିପତାରୁ ନିଦ୍ରା ଅପସରି ଯାଏ । ଚେଷ୍ଟା କରି ମଧ୍ୟ ସେ ମେଲିଲା ପତା ଦୁଇଟିକୁ ନିଦ୍ରାର ଗଭୀରତାରେ ଯୋଡ଼ି ପାରେନି । ଅନ୍ତହୀନ ଭାବନାରେ ମଗ୍ନ ମନ ତାର ବାହ୍ୟ ପରିବେଶକୁ ଭୁଲିଯାଏ ।

 

ଏମିତି କେତୋଟି ଜ୍ୟୋତ୍ସ୍ନାସ୍ନାତ ରଜନୀ ବିନିଦ୍ର ବିତେଇଛନ୍ତି ସେ ଓ ସଞ୍ଜୟ, ସେ କଥା ଆଜି ଆଉ ସ୍ପଷ୍ଟ ମନେ ନାହିଁ । ଦୁହେଁ ପାଖାପାଖି ହୋଇ ଆକାଶକୁ ଚାହିଁ ବିତେଇ ଦେଉଥିଲେ ଘଣ୍ଟା ପରେ ଘଣ୍ଟା । ଶରୀରର ନିବିଡ଼ତା ମନକୁ ମଧ୍ୟ ତାଙ୍କର ନିବିଡ଼ କରିଥିଲା । ଉଭୟଙ୍କ ସାନିଧ୍ୟରେ ଉଭୟେ ବିଭୋର ହୋଇ ଉଠୁଥିଲେ । ନିଷ୍ପଲକ ନୟନ, ନିଃଶନ୍ଦ ହୃଦୟର ତୃଷା ବୁଝିବାକୁ ଚେଷ୍ଟା କରୁଥିଲା । ସବୁ ଆଜି ଅତିକ୍ରାନ୍ତ ଅତୀତ । ନନ୍ଦିତା ହୃଦୟକୁ ଏକ ଶୂନ୍ୟତାରେ ଭରି ସଞ୍ଜୟର ପ୍ରାଣବୀଣା ଆଜି ନିଷ୍ପନ୍ଦ ହୋଇଯାଇଛି । ଏକଣ ହେଲା ତାର ? ସୁଖର ସମସ୍ତ ସମ୍ପଦକୁ ତା ଅଜ୍ଞାତରେ ଲୁଟିନେଇ କିଏ ତାକୁ ଆଜି ଏତେ ହତାଶା କାଙ୍ଗାଳିନୀ କଲା ? ଦାର୍ଗ ଏକ ବର୍ଷରୁ ଊର୍ଦ୍ଧ୍ୱ ସଞ୍ଜୟଠାରୁ ଦୂରରେ ରହି ଶଶୁର ନଣନ୍ଦଙ୍କ ବ୍ୟବହାରରେ କ୍ଷତ ବିକ୍ଷତ ହୋଇ ସେ ଫେରି ଆସିଥିଲା ସଞ୍ଜୟ ନିକଟକୁ । ସ୍ୱାମୀର ନିବିଡ଼ ଭଲପାଇବା ସେ କ୍ଷତରେ ପ୍ରଲେପ ଫଳ ଦେବ । କିନ୍ତୁ ସଞ୍ଜୟର ଏ ନିସ୍ପୃହତା ଆଉ ନିର୍ମମ ଉଦାସୀନତା ମନରେ ତାର ହତାଶାର ଅଗ୍ନି ଜାଳି ଦେଉଛି । ଏ ଅଗ୍ନି କଣ ସତେ ଲିଭିବ ?

 

ଅସହିଷ୍ଣୁ, ଅଧୈର୍ଯ୍ୟ ସଞ୍ଜୟର ରୂପ ତା ନୟନରେ ବିସ୍ମୟର ଅଂଜନ ବୋଳିଛି । ଏ ସଞ୍ଜୟ ସହିତ ତାର ପରିଚୟ ନଥିଲା । ଏଇ ବର୍ଷକ ମଧ୍ୟରେ ଅସମ୍ଭବ ପରିବର୍ତ୍ତନ ସମ୍ଭବିଛି । ସ୍ୱାମୀ ମନର ସେ ଉଦାରତା ଆଉ ଖୋଜିଲେ ମଧ୍ୟ ପାଉନି ନନ୍ଦିତା । ସଂକୀର୍ଣ୍ଣତା ସଞ୍ଜୟର ସତ୍ତାକୁ ଧୀରେ ଧୀରେ ଗ୍ରାସ କରି ଦେଉଛି ।

 

ଏବେ ପଇସାପତ୍ର ଲାଗି ସବୁବେଳେ ସେ ବିରକ୍ତ । ଅନେକ ଥର କୈଫୟତ ମାଗିବା ଭଙ୍ଗିରେ ସମ୍ବଲପୁରର ଖର୍ଚ୍ଚପତ୍ର ସମ୍ବନ୍ଧରେ ନନ୍ଦିତାକୁ ସେ ପ୍ରଶ୍ନ କରେ । ତାର କଷ୍ଟଅର୍ଜିତ ଅର୍ଥକୁ ଏ କେତେ ଦିନ ମଧ୍ୟରେ ସେ ଆତ୍ମସାତ୍‌ କରୁଛି ବୋଲି ନନ୍ଦିତା ବିରୁଦ୍ଧରେ ସଞ୍ଜୟର ପ୍ରଚ୍ଛନ୍ନ ଅଭିଯୋଗ । ଆଖିରେ ତାର ସ୍ତ୍ରୀ ପ୍ରତି ଅବିଶ୍ୱାସର କୁହେଳୀ । ଏ ଅପମାନ ଲଜ୍ଜ୍ୟାକୁ କେଉଁଠି ଲୁଚେଇବ ନନ୍ଦିତା ? ଶଶୁର, ନଣନ୍ଦ, ବନ୍ଧୁବାନ୍ଧବଙ୍କୁ ଖୁସି କରିବାକୁ ଯାଇ ସ୍ୱାମୀର ଘୃଣ୍ୟ ସନ୍ଦେହର ଶିକାର ହେବ ବୋଲି ସେ କଳ୍ପନା ମଧ୍ୟ କରି ନଥିଲା । ସେ ସଞ୍ଜୟକୁ ଏ ଘରର ଚାରିତ୍ରିକ ବିଶେଷତ୍ୱ ଠାରୁ ପୃଥକ୍‌ ବୋଲି ଭାବିଥିଲା । ସେଇ ହୋଇଥିଲା ତାର ସବୁଠାରୁ ବଡ଼ ସାନ୍ତ୍ୱନା, ବଡ଼ ଭରସା । କିନ୍ତୁ ଆଜି ତାର ହାତମୁଠାରେ ଧରିଥିବା ସୁଦୃଢ଼ ଅବଲମ୍ବନ ଧୀରେ ଧୀରେ ଶିଥିଳ ହେବାକୁ ଆରମ୍ଭ କରିଛି । କଣ କରିବ ସେ ? ଏ ନିଶ୍ଚିତ ପତନରୁ ରକ୍ଷା ପାଇବାର ଉପାୟ ନାହିଁ-? ସେଦିନ ସଞ୍ଜୟର ସେ ବଙ୍ଗୋକ୍ତି ରହି ରହି ଆଜି ମଧ୍ୟ ତା କାନ ପାଖରେ ଶୁଭିଯାଏ-

 

ରେଫ୍ରିଜରେଟର୍‌ କିଣିବାକୁ ଟଙ୍କା ଦେଲିନି ତ ନନ୍ଦା ।

 

ତମକୁ ପରା ଇନ୍‌ଷ୍ଟଲମେଣ୍ଟରେ କିଣିବାକୁ କହିଲି ?

 

ଭଲ ଉପଦେଶ ତ । ସମସ୍ତ ରୋଜଗାର ତମ ପାଖରେ ଦେଇ ତମଠାରୁ ଧାର କରିବାର ପରାମର୍ଶ ନ ପାଇଲେ ଆଉ କି ଘରକରଣା ହେଲା ଆମର, କଣ୍ଠରେ ସଞ୍ଜୟର ଶାଣିତ ଛୁରୀ ।

 

ମୋ ପାଖରେ ତ ଏତେ ଟଙ୍କା ନ ଥିଲା କଣ ଆଉ କହିଥିନ୍ତି ମୁଁ ? ଶଙ୍କିତ ଗଳାରେ ଉତ୍ତର ଦେଲା ନନ୍ଦିତା ।

 

ଟଙ୍କା ନ ଥିବାର ସନ୍ତୋଷଜନକ ଉତ୍ତର କିଛି ଦେଇ ପାରିବ ତମେ ? ଘରେ ରହି ଏତେ ଟଙ୍କା କଣ କଲ ?

 

ଯାହା ଦରକାର ହେଲା ଖର୍ଚ୍ଚ ହେଲା, ଘରେ ଥିଲେ କଣ ଟଙ୍କା ଖର୍ଚ୍ଚ ହୁଏନି ? ପୁଷି ପୁଣି ଶାଶୁଘରୁ ଆସିଥିଲେ । ଆହତ ଗଳାରେ ଉତ୍ତର ଦେଲା ନନ୍ଦିତା ।

 

ମୋର କଷ୍ଟଅର୍ଜିତ ଧନ ତମର ସଉଖୀନ ଖର୍ଚ୍ଚ ପାଇଁ ଦେଇ ନଥିଲି ମୁଁ ବୁଝିଲ ?

 

ମତେ ତ କିଛି କହି ନଥିଲ । କ୍ଷୀଣ କଣ୍ଠରେ ପ୍ରତିବାଦ କଲା ନନ୍ଦିତା ।

 

ବୁଝିଲ ନନ୍ଦା ତମେ ନାବାଳିକା ନୁହଁ । ଅର୍ଥନୀତିରେ ଡିଗ୍ରୀ ପାଇଛ । ଅର୍ଥନୀତିର ସମସ୍ତ ସଂଜ୍ଞା ଯେ ତମେ କଲେଜ ହତା ଭିତରେ ତ୍ୟାଗ କରି ଆସିଛ ଏ ଧାରଣା ମୋର ନ ଥିଲା । ତମଠାରେ ସୁଗୃହିଣୀର ସମସ୍ତ ସଦ୍‌ଗୁଣ ଆରୋପ କରି ମୁଁ ବିଶ୍ୱାସ କରିଥିଲି । କିନ୍ତୁ ଦେଖୁଛି ଶେଷରେ ମୁଁ ସାଂଘାତିକ ଭାବେ ଠକି ଯାଇଛି । ଆଜି ଏ ଭୁଲ ମୋର ହେବ ନାହିଁ । ସଞ୍ଜୟ କଣ୍ଠରେ ବ୍ୟଙ୍ଗ ।

 

ଏ ଦୁଃସହ ଲଜ୍ଜ୍ୟା କେଉଁଠି ଲୁଚେଇବ ନନ୍ଦିତା ? କି ଅଦ୍ଭୁତ ପରିବର୍ତ୍ତନ ସଞ୍ଜୟର । ସେ ରୋଜଗାର କରେ ବୋଲି ତା ଟଙ୍କା ଖର୍ଚ୍ଚ କରିବା ନନ୍ଦିତା ପକ୍ଷରେ କଣ ଏତେ ମାରାତ୍ମକ ଅପରାଧ । ଯେଉଁଥି ପାଇଁ ସଞ୍ଜୟ ତାକୁ ଏତେ ପର ବୋଲି ମଣିଲା । ବାଇଶି ବର୍ଷର ଜୀବନକାଳ ମଧ୍ୟରେ ସେ ଯେଉଁ ଅଳ୍ପ କେତୋଟି ଦାମ୍ପତ୍ୟ ଜୀବନ ନିଜ ଘର ଓ ନିକଟତମ ବାହାରର ଲୋକଙ୍କ ମଧ୍ୟରେ ଦେଖିଛ ସେଥିରେ ଜୀବନର ଏ ସଂକୀର୍ଣ୍ଣ ଦୃଷ୍ଟିଭଙ୍ଗୀର ପରିଚୟ କେଉଁଠି ପାଇଛି ବୋଲି ତ ମନେ ହେଉନି ତାର ! ଶାଶୁଘରର ସେ ଅଶାନ୍ତମୟ ପରିବେଶରେ ରହି ନିଜର କେଉଁସବୁ ଖିଆଲ ଓ ସଉକି ଚରିତାର୍ଥ କରିବାରେ ସଞ୍ଜୟର କଷ୍ଟଅର୍ଜିତ ଉପାର୍ଜନକୁ ବିନିଯୋଗ କରିଥିଲା ଆଜି ଗଭୀର ଭାବେ ଚିନ୍ତା କଲେ ମଧ୍ୟ ଉପଲବ୍‌ଧି କରିପାରୁନି ସେ ।

 

ନନ୍ଦିତାର ଛାତିରେ କିଏ ମୁଦ୍‌ଗର ପିଟୁଛି । ଈର୍ଷା ଅପେକ୍ଷା ଅପମାନର ଆଘାତ ଆହୁରି ବେଶୀ ମର୍ମନ୍ତୁଦ ତା ପୁଣି ନିଜର ପ୍ରିୟଜନ ନିକଟରୁ । କାହିଁକି ସେ ସହିବ ଏ ଅପମାନର ଜ୍ୱାଳା ? ସଞ୍ଜୟ ତାକୁ ଭୁଲ ବୁଝିଛି । ଭୁଲ ବୁଝି ତାକୁ ଛଡ଼ାଫୁଲ ପରି ଧୂଳିରେ ନିକ୍ଷେପ କରିଛି ।

 

ସଞ୍ଜୟ ମନରୁ ତାର ପ୍ରୟୋଜନୀୟତା ନିଃଶେଷ ହୋଇ ଯାଇଛି । ଗୋଟିଏ ସନ୍ତାନର ଜନ୍ମ ପରେ ଦ୍ୱିତୀୟ ସନ୍ତାନର ପ୍ରକାଶ ସମାଗତ । ନନ୍ଦିତା ଶରୀରର ସମସ୍ତ ଆକର୍ଷଣୀୟ ଶକ୍ତି ନଷ୍ଟ ହୋଇଯାଇଛି । ଆଉ ସଞ୍ଜୟ ମନରେ ମାଂସର କ୍ଷୁଧା ନାହିଁ । ଆଉ ମନ–ସେ ଗୋଟାଏ ଔପନ୍ୟାସିକ ବିଷୟବସ୍ତୁ । ବାସ୍ତବ ଜୀବନରେ କେତେ ଜଣ ସ୍ୱାମୀ ସ୍ତ୍ରୀର ମନ ଗହନର ଖବର ରଖନ୍ତି ? ଜୀବନଟା ଅତିମାତ୍ରାରେ ଯାନ୍ତ୍ରିକ ହୋଇଯାଏ ତେଣିକି । ସଞ୍ଜୟ ତା ମନର ଖବର ରଖିବାର ଆବଶ୍ୟକତା ଅନୁଭବ କରିନି ସେଇଥିପାଇଁ । ଆଉ ସେଇଥିପାଇଁ ଏକାଘରେ ଚଳପ୍ରଚଳ ହେଲେ ମଧ୍ୟ ଉଭୟଙ୍କର ମାନସିକ ଅସାମଞ୍ଜସ୍ୟତା ବଢ଼ିଚାଲିଛି । ସଞ୍ଜୟ ନିର୍ବିକାର ଭାବରେ ନନ୍ଦିତାର ସମସ୍ତ ମାନସିକ ଅବସ୍ଥାକୁ ଉପେକ୍ଷା କରି ଆର ଘରେ ନିଦ୍ରା ଯାଇଛି । ଆଜିର ଏ ଜ୍ୟୋତ୍ସ୍ନା ଆଉ ସ୍ତ୍ରୀ ମନର ଏ ଆବେଗ ସବୁ କିଛିକୁ ସେ ଉପେକ୍ଷା କରିଛି ଅକାତରେ । ସଙ୍ଗୀତାର ରାତିରେ କାନ୍ଦିବାର ଆଳ କରି ସେ ଅନ୍ୟ ଘରେ ତାର ନିଶ୍ଚିତ ନିଦ୍ରାର ବ୍ୟବସ୍ଥା କରିଛି । ପ୍ରୟୋଜନ ମେଣ୍ଟାଇବା ବ୍ୟତୀତ ନନ୍ଦିତାକୁ ସାନିଧ୍ୟ ଦେବାର ସେ ଏକାନ୍ତ କାର୍ପଣ୍ୟ ପ୍ରକାଶ କରିଛି-। ଅଥଚ ସେଇ ନନ୍ଦିତା ପାଖରେ ନଥିଲେ ତାର ସୁନିଦ୍ରା ହୁଏ ନାହିଁ ବୋଲି ଅତୀତରେ ବହୁବାର ଅଭିଯୋଗ କରିଥିଲା ସଞ୍ଜୟ । ଏତେ ଦୁଃଖରେ ମଧ୍ୟ ହସ ଲାଗିଲା ନନ୍ଦିତାକୁ । ସବୁ ପୁରୁଷ କଣ ସତେ ଏଇୟା ? ନାରୀକୁ କେବଳ ପ୍ରୟୋଜନ ଦୃଷ୍ଟିକୋଣରୁ ବିଚାର କରନ୍ତି । ନନ୍ଦିତାକୁ ଅଣନିଃଶ୍ୱାସୀ ଲାଗିଲା । ମନଗହନର ଅସମ୍ଭବ କୁହୁଡ଼ି ମଝିରେ ସେ ଆଜି ପଥହରା । କେଉଁ ଆଲୋକଧାରା ସଂପାତରେ ଆଉ ତାର ଏ ହଜିଲା ପଥର ସନ୍ଧାନ ମିଳିବ ?

 

ସମୟର ବୁକୁ ଚିରି ଦ୍ୱିତୀୟ ସନ୍ତାନ ନନ୍ଦିତାର ଆତ୍ମପ୍ରକାଶ କରିଛି । ତାର ଆଗମନରେ ଏ ଘର ମୁଖରିତ ହେଇନି । ଏକବିଂଶତି ଦିବସ ଉପଲକ୍ଷେ ଏ ଘର ଆତ୍ମୀୟସ୍ୱଜନଙ୍କ ଗହଣରେ ଉତ୍ସବିତ ହୋଇ ଉଠିନି । ନିତାନ୍ତ ନିରାଡ଼ମ୍ବର ପାଲାପୂଜାରେ ସମସ୍ତ ଉତ୍ସବ ସମାପ୍ତ ହୋଇଛି । ଦ୍ୱିତୀୟ ଶିଶୁର ଆବିର୍ଭାବ ଏ ଘରେ ଅନାକାଙ୍‌କ୍ଷିତ । କାରଣ ସେ କନ୍ୟା । ତେଣୁ ତାର ଆଗମନରେ ଗୃହାଙ୍ଗନ ଉତ୍ସବ ମୁଖରିତ ହେବାର କୌଣସି କାରଣ ନାହିଁ । ସଞ୍ଜୟର ସ୍ପଷ୍ଟ ଉକ୍ତି ନନ୍ଦିତା ବକ୍ଷରେ ତୀର ପରି ଭେଦିଗଲା । ଦୁଇ କନ୍ୟାର ଆଗମନଜନିତ ଅପରାଧଟା କଣ ନନ୍ଦିତାର ନାଁ ଏଇ କୋମଳ ଶିଶୁର ? ଏ ଜଟିଳ ପ୍ରଶ୍ନର ସମାଧାନ ନନ୍ଦିତାର ସରଳ ମସ୍ତିଷ୍କ ବାହାର କରିବାରେ ଆଉ ସମର୍ଥ ହେଲାନି । ଦ୍ୱିତୀୟ ସନ୍ତାନ କନ୍ୟା ହେବା କଣ ଏତେ ବଡ଼ ଅଭିଶାପ ପିତା ପକ୍ଷରେ ଯେ ଯେଉଁଥି ପାଇଁ ତା ପାଇଁ ବା ତାର ନବାଗତା କନ୍ୟା ପାଇଁ ନୂତନ ପରିଧେୟର ମଧ୍ୟ ପ୍ରୟୋଜନ ହେଲା ନାହିଁ ? ତାଙ୍କ ଘରୁ ନୂଆଲୁଗା ପଟା ମା, ଝିଅଙ୍କ ପାଇଁ ନ ଆସିଥିଲେ ଆଜିର ଏ ଦିନଟି ପୁରୁଣା ଲୁଗା ପିନ୍ଧି କଟେଇବାକୁ ହୋଇଥାନ୍ତା । କିନ୍ତୁ କାହିଁକି ? ଦିନକୁ ଦିନ ଏତେ ଅର୍ଥ ସଚେତନ ସଞ୍ଜୟ କାହିଁକି ହୋଇଯାଉଛି ? ଦୁଃଖ ଓ ଅପମାନରେ ଜଳିଗଲା ନନ୍ଦିତାର ହୃଦୟ । ଇସ୍‌–କି ନୀଚତା ପ୍ରକାଶ କଲା ସଞ୍ଜୟ ତା ବାପଘର ଲୋକଙ୍କ ଆଗରେ ? ବୋଉ ଓ ସାନଭାଇ ତାର ପ୍ରସୂତି ଅବସ୍ଥା ପୂର୍ବରୁ ଆସିଛନ୍ତି ତା ପାଖରେ ରହିବାକୁ କଣ ଭାବିଥିବ ବୋଉ ଜ୍ୱାଇଁଙ୍କର ଏ ହୀନମାନ୍ୟତା ଦେଖି ? ସଞ୍ଜୟର ରୁକ୍ଷ କଥା ନିଶ୍ଚୟ ସେ ଘରେ ବୋଉ କାନରେ ପଡ଼ିଛି । ନନ୍ଦିତାର ବକ୍ଷ ବିଦୀର୍ଣ୍ଣ ହୋଇଗଲା ସଞ୍ଜୟର ଏ ନୀଚୋକ୍ତିରେ । ଦୁଇ ହାତରେ ମୁହଁ ଘୋଡ଼ାଇ ରହିଗଲା ସେ । ସେଇଠି ଛିଡ଼ା ହୋଇ କକ୍ଷସ୍ଥିତ ଫ୍ଲୁରୋସେଣ୍ଟ ଆଲୋକର ପ୍ଲାବନକୁ ଚାହିଁ ରହିଥିଲା କେତେ ସମୟ । ଅଥଚ ସେ ଆଲୋକର ପ୍ଲାବନ ମଧ୍ୟରେ ଅନ୍ଧକାର ହିଁ ତାର ନୟନ ଗୋଲକକୁ ଧୂମାୟିତ କରି ରଖିଥିଲା ।

 

X X X

 

ଆକାଶର ବୁକୁରେ ଚନ୍ଦ୍ର ଏଥର ସ୍ପଷ୍ଟ ହୋଇ ଉଠିଲାଣି । ଟିକକ ଆଗରୁ ଅନ୍ଧକାରର ନିରନ୍ଧ୍ରତା ପତଳା ହୋଇ ଆସିଲାଣି । କିନ୍ତୁ ନନ୍ଦିତାର ମନ ଗହନର ଅନ୍ଧାର ମୂଲକରେ ଆଉ ଚନ୍ଦ୍ରକାର ପ୍ଲାବନ ସମ୍ଭବିବ ନାହିଁ । ଏଇ ନିରନ୍ଧ୍ର ଅନ୍ଧକାର ମଧ୍ୟରେ ଚନ୍ଦ୍ରର ଆବିର୍ଭାବ ବିନା ଏତେ ବଡ଼ ଜୀବନ ପଥ ସେ କେମିତି ଅତିକ୍ରମ କରି ପାରିବ ? ଏ ଅନ୍ଧକାର ଦିନକୁ ଦିନ ଘନୀଭୂତ ହେଉଛି । କେମିତି ସେ ଏଥିରୁ ଆଉ ନିସ୍ତାର ପାଇବ ?

 

ଦଲକାଏ ଶୀତୁଳିଆ ପବନ ପଶି ଆସିଲା ଘର ଭିତରକୁ । ନନ୍ଦିତାର ଦେହଟା କେମିତି ଶୀତେଇ ଉଠିଲା ହଠାତ୍‌ । ରାତି ବଢ଼ି ଚାଲିଛି । କାନ୍ଥଘଡ଼ିକୁ ଚାହିଁଲା ନନ୍ଦିତା । କେତେବେଳୁ ଦିଟା ବାଜିଲାଣି । ବହୁ ସମୟ ଧରି ଏକାଜାଗାରେ ଏକା ଅବସ୍ଥାରେ ବସି ରହିଛି ସେ ଅକାରଣରେ । ମନ ଭିତରେ ଅଜସ୍ର ଭାବନାର ଜାଲ । ଏଇ ଜାଲରେ ଛନ୍ଦିହୋଇ ଅତୀତର ହଜିଯାଇଥିବା ଦିନ ଗୁଡ଼ିକର ଏକାନ୍ତ ସନିକଟ ହବାକୁ ମନ୍ଦ ଲାଗେ ନାହିଁ । ବର୍ତ୍ତମାନ ଯାହାର ବେଦନାମୟ ଭବିଷ୍ୟତ ଅନ୍ଧକାର ସେ ଅତୀତର ସୁନେଲି ପ୍ରଭାତରୁ ଆଲୋକ ଓ ଶକ୍ତି ସଞ୍ଚୟ ନକରି ଉପାୟ କଣ ? ଏଇ ସ୍ୱଳ୍ପ ଶକ୍ତି ଉପରେ ନିର୍ଭର କରି ତାକୁ ଜୀବନ ଯାତ୍ରାର ଦୀର୍ଘ ପଥରେ ଆଗେଇବାକୁ ହେବ । ଜୀବନରେ ଆଉ କିଛି ହେଲେ ପ୍ରତ୍ୟାବୃତ୍ତ ପୁଞ୍ଜ ନାହିଁ । ଯାହାକୁ ନେଇ ନନ୍ଦିତା ଜୀବନ ଜୁଆରେ ବାଜି ଲଗେଇବ । ସେ ହାରି ଯାଇଛି । ସେଦିନ ବଡ଼ ଝିଅର ଜର ପାଇଁ ନନ୍ଦିତା ସଞ୍ଜୟକୁ କହିଥିଲା ହୋମିଓପାଥି ଔଷଧ ପାଇଁ । ସଞ୍ଜୟର ଜଣେ ସହକର୍ମୀ ନିଜେ ଭଲ ହୋମିଓପାଥି ଔଷଧ ଦିଅନ୍ତି । ସଞ୍ଜୟ ନିଜେ ଯାଇ ସମସ୍ତ ଲକ୍ଷଣ ଗୁଡ଼ିକ ଭଲ କି ତାଙ୍କୁ କହି ଔଷଧ ଆଣିବାକୁ କହିଥିଲା ନନ୍ଦିତା-। ସଞ୍ଜୟ କ୍ଲବ ଗଲାବାଟରେ ଟିକିଏ ତାଙ୍କ ଘରକୁ ଚାଲିଯାଇଥିଲେ ଔଷଧଟା ଆସି ପାରିଥାନ୍ତା-। ଦୁଇ ଦିନକାଳ ଭୁଲିଗଲିର ଆଳ ଦେଖାଇ ସଞ୍ଜୟ ନିର୍ବିକାର ରହିଥିଲା । ତୃତୀୟ ଦିନ ରାତିରେ କ୍ଲବରୁ ଫେରି ନନ୍ଦିତାର ପ୍ରଶ୍ନରେ ଉତ୍ତର ଦେଇଥିଲା—

 

ସେ ନଥିଲେ ମୁଁ ଓ ଆମ୍ବେଦକର ଯାଇ ଫେରି ଆସିଲୁ । ନନ୍ଦିତାର କିପରି ଗୋଟାଏ ହୃଦ୍‌ବୋଧ ହେଲା ଯେ ସଞ୍ଜୟ ନିଜର ଅବହେଳାକୁ ଲୁଚାଇବାକୁ ଯାଇ ମିଥ୍ୟାର ଆଶ୍ରୟ ନେଇଛି । କିଛି ନ କହି ନନ୍ଦିତା ନୀରବ ରହିଥିଲା । ତା ପର ଦିନ ଶ୍ରୀମତୀ ଆମ୍ବେଦକର ତାଙ୍କ ଘରକୁ ଦୈବାତ୍‌ ବୁଲି ଆସିଥିଲେ । ନନ୍ଦିତା ତାଙ୍କୁ କଥା ପ୍ରସଙ୍ଗରେ କହିଥିଲା ଡ: ଆମ୍ବେଦଙ୍କର ଗାଡ଼ିରେ ସଞ୍ଜୟ ମୁଖର୍ଜିଙ୍କ ଘର ବାଟେ କ୍ଲବ ଯାଇଥିଲା । ନିଜ ଗାଡ଼ି ଖରାପ ଥିବାରୁ ।

 

ଶ୍ରୀମତୀ ଆମ୍ବେଦକର ସାଙ୍ଗେ ସାଙ୍ଗେ କହି ଉଠିଲେ ନାଁ ତ ମିଷ୍ଟର ବହିଦାର ଆମ ସଙ୍ଗେ ପଟେଲଙ୍କ ଘରକୁ ଯାଇଥିଲେ, ସେଠି କାଲି ଡିନର ଥିଲା । ଫେରୁ ଫେରୁ ଡେରି ହୋଇଗଲା । ଆପଣ କାହିଁକି ଗଲେନି । ଆପଣଙ୍କୁ ତ ସେ ଡାକିଥିଲେ । ସତରେ କାଲି ଆପଣଙ୍କୁ ଭାରି ମିଶ୍‌ କଲୁ ଆମେ ।

 

ନନ୍ଦିତା ଆଶ୍ଚର୍ଯ୍ୟ ହୋଇଗଲା । ଏ ଅହେତୁକୀ ମିଥ୍ୟା କଣ ବା ପ୍ରୟୋଜନ ଥିଲା । ପଟେଲଙ୍କ ଘରର ଡିନର କଥା ତାକୁ ସଞ୍ଜୟ ଆଦୌ ଜାଣିବାକୁ ଦେଇ ନଥିଲା । ରାତିରେ ନଖାଇବାର କାରଣ କ୍ଲବରେ ବହୁତ snacks ଖିଆ ହୋଇଥିବା ଦର୍ଶେଇ ଥିଲା ସେ । କିନ୍ତୁ କାହିଁକି ? ନନ୍ଦିତାର ସାନିଧ୍ୟ ଯଦି ସେ ଡିନରରେ ସେ ଚାହୁଁ ନଥିଲା ତେବେ ନନ୍ଦିତା କଣ ଯିବାପାଇଁ ଜିଦ୍‌ କରିଥାନ୍ତା ? ତା ଛଡ଼ା ସେ ତ ଭଲଭାବେ ଜାଣେ ଯେ ସାନଛୁଆକୁ ଛାଡ଼ି ସେ କେବେହେଲେ ଯାଇ ନ ଥାନ୍ତା ତେବେ ତାକୁ ଲୁଚେଇ ଲାଭ କଣ ? ମନ ତାର ବିଷାଦରେ ଭରିଉଠିଲା ।

 

ପରଦିନ ସଞ୍ଜୟକୁ ସେ ପଚାରିଥିଲା ଝିଅର ଔଷଧ ପାଇଁ ତମେ ମୁଖର୍ଜିଙ୍କ ଘରକୁ ଯାଇଥିଲ ସେ ନଥିଲେ !

 

କାଲି ତ ସେ କଥା କହିଥିଲି । ପୁଣି ଏ ପ୍ରଶ୍ନର ତାତ୍ପର୍ଯ୍ୟ ?

 

ତାତ୍ପର୍ଯ୍ୟ ଆଉ କିଛି ନାହିଁ ଯେ ତମେ ଯାଇନ ମତେ ମିଛ କହିଛ ।

 

ହଠାତ୍‌ ଏପରି ସନ୍ଦେହ କରିବାର ହେତୁ ? କାଲି ଶ୍ରୀମତୀ ଆମ୍ବେଦକରଙ୍କଠାରୁ ତମର ପଟେଲଙ୍କ ଘରର ପାର୍ଟି ସମ୍ବନ୍ଧରେ ସବୁକଥା ମୁଁ ଶୁଣିଛି ।

 

ସଞ୍ଜୟର ମୁହଁ ଫିକା ପଡ଼ିଯାଇଥିଲା ତାର ମିଥ୍ୟାର ସ୍ୱରୂପ ପ୍ରକାଶିତ ହୋଇଯାଇଥିବା ଦେଖି ।

 

ଦୁଃଖ ଓ ଅଭିମାନରେ ନନ୍ଦିତା ଭାଙ୍ଗିପଡ଼ିଲା । ଆଖିରେ ଆଖିଏ ଲୁହ ନେଇ ଥର ଥର ଗଳାରେ ସେ କହିଥିଲା—

 

‘‘କି ଦୋଷ କରିଛନ୍ତି ସେ ନିରୀହ ଶିଶୁଦିଟି ? ମୁଁ ସିନା ପର । ସେମାନେ ତ ତମରି ଆତ୍ମଜା । କାହିଁକି ଏ ଅବହେଳା ତାଙ୍କପ୍ରତି ତମର ? ତୁମେ ବାପ ହୋଇ ପିଲାଙ୍କ ପ୍ରତି ତମ କର୍ତ୍ତବ୍ୟରେ ଏତେ ଅବହେଳା କେମିତି କରି ପାରିଲ ? ଚାରିଦିନ ହେଲା ଆଜିକି ଏତେ ଟିକେ ଛୁଆର ଜର ରେମିଶନ୍‌ ହେଉନି । ତୁମେ ନିଜ ମନକୁ ତାର ଚିକିତ୍ସାର ବନ୍ଦୋବସ୍ତ କରନ୍ତ କଣ ମୁଁ କହିଲେ ଅଧିକା ମିଥ୍ୟାର ଆଶ୍ରୟ ନେଇ ଫାଙ୍କିବାର ଚେଷ୍ଟା କରୁଛ ମତେ ? ତମର ଆନନ୍ଦ ତମରି ସୁଖ ଦେଖିବା ବ୍ୟତୀତ ଏମାନଙ୍କ ପାଇଁ ତମର ଖଣ ଏତେ ଟିକିଏ ହେଲେ କର୍ତ୍ତବ୍ୟ ନାହିଁ ?’’

 

ଆଉ ବେଶୀ କହି ପାରି ନଥିଲା ନନ୍ଦିତା । ଛାତିର ଅବ୍ୟକ୍ତ ଯନ୍ତ୍ରଣାରେ ଭାଷା ତାର ମୂକ ହୋଇ ଯାଇଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ନନ୍ଦିତାର ଦୁଃଖ ଓ ବେଦନା ସଞ୍ଜୟ ମନରେ କୌଣସି ଅନୁଶୋଚନାର ପ୍ରତିକ୍ରିୟା ସୃଷ୍ଟି କଲା ନାହିଁ । ତାର ମୁଖର ଭଙ୍ଗୀରେ କ୍ରୋଧର ପ୍ରତିଫଳନ ସ୍ପଷ୍ଟ ହୋଇଥିଲା । ଚକ୍ଷୁର ତାରକାରେ ଅଗ୍ନିର ଝଲକ ଖେଳି ଉଠିଥିଲା ।

 

‘‘ବେଶ୍‌ ତ ଅଭିଯୋଗ କରିବାର ସାହସ ସଂଗ୍ରହ କରି ସାରିଲଣି ଦେଖୁଛି । ମନେରଖ ମୋର କେଉଁଠିକୁ ଯିବା ଆସିବାରେ ଆଉ କେବେ ପ୍ରତିବନ୍ଧକ ସୃଷ୍ଟି କରିବାର ଚେଷ୍ଟା କରିବନି । ଆଉ ପିଲାଙ୍କ ପାଇଁ ଔଷଧ ଆଣିବା ସେ ମୋର ଇଚ୍ଛାଧୀନ । ମୋ ଇଚ୍ଛା ବିରୁଦ୍ଧରେ ତମର ଏ ଆସ୍ଫୋଳନ ନିରର୍ଥକ ।’’

 

ସ୍ତବ୍‌ଧ ହୋଇଯାଇଥିଲା ନନ୍ଦିତା । ଏକଣ ଶୁଣିଲା ସେ ଆଜି ? ନିଜକୃତ ଦୋଷଲାଗି ସଞ୍ଜୟ ଅନୁଶୋଚନା କରିବ ବୋଲି ସେ ଭାବିଥିଲା । ସେ ଅଯଥା ସ୍ତ୍ରୀକୁ ମିଛ କହି ଫାଙ୍କିଛି ବୋଲି ଲଜ୍ଜିତ ହେବ ବୋଲି ନନ୍ଦିତା ମନେ କରିଥିଲା । କିନ୍ତୁ ସମସ୍ତ ଆଶାକୁ ଆଶଙ୍କାରେ ପରିଣତ କରି ସଞ୍ଜୟ ଏକି ଅଭିନବ ରୂପ ପ୍ରକାଶ କଲା ? ଅଙ୍ଗ ପ୍ରତ୍ୟେଙ୍ଗର ସମସ୍ତ ରକ୍ତବାହି ଧମନୀ ଗୁଡ଼ିକର ପ୍ରକ୍ରିୟା ହଠାତ୍‌ ବନ୍ଦ ହୋଇଗଲାପରି ଲାଗିଥିଲା ତାକୁ ସେଦିନ । ସେ ସଞ୍ଜୟ ସମ୍ମୁଖରେ ନିଃଶବ୍ଦରେ ଅପସରି ଗଲା ।

 

ତା ପରେ ପିଲାଙ୍କର ବା ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧରେ କୌଣସି ଅଭିଯୋଗ ନନ୍ଦିତା କରିବାକୁ ଚାହିଁନି । ମନ ତାର ବିତୃଷ୍ଣାରେ ଭରି ଯାଇଛି । ସଞ୍ଜୟ ମଧ୍ୟ ସେଥିପ୍ରତି ଆଉ ଦୃଷ୍ଟି ଦେଇ ନାହିଁ । ଆଜି ରହି ରହି ସେଇସବୁ ମନେ ପଡ଼ୁଥିଲା ତାର । ସଞ୍ଜୟର ଏ ଧରଣର ଉଦାସୀନତା, ନନ୍ଦିତାର ମନେ ହୋଇଥିଲା ନିଷ୍ଠୁର ସ୍ୱାର୍ଥପରତା ପରି । ତା ସେ ସହି ପାରି ନଥିଲା । ବିବାହ କରିଥିଲେ ମଧ୍ୟ ସହ୍ୟ ହେଲାନାହିଁ । କୌଣସି ସ୍ତ୍ରୀ ସ୍ୱାମୀର ଏ ସ୍ୱାର୍ଥପର ସାଂସାରିକ ଉଦାସୀନତାକୁ ସହ୍ୟ କରିପାରେ ନାହିଁ, କେତେ ଦିନ ତଳର ସେହି ଦୁରନ୍ତ ଅଭିମାନକୁ ସ୍ମରଣ କରି ବିଛଣାକୁ ଗଲା ନନ୍ଦିତା । ସୁଜାତାକୁ କୋଳକୁ ନେଲା । ପଛପଟେ ଦୁଇବର୍ଷର ଶିଶୁ ସଂଗୀତା ଶୋଇ ଯାଇଛି । ସୁଜାତାକୁ ଆହୁରି ଜୋରରେ କୋଳକୁ ଭିଡ଼ି ଆଣିଲା ସେ । ଅତୀତକୁ ଦୂରେଇ ଦେଇ ସେ ଆପଣାର କରିନେଲା ବର୍ତ୍ତମାନକୁ । କିନ୍ତୁ ଏଇ ବର୍ତ୍ତମାନକୁ ନେଇ ସେ ବଞ୍ଚିପାରିବ ତ ? କେତେ ଦୁର୍ବଳ ଏ ଅବଲମ୍ବନ ତାର ।

 

ପାଖାପାଖି ଦୁଇଟି ଚେୟାରରେ ବସିଥିଲେ ସଞ୍ଜୟ ଓ ନନ୍ଦିତା । ଉତ୍ତୀର୍ଣ୍ଣ ଚଇତି ଅପରାହ୍ନ ମନକୁ ହାଲୁକା କରି ଦେଇଥିଲା, ଆଉ ବି ହାଲୁକା କରି ଦେଇଥିଲା ନନ୍ଦିତାର ଭାରି ହୃଦୟକୁ ସଞ୍ଜୟର ପ୍ରଗଳ୍‌ଭତା । ସଞ୍ଜୟ ଘରେ ଯେତେବେଳେ ରହେ ଏମିତି ଅହେତୁକୀ ପ୍ରଗଳ୍‌ଭତାରେ ମୁଖରିତ କରି ରଖେ ନନ୍ଦିତାର ବିଷର୍ଣ୍ଣ ହୃଦୟାଙ୍ଗନକୁ ବେଳେ ବେଳେ । ଆଉ ନନ୍ଦିତା—ମନପକ୍ଷୀ ତାର ପକ୍ଷ ବିସ୍ତାର କରି ହଠାତ୍‌ ସୁନେଲି ଆକାଶରେ ଘୁରି ବୁଲେ ସଞ୍ଜୟର ଏ ମୁଖରତାରେ । ବିଗତ ଦିନର ସବୁ ଦାହ ସବୁ ଯାତନା ସଞ୍ଜୟର ସ୍ମିତହାସ୍ୟ ପାଖରେ ନିଶ୍ଚିହ୍ନ ହୋଇଯାଏ ଯେମିତି ତାର । ସେ ପୂର୍ବପରି ସ୍ୱଚ୍ଛନ୍ଦ ହୋଇଉଠେ ।

 

ଏଥର ପୂଜାଛୁଟିରେ ଲକ୍ଷ୍ନୌ ଯିବ ନନ୍ଦା ?

 

କାହିଁକି ହଠାତ୍‌ ଲକ୍ଷ୍ନୌ କଥା ମୁଣ୍ଡରେ ଢୁକିଲା ?

 

ହଠାତ୍‌ ନୁହେଁ ଯେ ଭାବୁଥିଲି ତୁମେ ତ କେତେଥର ଭାଇଙ୍କ ପାଖକୁ ଯିବାକୁ କହିଛ, କେବେ ତ ଯିବା ଯିବା ହୋଇ ଆଉ ଯାଇ ହେଇନି । ଏଇଥର ଯିବା ।

 

ନନ୍ଦିତା ପୁଲକିତ ହେଲା । ଭାଇ ଓ ନୂଆବୋହୁଙ୍କୁ ଅନେକ ଦିନ ପରେ ଦେଖିବ ବୋଲି ମନ ଭରିଉଠିଲା ତାର । କିନ୍ତୁ ପର ମୁହୂର୍ତ୍ତରେ ନିଜ ସ୍ୱାମୀର ଚରିତ୍ରରେ ଅତିମାତ୍ରାର ଅର୍ଥନୈତିକ ସଚେତନାକୁ ସ୍ମରଣ କରି ଉଦୃତ ଉଚ୍ଛ୍ୱାସକୁ ଚାପି କହିଲା—

 

‘‘ନାଁ ଥାଉ, ଏତେ ବାଟ ଯିବା ଆସିବାରେ ଅନେକ ଖର୍ଚ୍ଚ । ଦରକାର ନାହିଁ ଏଇନେ ।’’

 

ହଁ, ଖର୍ଚ୍ଚ ତ ହେବ । ତମର ଏତେ ଆଗ୍ରହ ଯେତେବେଳେ ଦିଜଣଯାକ ମିଶି ସେ ଖର୍ଚ୍ଚ ତୁଲେଇ ନବା ।

 

ସଞ୍ଜୟ ଆଖିରେ କୌତୁହଳ । ଅଭିମାନୀନି ନନ୍ଦିତା ଆହତ ହେଲା । ଦାର୍ଘ ସାତବର୍ଷର ବିବାହିକ ଜୀବନରେ ଏଇ ପ୍ରଥମଥର ପାଇଁ ଓଡ଼ିଶା ବାହାରକୁ ଯିବାପାଇଁ ଯୋଜନା ସେମାନଙ୍କର-। ସଞ୍ଜୟ ସାଙ୍ଗର ଅଫିସରମାନେ କେତେଥର ସବୁ ବାହାରକୁ ଯାଉଛନ୍ତି ସପରିବାରେ । କିନ୍ତୁ ତା ବେଳକୁ—ଖର୍ଚ୍ଚପତ୍ର ଦିଗରେ ଏ ଭାଗୁଆଳି ନୀତି କାହିଁକି ? ସେଇ ସମ୍ବଳପୁରରୁ ଫେରିଲା ପରଠାରୁ ସଞ୍ଜୟ ତାକୁ ନିହାତି ଘରଖର୍ଚ୍ଚ ବ୍ୟତୀତ ଆଉ ଅଧିକା ପଇସାଟିଏ ମଧ୍ୟ ଦିଏ ନାହିଁ-। ବାକି ଟଙ୍କା ସେ ନିଜ ବାକ୍‌ସରେ ନନ୍ଦିତା ଆଗୋଚରରେ ରଖେ । ସଞ୍ଜୟର ଏ ଅର୍ଥସର୍ବସ୍ୱ ପ୍ରବୃତ୍ତ ଏ ହୀନମାନ୍ୟତା ନନ୍ଦିତା ହୃଦୟର ସମସ୍ତ ସୂକ୍ଷ୍ମତର ଅନୁଭୂତିକୁ ବିପର୍ଯ୍ୟସ୍ତ କରିପକାଏ । ଭୂଲରେ ମଧ୍ୟ ସେ ସଞ୍ଜୟର ଗଚ୍ଛିତ ଅର୍ଥ ପ୍ରତି ଦୃଷ୍ଟି ଫେରାଏ ନାହିଁ । ଆକଣ୍ଠ ଘୃଣାରେ ତନୁ ମନ ବିଷେଇ ଉଠେ ତାର । କିନ୍ତୁ ସଞ୍ଜୟ......ସେ ନନ୍ଦିତା ହୃଦୟର ଲଜ୍ଜ୍ୟା ଓ ଘୃଣାର ଏ ଆଲୋଡ଼ନ ପ୍ରତି ସମ୍ପୂର୍ଣ୍ଣ ନିଷ୍ପୃହ । ତାର ଲୋଲୁପ ଦୃଷ୍ଟି ସର୍ବଦା ନନ୍ଦିତା ହାତବାକ୍‌ସରେ ଥିବା ବାପଘରର ପୁଞ୍ଜି ଉପରେ । ଘରର ବଡ଼ ଓ ଅଲିଅଳି ଝିଅ ବୋଲି ମା ଆଜି ପର୍ଯ୍ୟନ୍ତ ନନ୍ଦିତାକୁ ସୁବିଧା ଅନୁସାରେ ଟଙ୍କା ପଇସା ଦବାରେ କାର୍ପଣ୍ୟ କରନ୍ତି ନାହିଁ । ସଞ୍ଜୟ ତାକୁ ଟଙ୍କା ପଇସା କରବାରରେ ଅବିଶ୍ୱାସ କଲାଦିନୁ ନିଜର ବ୍ୟକ୍ତିଗତ କୌଣସି ଖର୍ଚ୍ଚ ପାଇଁ ସଞ୍ଜୟ ରୋଜଗାରକୁ ଅପେକ୍ଷା ନ କରି ଏଇ ମାତୃଦତ୍ତ ପୁଞ୍ଜି ଉପରେ ନିର୍ଭର କରେ ନନ୍ଦିତା । କିନ୍ତୁ ସଞ୍ଜୟ ସେ ଦିଗକୁ ଭ୍ରୂକ୍ଷେପ ନ କରି ସମୟ ସମୟରେ ଏହିପରି ପ୍ରୟୋଜନ ଓ ଅପ୍ରୟୋଜନରେ ନନ୍ଦିତା ପାଖରେ ଥିବା ଟଙ୍କା ଖର୍ଚ୍ଚ କରିବାକୁ ପ୍ରବର୍ତ୍ତାଏ । ସଞ୍ଜୟର ଏ ଅର୍ଥ ଲୋଲୁପତା ଅତି ନିର୍ମମ ଭାବେ ଆଘାତ କରେ ନନ୍ଦିତାକୁ । ସେ ହିଂସ୍ର ହୋଇଉଠେ । ନାଁ ଆଉ ଆମର କୁଆଡ଼େ ଯିବା ଦରକାର ନାହିଁ । କାହିଁକି ପଇସା ଖର୍ଚ୍ଚକୁ ଡରି ଗଲ କି ?

 

ମୁଁ ନୁହେଁ ଯେ ତମେ ।

 

ମୁଁ ଡରୁଛି ପଇସା ଖର୍ଚ୍ଚ କରିବାକୁ । ତେବେ ପ୍ରତି ମାସରେ ତମ ହାତକୁ ଏତେ ଏତେ ଟଙ୍କା ବଢ଼େଇ ଦେଉଛି କେମିତି ?

 

ସେଟା ତମର ନିହାତି ଅନୁକମ୍ପା । ନନ୍ଦିତା କଣ୍ଠରେ ଛୁରୀର ଶାଣିତ ଫଳକ ।

 

ହଁ ଅନୁକମ୍ପା ତ । ଜୀବନଯାକ ତମରିମାନଙ୍କ ପାଇଁ ଖଟିଛି । ଆଉ ରଖିଛି ଯାହା ସେ ମଧ୍ୟ ତମରିମାନଙ୍କ ପାଇଁ । ସେଥିରେ ତମରି ଅଙ୍ଗରୁ ଉଦ୍ଭବ କନ୍ୟା ଦୁଇଟିଙ୍କର ପାଥେୟ ହେବ । ମୋର ବ୍ୟକ୍ତିଗତ ସ୍ୱାଚ୍ଛନ୍ଦ୍ୟରେ ସେ ଲାଗିବ ନାହିଁ । ସେଥିରେ ତୁମର ଶ୍ୟେନ ଦୃଷ୍ଟି କାହିଁକି ?

 

ସେ ତୁମର ନିଜସ୍ୱ ଅର୍ଥ । ମୁଁ ତାକୁ ଚାହେଁ ନାହିଁ କି ଭଗବାନଙ୍କୁ ଡାକୁଛି ମୋର କୌଣସି ଉପକାରରେ ସେ ନ ଲାଗୁ । ନନ୍ଦିତାର ଗଳା ବାଷ୍ପରୁଦ୍ଧ ।

 

ଆହା ତୁମରି ଉପକାର ତ ଏକମାତ୍ର ଆବଶ୍ୟକ ନୁହେଁ ଏ ସଂସାରରେ । ସବୁରି ପାଇଁ ଦୂରଦୃଷ୍ଟି ସହ ଭାବିବାକୁ ହେବ ମତେ । ଯାହାର ଭବିଷ୍ୟତର ଭାବନା ନାହିଁ ସେ ପଶୁ । ମୁଁ ତ ତୁମପରି ଆଉ ସ୍ୱପ୍ନଜୀବି ନୁହେଁ । ବାସ୍ତବତାର ଆଜି ନିଷ୍ଠୁର ଘାତ ପ୍ରତିଘାତରେ ଆମ ଜୀବନ ଗଢ଼ା-। ତୁମପରି ଜମିଦାର ଘରର ସୌଖୀନ ସ୍ୱପ୍ନବିଳାସ ପାଇଁ ଅବସର କାହିଁ ? ସୌକି କରି ବୁଲିବା ପାଇଁ ତ ମୁଁ ଆଉ ଭବିଷ୍ୟତକୁ ନଷ୍ଟ କରି ଦେଇ ନ ପାରେ । ଝିଅ ଯୋଡ଼ିଏ ସଂସାରକୁ ନଆଣି ପୁଅ ଦିଟି ଆଣିଲନି ? ମୁଁ କାହିଁକି ଏତେ ଭବିଷ୍ୟତ ସଚେତନ ହୁଅନ୍ତି ? ସଞ୍ଜୟ କଣ୍ଠରେ ବ୍ୟଙ୍ଗୋକ୍ତି ।

 

ନନ୍ଦିତା ଅନ୍ତରର ଆହତ ଅଭିମାନ ଆଖିର ଲୁହରେ ପ୍ରକାଶ ଲିଭିଲା । ଉଦ୍‌ଗତ ଅଶ୍ରୁକୁ କୌଣସିମତେ ଚାପି–ରଖି ବସିଲା ଜାଗାରୁ ଉଠିଗଲା । ଅଧିକ ବାକ୍ୟ–ବିନିମୟରେ ବେଦନାର ପୁଞ୍ଜି ବଢ଼େଇବାକୁ ଚାହେଁନି ସେ । ଏଇ ପରିସ୍ଥିତିକୁ ସବୁଠାରୁ ବେଶୀ ଭୟ କରେ । ସେ ଜାଣେ ତାକୁ ଆଘାତ କରିବା ପାଇଁ କଟୁକ୍ତିର ଚରମ ଅସ୍ତ୍ର ପ୍ରୟୋଗ ପାଇଁ ମଧ୍ୟ ସଞ୍ଜୟ କୁଣ୍ଠିତ ହେବ ନାହିଁ-। ନନ୍ଦିତା ପକ୍ଷରେ ଯାହା ସବୁଠାରୁ ବେଶୀ ବେଦନାଦାୟକ ତା ମଧ୍ୟ ପ୍ରୟୋଗ କରିବ ସେ । ନନ୍ଦିତା ଜାଣେ ଅର୍ଥ–ସର୍ବସ୍ୱ ସଞ୍ଜୟ ପାଖରେ ନନ୍ଦିତା ହୃଦୟର ଅନୁଭୂତି ପ୍ରବଣ ସୂକ୍ଷ୍ମତନ୍ତୀ ମୂଲ୍ୟହୀନ । ସେଥିରେ ଦାରୁଣତମ ଆଘାତ କରିବାରେ ମଧ୍ୟ ସେ କୁଣ୍ଠିତ ନୁହେଁ । ଏ ସବୁ ଜାଣି ନନ୍ଦିତା ଅର୍ଥ ସଂକ୍ରାନ୍ତୀୟ ଏ ଧରଣର ହୀନ ଆଲୋଚନାରୁ ଦୂରେଇ ରହିବାକୁ ଚାହେଁ । ସେ ତାର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟର ବିନିମୟରେ ଚାହେଁ ସଞ୍ଜୟର ମୁହଁରୁ ଏ ସବୁ ନ ଶୁଣିବା ପାଇଁ । ସଞ୍ଜୟ ତାର ସ୍ୱାମୀ, ପ୍ରିୟତମ, ତାରି ମୁହଁରୁ ଏ ଧରଣର ହୀନ ଅବାଞ୍ଛିତ ସଂଳାପ ଶୁଣି ନିଜ ହୃଦୟର ସର୍ବୋତ୍ତମ ଆସନରୁ ତାଙ୍କୁ ସ୍ଥାନଚ୍ୟୁତ କରିବାକୁ ସେ ଚାହେଁ ନାହିଁ । ନାଁ, ନାଁ, ଜୀବନର ସମସ୍ତ ଆନନ୍ଦର ବିନିମୟରେ ମଧ୍ୟ ନୁହେଁ । ସେ ସଞ୍ଜୟକୁ ତା ନିଜ ଦୃଷ୍ଟିରେ ମଧ୍ୟ ଏତେ ଛୋଟ କରିବାକୁ ଚାହେଁନି ।

 

ଶୋଇଲା ଘର ଖଟରେ ତକିଆ ଉପରେ ମୁହଁ ମାଡ଼ି ପଡ଼ି ନିଜକୁ ସଂଯତ କରିବାକୁ ଓ ପୁଣି ସ୍ୱଚ୍ଛନ୍ଦ କରିବାକୁ ଆପ୍ରାଣ ଚେଷ୍ଟାକଲା ସେ । ଏଇ ପ୍ରଚେଷ୍ଟାରେ ହୃଦୟ ଭିତରେ ଗୋଟିଏ ପ୍ରଳୟଙ୍କରୀ ଉତ୍ତାପର ଦାହ ଅନୁଭବ କରୁଥିଲା । ତାକୁ ଲାଗୁଥିଲା ଏ ଉତ୍ତାପ ତାର ଅନ୍ତରକୁ ନୁହେଁ ବାହାରକୁ ମଧ୍ୟ ଉତ୍ତପ୍ତ କରି ଦେଉଛି । ତା ଶରୀରର ସମସ୍ତ ରକ୍ତବାହି ଶିରାପ୍ରଶିରାରୁ ରକ୍ତପ୍ରବାହ ବନ୍ଦ ହୋଇ ଜ୍ୱଳନ୍ତ ଲାଭାର ପ୍ରବାହ ହେବାକୁ ଆରମ୍ଭ କରିଛି । ଏଇ ଦାହରେ ସେ ଜଳିଯିବ । ନିଃଶେଷ ହୋଇଯିବ ।

 

ଏତିକିରେ ତାକୁ ନିଃସୃତ ଦେଇ ନଥିଲା ସେଦିନ ସଞ୍ଜୟ । କୌଣସି କଥାରେ ଆଘାତ ପାଇଲେ ନିଜ ଭିତରର ଦୁଃଖକୁ ନିଜେ ନିବିଡ଼ଭାବେ ଅନୁଭବ କରିବାକୁ ଚାହେଁ ନନ୍ଦିତା । କାହାରି ସାନିଧ୍ୟ କାହାରି ଅହେତୁକୀ ଆଳାପ ଆଲୋଚନା ସହ୍ୟ ହୁଏ ନାହିଁ ତାର । କିନ୍ତୁ ସଞ୍ଜୟ ଘରେ ଥିଲେ ନୀରବରେ ସେ ଆଘାତର ଦହନ ଅନୁଭବ କରିବାର ସୁଯୋଗ ମଧ୍ୟ ଦିଏ ନାହିଁ ତାକୁ । ବାରମ୍ବାର ସେଇ ପ୍ରସଙ୍ଗ ଉତ୍ନାପନ କରି ତାକୁ ଅଧିକତର କ୍ଷତ ବିକ୍ଷତ କରିବାରେ ସେ ଏକପ୍ରକାର ହିଂସ୍ର ଆନନ୍ଦ ଅନୁଭବ କରେ ।

 

ଭିତରର କୁତ୍ସିତ ରୂପକୁ ବିଧାତା କମନୀୟ କରି ଦେହର ସୁଗଠିତ ସୌନ୍ଦର୍ଯ୍ୟର ଆବରଣରେ ଆବୃତ୍ତ କରି ସଂସାରକୁ ଛାଡ଼ନ୍ତି । ଠିକ୍‌ ସେମିତି ସଭ୍ୟ ମାନବ ତା ମନର ହିଂସ୍ରତା ଆଦିମତାକୁ ମିଠାହସ ଓ ମିଠାକଥାରେ ତାଙ୍କି ପରିସ୍ଥିତିକୁ ଚଳନୀୟ କରି ତୋଳେ । ଏ ସହଜ ସରଳ ସତ୍ୟର ଏତେ ଅଭାବ କାହିଁକି ଏ ପରିବାରରେ ! ମନର ହିଂସ୍ରତାକୁ ବହୁଗୁଣରେ ପ୍ରକାଶ କରିବାର ଏ ଆଦିମ ପ୍ରବୃତ୍ତି କାହିଁକି ଏମାନଙ୍କର ? ଅନେକ କଥା ନ କହିଲେ ମଧ୍ୟ ବୁଝି ହୁଏ ଅନେକ ଇଚ୍ଛା ପ୍ରକାଶ ନ କଲେ ମଧ୍ୟ ପ୍ରକାଶିତ ହୋଇଯାଏ ମୁଖର ଅଭିବ୍ୟକ୍ତିରୁ । କିନ୍ତୁ ଏ ପରିବାରରେ ସମସ୍ତେ ଏ ନିତାନ୍ତ ସରଳ ସତ୍ୟଟାକୁ ନ ବୁଝିଲେ କାହିଁକି ? ପ୍ରତିଟି କଥା ପ୍ରତିଟି ଇଚ୍ଛା ପ୍ରକାଶ କରିବାର ଭଙ୍ଗି କଣ ନଗ୍ନ ବିସ୍ଫୋରଣ ?

 

ନିଶୀଥିନି ଗଭୀର ହୋଇଛି । ଘରର ସମସ୍ତେ ଗଭୀର ନିଦ୍ରାରେ ମଗ୍ନ । ସଞ୍ଜୟର ଗଭୀର ନିଦ୍ରାର ନିଃଶ୍ୱାସପାତ ସେ ଘରୁ ସ୍ପଷ୍ଟ ହୋଇଉଠୁଛି ।

 

ଆଖିବୁଜି ସେ ଶୋଇବାକୁ ଚେଷ୍ଟା କଲା । ବହୁ ଚେଷ୍ଟା ସତ୍ତ୍ୱେ ମଧ୍ୟ ଆଜି ଆଉ ତାର ଅବାଧ୍ୟ ଆଖିପତା ଦିଟି ଯୋଡ଼ି ହେବାକୁ ନାରାଜ । ଏପରି ମାନସିକ ବିପର୍ଯ୍ୟସ୍ତତା । ମଧ୍ୟ ନିଦ୍ରା ଆସିବା କଥା ଭାବିବା ବିଡ଼ମ୍ବନା । ଏକଦା ନିଦ୍ରାଳୁ ବୋଲି ତାର ସୁନାମ ଥିଲା । କିନ୍ତୁ ସେ ଏକ ବହୁଦିନରୁ ଛାଡ଼ିଆସିଥିବା ଅତୀତ । ସେତେବେଳେ ଏ ମାନସିକ ଅସୁସ୍ଥତାର ଅନୁଭୂତି ଖୁବ୍‌ କମ୍‌ ଥିଲା ତାର । ଅସୁସ୍ଥତା ପରିବର୍ତ୍ତେ ମନ ତାର ଗୋପନ ଆନନ୍ଦର କଳରୋଳରେ ହିଲ୍ଲୋଳିତ ହେଉଥିଲା । କିନ୍ତୁ ସେ ହିଲ୍ଲୋଳ ଆଜି ନାହିଁ । ହଠାତ୍‌ ସ୍ତବ୍‌ଧ ହୋଇଯାଇଛି । ନନ୍ଦିତା ଅଭ୍ୟନ୍ତରର କାଳବୈଶାଖୀର ଝଡ଼ରେ ତା ମନରେ ସୁକୁମାର ଫୁଲବନ ବିପର୍ଯ୍ୟସ୍ତ । ଜୀବନରେ ପ୍ରେମ, ପ୍ରଣୟ ମନର ବିନିମୟ ଏ ସବୁ କଣ ଅର୍ଥହୀନ ? ଜୀବନର ବାସ୍ତବତା ନିକଟରେ , ସବୁ କଣ ମୂଲ୍ୟହୀନ-? ତା ଜୀବନରେ ଝଡ଼ ଝଞ୍ଜା ସବୁ ବିବାହିତ ବିବାହିତାଙ୍କର ମନକୁ ଅଧିକାର କରିଥାଏ ନାଁ ସେମାନଙ୍କର ମନ ଉପବନ କେବଳ ମଳୟର କୋମଳ କିଶଳୟର ସମ୍ଭାରରେ ପରିପୂର୍ଣ୍ଣ-? ତା ମନ ଗହନର ଏ ଅସୁମାରୀ ପ୍ରଶ୍ନର ଉତ୍ତର ଦବ ଆଜି କିଏ ? ଦଗ୍‌ଧ ହୃଦୟ ଓ ଉତ୍ତପ୍ତ ମନ ନେଇ ସେ କଣ ପ୍ରଣୟର ଏ ଶର ଶଯ୍ୟାରେ ଆଜୀବନ ବିକ୍ଷୁବ୍‌ଧ ହେଉଥିବ-? ବହୁ ପରିଚିତ ପରିବାରଙ୍କର ସୁଖୀ ପାରିବାରିକ ଜୀବନର ସଂକ୍ଷିପ୍ତ ଚିତ୍ର ଭାସିଉଠିଲା ନନ୍ଦିତାର ଚକ୍ଷୁପଟରେ । ସେ ମଧ୍ୟ ଏହି ମିଥ୍ୟା ପ୍ରଣୟ ସାଗରରେ ଅନେକ ଦିନ ଆଉ ଅନେକ ରାତି ଜଳମଗ୍ନ ଥିଲା ! ଆଜି ଯେମିତି ତାର ପ୍ରଥମ କରି ଅନୁଭବ ହେଲା ସ୍ୱାମୀର ସଂସାରରେ ତମେ ଯାହା ନୁହଁ ତାହା ଅଭିନୟ କରିପାରିଲେ ହୁଏତ ଜୀବନର ଏ ଦହନରୁ ମୁକ୍ତି ମିଳିବ । କିନ୍ତୁ ସେ ଅଭିନୟ ତା ହାତରେ ହେଉନି । ସଞ୍ଜୟର ମାନବିକତାର ଯେଉଁ ଦିଗଟା ବିବାହର ପ୍ରଥମ ଭାଗରେ ତା ସମ୍ମୁଖରେ ଉନ୍ମୋଚିତ ହୋଇଥିଲା ତା ଆସ୍ତେ ଆସ୍ତେ ଯବନିକାର ଅନ୍ତରାଳରେ ବିଲୁପ୍ତ । ସେ ସ୍ୱାମୀର ସେଇ ରୂପର ପରିପ୍ରକାଶରେ ତନ୍ମୟ ହୋଇଯାଇଥିଲା ଆଉ ସେଇଥି ପାଇଁ ସଞ୍ଜୟର ଆଜିର ବ୍ୟବହାର ଦେଖି ଭାବୁଛି ସେ ନିର୍ମମ ଭାବେ ପ୍ରତାରିତ ହୋଇଯାଉଛି । ସାଂସାରିକ ଜୀବନରେ ପ୍ରତାରିତ ହେଲେ ନାରୀର ଜୀବନ ନଷ୍ଟ ହୋଇଯାଏ । ଆଉ ସଂସାର ମଧ୍ୟରେ ଅନ୍ୟମାନଙ୍କୁ ପ୍ରତାରଣା କରିପାରିଲେ—ନାରୀ ଖୁବ୍‌ ସୁଖୀ ହୁଏ ବୋଧ ହୁଏ ।

 

X X X

 

ଅର୍ଦ୍ଧମୁଦ୍ରିତ କୋଠରୀରେ ଆଉ କେହି ନଥିଲେ । ତନ୍ଦ୍ରାଭରା ଅବଶ ଆଖିଯୋଡ଼ିକ ମେଲିବାକୁ ଚେଷ୍ଟାକଲା ନନ୍ଦିତା । ଖଣ୍ଡ ବିଖଣ୍ଡିତ ଆଲୋକ ରଶ୍ମି ବିଞ୍ଚି ହୋଇପଡ଼ିଥିଲା ହସ୍‌ପିଟାଲର ଶୁଭ୍ର ଶଯ୍ୟା ଉପରେ । ସେଇ ଆଲୋକର ଅଜସ୍ର ଧୂଳିକଣା ଝରି ପଡ଼ୁଥିଲା ଆଉ ଝରି ଆସୁଥିଲା ଅସ୍ତସୂର୍ଯ୍ୟର ଅଫୁରନ୍ତ ଲାଲିମା । ନନ୍ଦିତା କର ଲେଉଟାଇଲା । ଯନ୍ତ୍ରଣାରେ ଆର୍ତ୍ତନାଦ କରିଉଠିଲା ‘‘ଆଃ ସିଷ୍ଟର । ତଣ୍ଟି ଶୁଖିଗଲା ।’’

 

ସିଷ୍ଟର କମଳା ରସ ଦେଲେ ଫିଡ଼ିଂ କପ୍‌ରୁ ।

 

ଖୋଜିଲା ଖୋଜିଲା ଆଖିରେ ଚାହିଁଲା ସେ ଚାରିଆଡ଼କୁ । ମୁଣ୍ଡଟା ଘୁରେଇ ଦଉଛି । ଘର ଭିତରଟା ଅସ୍ପଷ୍ଟ ଦିଶୁଛି । କିଛି ଭାବି ହଉନି ହଠାତ୍‌ କଣ ହେଲା ତାର ଏମିତି ? ସେ ଏକା ଡାକ୍ତରଖାନାରେ ଆଉ ସଂଗୀତା ସୁଜାତା—କାହାପାଖରେ ଅଛନ୍ତି ସେମାନେ ? ତାର କ୍ଲାନ୍ତ ଶିଥିଳ ଆଖିପତା ତଳୁ ଝର ପଡ଼ିଲା ଦୁଇଟୋପା ଲୁହ । ସେ ଶୋଇବାକୁ ଚେଷ୍ଟା କଲା । ନାଁ ନିଦ ହଉନି । ଅବଶ ସ୍ନାୟୁଗୁଡ଼ାକ ନିଶାଗ୍ରସ୍ତ ପରି ଝିମେଇ ଯାଉଛନ୍ତି । ନନ୍ଦିତାର ଷ୍ଣ ନିଃଶ୍ୱାସର ଦାହ ଭିତରକୁ ଝର ପଡ଼ୁଥିଲା ଏକ ଅତୃପ୍ତ ଆତ୍ମାର ଚିତ୍କାର ।

 

ଧୀରେ ଧୀରେ ସବୁ ପୁରୁଣା କଥା ତାର ସ୍ମୃତିରେ ଚେଇଁ ଉଠିଲା । ତା ଜୀବନଟା କଣ ସତେ ? ନିରାଶର ବାଲୁଚର ଭିତରେ ତା ଜୀବନର ପଦପାତ ଟିକକରେ ନିଶ୍ଚିହ୍ନ । ଆଶାର ସିକ୍ତ ରସାଳ ଧରିତ୍ରୀରେ ତା ଜୀବନର ପଦପାତ ବୋଧହୁଏ କେବେ ବି ସମ୍ଭବିବ ନାହିଁ । ଜୀବନ ପୃଷ୍ଠାର ପ୍ରତି ଲିପିର କେବଳ ନୈରାଶ୍ୟ ଗାଥା ଝରୁଥିବ । ଆଉ କେତେ ଦିନ......ଫୁଲି ଫୁଲି କାନ୍ଦି ଉଠିଲା ନନ୍ଦିତା ।

 

ଆଉ ପାରିବନି ସେ । ଏ ଜୀବନ ପ୍ରତି ଆକଣ୍ଠ ବିତୃଷ୍ଣା । ଯେଉଁଠି ଜୀବନସୌଧ ଅବିଶ୍ୱାସର ମୂଳଦୂଆ ଉପରେ ମୁଣ୍ଡ ଟେକିଛି ସେଠି ପତନ ଅନିବାର୍ଯ୍ୟ । ଏ ପତନରୁ ତାକୁ ଆଉ କେହି ରକ୍ଷା କରି ପାରିବେନି । ଆଃ ଏ ଜୀବନଟା କାହିଁକି ରହିଲା ଭଲା ? ସେ ଜୀବନରେ ସ୍ୱାମୀ ସୁହାଗିନୀ ହୋଇପାରିଲା ନି ସତ ତା ବୋଲି ସ୍ୱାମୀର ସନ୍ଦେହର ପାତ୍ରୀ ହୋଇ ସେ ବଞ୍ଚିବ କାହିଁକି-? ବଞ୍ଚିବାର ପ୍ରବୃତ୍ତ ନାହିଁ, ମରିବାକୁ ଚାହିଁ ମରି ମଧ୍ୟ ପାରିଲା ନି ।

 

ଆଃ କି ଛାତି ଫଟା ତୃଷା । ଏ ଅନନ୍ତ ତୃଷା ତାର ମେଣ୍ଟିବ ନାହିଁ ଆଉ ଏ ଜୀବନରେ । ଶେଷରେ ସଞ୍ଜୟ ତାର ଚରିତ୍ରକୁ ସନ୍ଦେହ କଲା ? ସ୍ୱାମୀର ଆଖିରେ ସ୍ତ୍ରୀ ଅପଦାର୍ଥ ହୋଇପାରେ, ଅଯୋଗ୍ୟା ହୋଇପାରେ; ହୋଇପାରେ ମଧ୍ୟ ଅପ୍ରୟୋଜନୀୟା ପରିତ୍ୟକ୍ତା କିନ୍ତୁ ଅସଚ୍ଚରିତ୍ରା......ନାଁ, ନାଁ, ଏ ଅପବାଦ ନେଇ ସେ ବଞ୍ଚିବାକୁ ଚାହେଁନା । କାହିଁକି ତାକୁ ବଞ୍ଚେଇଲେ ଏମାନେ ?

 

କେବିନର ନିଅନ ଆଲୁଅଟା ଦପ୍‌ ଦପ୍‌ ହୋଇ ଜଳୁଥିଲା । ଅଜସ୍ର ଆଲୋକ ଭିତରେ ନନ୍ଦିତା କେବଳ ଦେଖୁଥିଲା ସେ ଦିନର ସେଇ ମହାପ୍ରଳୟର ନିଶା ନିରନ୍ଧ୍ର ନିଶୀଥର ଅଜସ୍ର ଆକୃତି । ଅଶାନ୍ତ ଆତ୍ମା ତାର ଚିତ୍କାର କରି ଉଠୁଥିଲା ।

 

ଭବାନୀପାଟ୍‌ନା ବଦଳି ହୋଇ ଆସିବାର ଏହି କେତେ ଦିନ ମଧ୍ୟରେ ଖୁବ୍‌ ଘନିଷ୍ଠ ହୋଇ ଉଠିଥିଲେ ସେମାନେ । ବିଦ୍ୟୁତ୍‌ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସହିତ । ସେ ପରିବାର ଆଣି ନ ଥିଲେ ବୋଲି ଅନେକ ସମୟରେ ତାଙ୍କର ରାତ୍ର ଭୋଜନ ବା ସାୟଂକାଳୀନ ଚାପବଂ ଏମାନଙ୍କ ସହିତ ହୁଏ । ଅବଶ୍ୟ ଏଥିରେ ସଞ୍ଜୟର ଆଗ୍ରହ ବହୁତ ବେଶୀ । ପ୍ରଥମେ ପ୍ରଥମେ ପ୍ରତିବାଦର ସୁର ସୂଚେଇ ଦେଇଥିଲା ନନ୍ଦିତା । କିନ୍ତୁ ଏ ଧରଣର ଅତିରିକ୍ତ ବନ୍ଧୁ ବତ୍ସଳତା ସଞ୍ଜୟର ଗୋଟିଏ ଚାରିତ୍ରିକ ଦୋଷ ।

 

ପରିବାର ନଥିବା ପଡ଼ୋଶୀକୁ ଭଲ ମନ୍ଦରେ ଆପ୍ୟାୟିତ କରିବା ମନୁଷ୍ୟର ଧର୍ମ । ତମେ ସେଥିରେ ଏତେ କାର୍ପଣ୍ୟ ଦେଖାଅ କାହିଁକି ନନ୍ଦା ? ମୁଁ ଦେଖୁଛି ତମେ ବହୁତ ବେଶି ଆତ୍ମକୈନ୍ଦ୍ରିକ ସ୍ୱାର୍ଥପର ହେଇଯାଉଛ ଦିନକୁ ଦିନ ।

 

ବିସ୍ମିତା ହୋଇଥିଲା ନନ୍ଦିତା ସେଦିନ ସଞ୍ଜୟର ଏ ଆକ୍ଷେପୋକ୍ତି ଶୁଣି । ପରସ୍ପର ବିରୋଧୀ ଗୁଣ ସମୂହର ସମାବେଶ ହେଉଛି ତାର ସ୍ୱାମୀ । କେତେବେଳେ ଅତିମାତ୍ରାରେ ଅର୍ଥସଚେତନ । ଆଉ ବନ୍ଧୁ ଚର୍ଚ୍ଚା ସମୟରେ ସେ ମୁକ୍ତହସ୍ତ । କେମିତି ଏ ଖିଆଲି ଲୋକକୁ ସନ୍ତୁଷ୍ଟ କରି ଚଳିବ ଭାବି ପାରେ ନାହିଁ । ନନ୍ଦିତା ସେଦିନର ସେ ଅଭିଯୋଗ ପରେ ଆଉ କେବେ ରୋହିତବାବୁଙ୍କ ପ୍ରତି ଆତିଥେୟତା ଦେଖାଇବାରେ କାର୍ପଣ୍ୟ ପ୍ରକାଶ କରିନି । ତାପରେ କାରଣରେ ଅକାରଣରେ ସଞ୍ଜୟର ଉପସ୍ଥିତିରେ ଓ ଅନୁପସ୍ଥିତିରେ ଅନେକ ଥର ଆସନ୍ତି ସେ । କ୍ରମଶଃ ଏ ଘରର ସଭ୍ୟ ତାଲିକାଭୁକ୍ତ ପ୍ରାୟ ହେଲେ ରୋହିତବାବୁ । ସେ କେତେ ଦିନ ବେଶ୍‌ ଆନନ୍ଦ ଉଚ୍ଛ୍ୱାସ ମଧ୍ୟରେ କଟିଗଲା । ସଙ୍ଗିତା ପାଖରୁ ଛାଡ଼ନ୍ତି ନାହିଁ । ସୁଜାତାକୁ କୋଳକୁ ନିଅନ୍ତି । ଶତମୁଖରେ କନ୍ୟା ଦୁହିଁଙ୍କର ପ୍ରଶଂସା କରନ୍ତି । ସଞ୍ଜୟ ପଛରେ ଛାଇପରି ଥାନ୍ତି ହେଡ଼କ୍ୱାଟରରେ ଥିଲାବେଳେ । ଆଉ କଣ ଚାହେଁ ଗୋଟାଏ ସରଳ ଜାୟା ଓ ଗୋଟିଏ ସନ୍ତାନ ବତ୍ସଳା ଜନନୀ ? ନନ୍ଦିତା ଗଭୀର ତୃପ୍ତିରେ ଦିନ କଟାଏ ।

 

କିନ୍ତୁ ସବୁ ସ୍ନେହ ସୌହାର୍ଦ୍ଦ୍ୟକୁ ପଛରେ ପକାଇ ସଞ୍ଜୟ ଓ ରୋହିତ ବାବୁଙ୍କ ମଧ୍ୟରେ ମତାନ୍ତରର ପ୍ରାଚୀର ମୁଣ୍ଡ ଟେକିଲା । ଆଉ ପ୍ରତିହିଂସା–ପ୍ରବଣ ସଞ୍ଜୟ ନିକଟରେ ସେଇ ମତାନ୍ତର ମନାନ୍ତରର ପର୍ଯ୍ୟାୟକୁ ଗଲା । କିନ୍ତୁ ମୁହଁରେ କୌଣସି ପ୍ରକାର ଅସଦ୍‌ ବ୍ୟବହାର କାହାରି ତରଫରୁ ହେଲେ ହୁଏ ନାହିଁ । ତେଣୁ ରୋହିତ ବାବୁଙ୍କର ସଞ୍ଜୟ ଘରକୁ ଯିବା ଆସିବା ପୂର୍ବ ପରି ଅବାରିତ ଥିଲା । କ୍ରମେ ଏହି ମନାନ୍ତର ରୋହିତ ବାବୁଙ୍କର ତାଙ୍କ ଘରକୁ ଆସିବାରେ ସଞ୍ଜୟର ବିରକ୍ତି ଉଦ୍ରେକ କଲା । ସେ ରୋହିତ ବାବୁଙ୍କର ଆସିବାରେ ନନ୍ଦିତା ଉପରେ ବିରକ୍ତ ହବାକୁ ଲାଗିଲେ ।

 

କାହିଁକି ସେ ଲୋକଟା ଆସୁଛି ? ଏପରି ବାଜେ ଲୋକଙ୍କର ସଂଶ୍ରବ ମଧ୍ୟ ବିପଜ୍ଜନକ ।

 

ମୁଁ କଣ କରିବି ସେ ତ ଆସୁଛନ୍ତି । ପିଲାଙ୍କ ସାଙ୍ଗରେ ଖେଳୁଛନ୍ତି ।

 

ତମେ କଣ କରିବ ମାନେ ? ଯିଏ ଚାହିଁବ ସେ ଆମ ଘରକୁ ଆସି ପାରିବ ? ଏ ଘରର ଦ୍ୱାର କଣ ସବୁରି ପାଇଁ ଅବାରିତ ? ସଞ୍ଜୟ ମୁହଁରେ ଝଡ଼ର ପୂର୍ବାଭାସ ।

 

ତୁମେ ନାହିଁ କରି ଦେଉନ ? ତୁମେ ନାହିଁ କଲେ ସେ ଆସିବେ କାହିଁକି ? ସେ ଆସିଲେ ମୁଁ ତାଙ୍କୁ କଣ କହିବି ? ଆହତ ଗଳାରେ ଉତ୍ତର ଦେଲା ନନ୍ଦିତା ।

 

କାହିଁକି ସ୍ପଷ୍ଟଭାବେ ମନା କରି ଦେଉନ । ଆପଣଙ୍କ ଆସିବା ଆମେ ଚାହୁଁନୁ । ଆପଣ ଦୟାକରି ଆମ ସଂଶ୍ରବ ତ୍ୟାଗ କରନ୍ତୁ । ଏଥିରେ ତମର ବନ୍ଧୁତ୍ୱର ଆଞ୍ଚ ଆସୁଛି କାହିଁକି ? ସଞ୍ଜୟ ଗଳାରେ ନନ୍ଦିତାକୁ ଆଘାତ କରିବାର ପଶୁତ୍ୱ । ଏ ହୀନ ଇଙ୍ଗିତରେ ରୀତିମତ କ୍ଷିପ୍ତ ହୋଇଉଠିଲା ନନ୍ଦିତା ।

 

କାହିଁକି ? ଏଇ ସ୍ପଷ୍ଟ ମନୋଭାବଟା ତୁମେ ତାଙ୍କୁ ଜଣେଇ ଦଉନ କାହିଁକି ? ପ୍ରଗାଢ଼ ବନ୍ଧୁତ୍ୱ ଦେଖେଇ ଯେତେବେଳେ ବାରମ୍ବାର ସନିବୀନ୍ଧ ଅନୁରୋଧ କରି ଏ ଘରେ ଅପ୍ୟାୟିତ କରୁଥିଲ ତାଙ୍କୁ ସେତେବେଳେ ତ ମୋର ଇଚ୍ଛା ଅନିଚ୍ଛା କଥା ତମ ବିଚାରକୁ ନେଇ ନ ଥିଲ ?

 

ସେଇ ସୁଯୋଗ ନେଇ ମୋ ଅନିଚ୍ଛାରେ ମଧ୍ୟ ତମେ ଆପ୍ୟାୟିତ କର ବନ୍ଧୁଙ୍କୁ ।

 

କି ହୀନ ଇଙ୍ଗିତ ? ନନ୍ଦିତା ଦେହର ଅଣୁ ପରମାଣୁ ମଧ୍ୟ ବିଷେଇ ଉଠିଲା । ତା ଭିତରର ପଶୁ ଚେଇଁ ଉଠିଲା ଆହତ ଅଭିମାନରେ ।

 

ନାଁ ମୁଁ କାହିଁକି ଆପ୍ୟାୟିତ କରିବି ? ଭଲ ବେଳେ ତୁମେ ଆତିଥେୟତାରେ ଉଦ୍‌ବେଳିତ ହୋଇ ଉଠିବ ଆଉ ମନୋମାଳିନ୍ୟରେ ନିଜେ ନେପଥ୍ୟେ ରହି ସ୍ତ୍ରୀକୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ କରାଅ ।

 

ଓଃ ସେଥିରେ ସ୍ତ୍ରୀଙ୍କର ପ୍ରୀତି ସମ୍ପର୍କଟା ନଷ୍ଟ ହୋଇଯିବ ପରା ? ହଉ ମଧୁର ସମ୍ପର୍କଟା ଆଉ କ୍ଷୁନ୍ନ ନ କରି ସଂଜୀବିତ ରଖ । ସଞ୍ଜୟ ଗଳାରେ ଶାଣିତ ଛୁରୀ ।

 

ଆହତା ଫଣୀ ପରି କ୍ଷିପ୍ତ ହୋଇଉଠିଲା ନନ୍ଦିତା । ଗଳାରୁ ବିଷ ଉଦ୍‌ଗାରିତ ହେଲା ।

 

ନିଜ ସ୍ତ୍ରୀ ନାଁରେ ଏ ହୀନମନ୍ତବ୍ୟ ଦେବାକୁ ଘୃଣା ଲାଗୁନି ତମକୁ । ଏତେ ବଡ଼ ମିଥ୍ୟା ଉଚ୍ଚାରଣ କରିବାକୁ ଜିହ୍ୱା ତମର ସଙ୍କୁଚିତ ନ ହେଉଛି କେମିତି ?

 

ବାଃ ଏ ଯୁଗ ବଡ଼ ଅଜବ୍‌ । ସ୍ତ୍ରୀର ଚାରିତ୍ରିକ ସ୍ଖଳନ ଲାଗି ସ୍ୱାମୀକୁ ସ୍ତ୍ରୀର ସ୍ପର୍ଦ୍ଧିତ ମସ୍ତକ ପାଖରେ ସଙ୍କୁଚିତ ହେବାକୁ ହେବ । ଚମତ୍କାର ସ୍ପର୍ଦ୍ଧା ।

 

ସେଥିପାଇଁ ଭଦ୍ରଲୋକଙ୍କର ଏ ଘରକୁ ଯାତାୟାତ ଅବାରିତ । ଆଜି ମୋର ଭୁଲ ଭାଙ୍ଗିଲା । କିନ୍ତୁ ବହୁତ ଡେରି ହୋଇଯାଇଛି । କୌଣସି ଆତ୍ମସମ୍ମାନ ଥିବା ପୁରୁଷର ଗୃହସ୍ୱାମୀର ଆଗ୍ରହହୀନ ସମ୍ବର୍ଦ୍ଧନା ପାଇଲା ପରେ ତା ଘରକୁ ଏପରି ଦ୍ୱିଧାହୀନ ଭାବେ ଯାତାୟତ କରିବା ପଛରେ ଯେଉଁ ସହଜ ସ୍ୱାର୍ଥଟି ନିହିତ ରହିଛି ତାହା ମୁଁ ନିତାନ୍ତ ବୋକା ବୋଲି ଆଜିଯାଏ ଭାବି ପାରୁ ନ ଥିଲି । ତମର ଶିକ୍ଷା, ତମର ଆଭିଜାତ୍ୟରୁ ଆଉ କଣ ବେଶୀ ଆଶା କରାଯାଇପାରେ ? ମୋର ସରଳ ବିଶ୍ୱାସର ଖୁବ୍‌ ସୁନ୍ଦର ସୁଯୋଗ ନେଇପାରିଛ ତୁମେ ।

 

ସ୍ତବ୍‌ଧ ହୋଇଗଲା ନନ୍ଦିତା । ଏ ଘୃଣ୍ୟ ଅନ୍ୟାୟକୁ ପ୍ରତିବାଦ କରିବାର ଯେଉଁ ସ୍ୱର ତାର ପେଟ ଭିତରୁ ଉଠି ଆସୁଥିଲା ତା, ତାର ତଣ୍ଟି ପାଖରେ ଅଟକିଗଲା । ପୁରୁଷ ସ୍ୱାମୀ ହେଲେ କଣ ଏ ଧରଣର ନିର୍ମମ ହୁଏ ? ତା ଦେହର ସମସ୍ତ ରକ୍ତବାହୀ ଧମନୀଗୁଡ଼ିକର ରକ୍ତ ସଞ୍ଚାଳନ ହଠାତ୍‌ ଯେମିତି ସ୍ତବ୍‌ଧ ହୋଇଗଲା । ସେ କେବେ ମାଦକଦ୍ରବ୍ୟ ସ୍ପର୍ଶ କରିନି । କିନ୍ତୁ ବେଶୀ ପରିମାଣରେ ମାଦକଦ୍ରବ୍ୟ ସେବନ କଲେ ଯେମିତି ମୁଣ୍ଡ ଘୁରେଇ ଦିଏ ସେହିପରି ଲାଗିଲା ତାକୁ । ଦୁଃଖ, କ୍ଷୋଭ ଓ ଉତ୍ତେଜନାରେ ସେ ନିର୍ବାକ୍‌ ହୋଇଯାଇଥିଲା । ଅନେକ ଦୁଃଖର ଆଘାତରେ କଣ୍ଠ ତାର ରୁଦ୍ଧ ହୋଇଯାଇଥିଲା ।

 

ଜୀବନର ଅର୍ଥ ୟା ପରେ ଅବୋଧ୍ୟ ହୋଇ ଉଠିଥିଲା ନନ୍ଦିତା ପାଖରେ । ସଞ୍ଜୟର ସବୁପ୍ରକାର ଅଶ୍ରଦ୍ଧା, ଉଦାସୀନତା ଓ ସ୍ୱାର୍ଥପରତା ସହ୍ୟ କରି ଜୀବନକୁ ସାବଲୀଳ କରିବାକୁ ଚେଷ୍ଟା କରିଥିଲା ସେ । କିନ୍ତୁ ଆଉ ସେ ପାରିବନି । ଏ ଦୀର୍ଘଦିନ ବିବାହର ଆନୁଷ୍ଠାନିକ ବନ୍ଧନର ସୂତ୍ରକୁ ବଞ୍ଚେଇ ରଖି ସନ୍ଦେହର କୁହେଳୀ ଭିତରେ ବଞ୍ଚି ରହିବାର ଆଉ କୌଣସି ଅର୍ଥ ନାହିଁ । ଏ ଯାତନାମୟ ଜୀବନ ଏ ପ୍ରବଞ୍ଚନାକୁ ବହି ଚାଲିବାର ସମସ୍ତ ଶକ୍ତି ତାଠାରୁ ନିଃଶେଷ ହୋଇଗଲା ପରି ଲାଗିଲା ତାକୁ । ମାୟା, ମମତା ବନ୍ଧନ ପରି କେତେଟା ଶବ୍ଦ ଅର୍ଥହୀନ ମନେ ହୋଇଗଲା ତାକୁ । ଏ ଜୀବନ ଦୁର୍ବିସହ । ନାରୀ ଜୀବନରେ ବିଶେଷତଃ ବିବାହିତା ନାରୀର ଜୀବନରେ ଚରିତ୍ରର ମୂଲ୍ୟ ସମସ୍ତ ସାଂସାରିକ ସ୍ଥିତିରେ ବିନିମୟରେ ମଧ୍ୟ ପୂରଣ କରି ହୁଏନି । ଆଜି ସେଇ ଚରିତ୍ରର ଏ ହୀନ ମୂଲ୍ୟାଙ୍କନରେ ତା ଜୀବନର କ୍ଷୀଣତମ ବନ୍ଧନକୁ ମଧ୍ୟ ତା ଭିତରେ ସେ ଖୋଜି ପାଉନି ଆଉ । ତାକୁ ସ୍ୱାମୀ, ସନ୍ତାନଙ୍କର ସମସ୍ତ ମାୟା ବନ୍ଧନ ତୁଟେଇ ଏ ଜୀବନଠାରୁ ବିଦାୟ ନେବାକୁ ହେବ । ସେଇ ପଥ ସେ ବାଛି ନେଲା । ନୀରବରେ ସେ ଅଶାନ୍ତ ମୁହୂର୍ତ୍ତରେ ଗତି ନିରୀକ୍ଷଣ କରିବାକୁ ଲାଗିଲା । ଆଉ ତାରି ପରିଣତିରେ ସେଦିନ ରାତିରେ ସେ ପାଖରେ ଥିବା ସମସ୍ତ ସ୍ଲିପିଂ ବଟିକାଗୁଡ଼ିକ ନିର୍ବିକାର ଭାବରେ ଗଳାଧଃକରଣ କଲା । ଆଉ ପିଲା ଦୁଇଟିକୁ ଶେଷଥର ପାଇଁ କୋଳରେ ଧରି ଶୋଇଗଲା ।

 

ତାପରର ଘଟଣା ତାର ଅଜ୍ଞାତ ଆଉ ବର୍ତ୍ତମାନ ହସପିଟାଲରେ ଶୋଇ ଶୋଇ ତାର ଏଇ ଦୁର୍ବଳ ପଙ୍ଗୁ ମନରେ ଛୋଟ ଛୋଟ ସନ୍ତାନ ଦୁଇଟିଙ୍କ ପାଇଁ ମାୟା ଜାଗୁଛି । ସବୁଥାଇ କିଛି ନ ପାଇବାର ନିଆଁରେ ଜଳି ଜଳି ଏ ଦୁର୍ବଳ ଦେହ ଓ ମନ ହଠାତ୍‌ ଗୋଧୂଳିର ଆଲୋକ ପରି ଶାନ୍ତ ଓ ସ୍ଥିର ହୋଇଯାଇଛି । ବର୍ଷ ବର୍ଷ ଧରି ଦୀର୍ଘ ଆଠଟି ବର୍ଷ ସହ୍ୟ କରିଛି । ଲୁହ ବଦଳରେ ଲହୁ ଝରିଛି । ତାର ନୟନ କୋଣରୁ କିନ୍ତୁ ବିବାହର ସାମାଜିକ ବନ୍ଧନ ନଷ୍ଟ ହୋଇନି । ଆଉ ଆଜି ଜୀବନଟାକୁ ନଷ୍ଟ କରିବାକୁ ଚାହିଁ ମଧ୍ୟ ତା ହାତ ପାଖରୁ ଅପସରି ଯାଇଛି ।

 

ଆଜି ପ୍ରଥମ କରି ମନେ ହେଲା ନନ୍ଦିତାର ଯେ ନିଜ ଜୀବନକୁ ନେଇ ଏମିତି ଖେଳିବାର ଅଧିକାର ହୁଏତ ତାର ନାହିଁ । ତାକୁ ବଞ୍ଚିବାକୁ ହେବ । ସଂସାରକୁ ଆଣିଥିବା ଅବୋଧ ଶିଶୁ ଦିଟିଙ୍କ ପାଇଁ ତାକୁ ସବୁ ଯାତନା ଓ ଦହନ ମଧ୍ୟରେ ଜୀବନ କଟାଇବାକୁ ହେବ । ହୁଏତ ସ୍ରଷ୍ଟାର ଉଦ୍ଦେଶ୍ୟ ଏଇୟା । ନିଜର ସାମର୍ଥ୍ୟ ନିଜର ଚେଷ୍ଟା ଉପରୁ ଯେତେବେଳେ ମଣିଷ ଆସ୍ଥା ହରାଏ ସେତେବେଳେ ମଣିଷର ଇଶ୍ୱର ବିଶ୍ୱାସ ଦୃଢ଼ ହୁଏ ଓ ମନୁଷ୍ୟ ତାଙ୍କଠାରେ ସମସ୍ତ ଆସ୍ଥା ସ୍ଥାପନ କରେ । ତା ଆଗରୁ ତାର ସାମର୍ଥ୍ୟ ଏକ ଶ୍ୱାସରୋଧୀ ନିଃସହାୟତା ମଧ୍ୟରେ ନିଶ୍ଚିହ୍ନ ହୋଇଯାଏ । ପରିଣତିରେ ମନୁଷ୍ୟ ଏକ ଅଦୃଶ୍ୟ ଶକ୍ତି ଉପରେ ନିର୍ଭର କରିବାକୁ ଶିଖେ । ଆଖି ବୁଜି ସେ ନିସ୍ତେଜ ହୋଇ ପଡ଼ିବାକୁ ଚେଷ୍ଟା କଲା । ବିଦ୍ୟୁତ୍‌ ଆଲୋକର ସମାରୋହ ମଧ୍ୟରେ ସେ ନିଜ ମଧ୍ୟରେ ପ୍ରଶାନ୍ତିର ସ୍ନଗ୍‌ଧ ଆଲୋକ ସୃଷ୍ଟି କରିବାକୁ ଜୋର କରି ନୟନ ମୁଦିଲା ।

 

ଆକାଶରେ ସୂର୍ଯ୍ୟାସ୍ତର ରଙ୍ଗାଧରଣୀରେ ଗୋଧୂଳିର ମ୍ଲାନ ଆଲୋକ । ଦିନର ପଦଧ୍ୱନି କ୍ଲାନ୍ତ ଶିଥିଳ । ନନ୍ଦିତା ଓ ଆନନ୍ଦ ବାବୁ ବାହାର ବାରଣ୍ଡାରେ ଦୁଇଟି ଚଉକିରେ ବସିଛନ୍ତି ପାଖାପାଖି । ଆନନ୍ଦ ବାବୁ ନନ୍ଦିତାର ମଉସା । ତାଙ୍କ ପୁଅର ବଦଳି ହୋଇ ଆସିବା ପରେ ସେ ଆସିଛନ୍ତି ନିଜର ଏକମାତ୍ର ସନ୍ତାନ ଯଷ୍ଟିରେ ଭରା ଦେଇ ତାଙ୍କର ଜରାଜୀର୍ଣ୍ଣ ଶରୀରକୁ ଆଗେଇ ନବାକୁ । ଜୀବନର ଗତି ତାଙ୍କର ଶିଥିଳ, ଦୃଷ୍ଟି ଧୂସର । କିନ୍ତୁ ଭିତରେ ତାଙ୍କର ପରମ ପ୍ରାପ୍ତିର ନିର୍ଭର ଆଶ୍ୱାସ । ତାଙ୍କର ଆସିବା ପରେ ନନ୍ଦିତା ଜୀବନର ଦୃଷ୍ଟିଭଙ୍ଗୀ ପରିବର୍ତ୍ତିତ ହୋଇଛି । ଜୀବନକୁ ନୂଆ କରି ଗଢ଼ିବାକୁ ଓ ପ୍ରଶାନ୍ତିର ପ୍ରଲେପରେ ଜୀବନର ସବୁ ଦାହ ନିର୍ବାପିତ କରିବାକୁ ସେ ପ୍ରେରଣା ପାଇଛି ।

 

ଆନନ୍ଦ ବାବୁ କହନ୍ତି, ଯାତନା ନଥିଲେ ଜୀବନକୁ ବୁଝି ହୁଅନ୍ତା ନାହିଁ ମା ନନ୍ଦା । ବୁଝି ହୁଏ ନାହିଁ ବୋଲି ତ ମନୁଷ୍ୟର ଜୀବନ ଏତେ ଆକର୍ଷଣୀୟ, ଏତେ ଲୋଭନୀୟ ।

 

ସେ ସେହି ବେଦନାମୟ ଜୀବନରେ ମଧ୍ୟ ବଞ୍ଚବାର ସୂତ୍ର ଖୋଜି ପାଇଥିଲେ ବୋଲି ତାଙ୍କ ଜୀବନ ଏତେ ଝଡ଼ ଝଞ୍ଜା ପରେ ମଧ୍ୟ ଏତେ ପରିପୂର୍ଣ୍ଣ ହୋଇଉଠିଛି । ଗୋଟି ଗୋଟି ହୋଇ ଚାରୋଟି ସନ୍ତାନ ତାଙ୍କର ପ୍ରାପ୍ତବୟସ୍କ ହେଲା ପରେ ତାଙ୍କୁ ଫାଙ୍କି ଦେଇ ଚାଲି ଯାଇଛନ୍ତି । ଶେଷରେ ନନ୍ଦିତାର ମାଉସୀ ମଧ୍ୟ ତାଙ୍କୁ ଏତେ ଯନ୍ତ୍ରଣାମୟ ଜୀବନରେ ଏକା କରି ଛାଡ଼ି ଦେଇଗଲେ । ଏଇ ଏକମାତ୍ର ସନ୍ତାନ ସୁବ୍ରତ । କେତେ ଦୁର୍ବଳ ଅବଲମ୍ବନ ତାଙ୍କର ଏ । ଅଶେଷ ଯାତନା ମଧ୍ୟରେ ସେ ନିର୍ବିକାର । ତାଙ୍କ ହସରୁ ତାଙ୍କ ମନର ପ୍ରଫୁଲ୍ଲତା ଜାଣି ହୁଏ ନାହିଁ । ତାଙ୍କ ବ୍ୟବହାରରୁ ସଂସାର ପ୍ରତି ତାଙ୍କର ବିରାଗ ପ୍ରକାଶ ପାଏ ନାହିଁ । ନିଜ ଦୁଃଖରେ ସେ କାନ୍ଦିବା କେହି କେବେ ଦେଖିନି । ଅଥଚ ଦୁଃଖ କିମ୍ବା ଶୋକରେ ଯଦି ନନ୍ଦିତାର ଆଖିପତା ଓଦା ହୋଇଛି, ସେ ଆର୍ଦ୍ରତା ଆପଣା ଛାଏଁ ସଂକ୍ରମିଛି ଆନନ୍ଦ ବାବୁଙ୍କ ଆଖିପତାକୁ । ଏତେ ସ୍ନେହ ଏତେ ମମତା ତାଙ୍କର, ନନ୍ଦିତା ପ୍ରତି ତା ଆଜି ନନ୍ଦିତା ତାଙ୍କୁ ଏତେ ପାଖରେ ପାଇ ପ୍ରଥମ କରି ବୁଝିଲା ଯେମିତି ।

 

ସଂସାରରେ ସୁଖୀ ହେବାକୁ ହେଲେ ଅନେକ କଥା ଦେଖି ମଧ୍ୟ ନ ଦେଖିଲା ପରି ଆଖି ବୁଜି ରହିବାକୁ ହୁଏ ମା । ନିଜ ମନରୁ ବିଷଣ୍ଣତାର ମ୍ଲାନିମାକୁ ପୋଛି ପର ପାଇଁ ହସର ଲୋଧ୍ରରେଣୁ ବୋଳିବାକୁ ହୁଏ । ଯନ୍ତ୍ରଣା ନଥିଲେ ଜୀବନର ଗଭୀରତମ ଉଦାର ଅନୁଭୂତି ଆମର ହୁଅନ୍ତା ନାହିଁ ।

 

ଖାଲି କଣ ଏ ବେଦନାମୟ ଅନୁଭୂତି ନେଇ ଜୀବନ ଆଗେଇ ଚାଲେ ମଉସା ? ଅନେକ ତ ପୁଣି କେବେ ହସ ଖୁସିରେ ସାରା ଜୀବନ ବିତେଇ ପାରୁଛନ୍ତି ।

 

ଦୁଃଖ ଯାତନା ଓ ଯନ୍ତ୍ରଣାର ଗନ୍ତାଘର ହେଉଛି ଆମର ଏଇ ପୃଥିବୀ ମା, ଦୁଃଖ, ସୁଖ ଓ ବନ୍ଧନ, ମୁକ୍ତି ସେଇ ସ୍ରଷ୍ଟାଙ୍କର ଭିନ୍ନ ଭିନ୍ନ ଦାନ । ଏହା ଆମର ସାଂସାରିକ ଜୀବନ ଯାତ୍ରାର ଚଲାପଥ । ତେବେ ଦୁଃଖ, ଯନ୍ତ୍ରଣାକୁ ଜୀବନଭେ ଏତେ ଗୁରୁତ୍ୱ ଦବା ପ୍ରୟୋଜନ କଣ ? ଏମାନଙ୍କୁ ସ୍ୱାଗତ କର । ଯେଉଁଠିକି ଗଲେ ମଧ୍ୟ ନିଜର ପ୍ରାରବ୍‌ଧରୁ ମୁକ୍ତି ପାଇବା ସମ୍ଭବ ନୁହେଁ । ସବୁ ତାଙ୍କରି ଦାନ ବୋଲି ଗ୍ରହଣ କରିବାକୁ ହେବ । ଆଲୁଅ ପରେ ଅନ୍ଧାର ପରି ସୁଖ ଦୁଃଖ ମଧ୍ୟ ମାନବ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ତେଣୁ ସୁଖ ଚାହିଁବା ମାନେ ଦୁଃଖକୁ ମଧ୍ୟ ବରଣ କରିବ । ଯଦି ଦୁଃଖ ନ ଚାହଁ ତେବେ ସୁଖ ଚାହିଁବାର ଅଧିକାର ମନୁଷ୍ୟର ଅଛି କି ? ତେଣୁ ଦୁଃଖ ଆସିଲେ ମନେକର ତୁମର କୃତକର୍ମ କ୍ଷୟ ହେଲା, ତେଣୁ ଆନନ୍ଦ କର । ସୁଖ ଆସିଲେ ଭାବ ସଂଚିତ ପୁଣ୍ୟର କ୍ରମ ବିଲୟ ହେଲା, ତେଣୁ ଦୁଃଖ କର । ବୁଝିଲୁ ମା ଏଇ ହେଲା ଈଶ୍ୱରଦତ୍ତ ସୁଖ ବା ଦୁଃଖକୁ ଗ୍ରହଣ କରିବାର ନିୟମ । ତେଣୁ ବୁଦ୍ଧିମାନ ମାନବ ନିଜ ଜୀବନର ଗତିପଥ ନିୟନ୍ତ୍ରଣ କରିବାକୁ ସାଧନା କରେ । ଏହି ଚିନ୍ତା ମାନବକୁ ସାଂସାରିକ ପରିବେଶରୁ ଊର୍ଦ୍ଧ୍ୱକୁ ନିଏ ସିନା ତା ଭିତରେ ମୂହ୍ୟମାନ କରି ରଖେ ନାହିଁ ତ !

 

ମୁଁ କଣ ପାରିବି ମଉସା ? ଏ ଯନ୍ତ୍ରଣାମୟ ଅନୁଭୂତିରୁ ନିଜକୁ ଦୂରେଇ ରଖିବା କଣ ମୋ ପରି ଦୁର୍ବଳମନା ପକ୍ଷରେ ସମ୍ଭବ ?

 

ଦୁର୍ବଳ କିଏ ମା ? ଯାହାର ଶକ୍ତିକୁ ପାଥେୟ କରି ଆମେ ଏତେ ବଡ଼ ସଂସାର–ସାଗର ଲଘଂନ କରିବାର ପ୍ରୟାସ କରୁଛୁ ସେ ଶକ୍ତି କଣ କେବେ ଦୁର୍ବଳ ହୋଇପାରେ ? ସେ ଶକ୍ତିର ଶକ୍ତିମାତ୍ର ହ ହେଲେ ମାନବର କି ଶକ୍ତି ଅଛି ସେ ଏ ଦୁର୍ଗମ ପଥ ଅତିକ୍ରମ କରିବ ? ସବୁ ଛାଡ଼ ସେଇ ଶକ୍ତି ଉପରେ ନିର୍ଭର କର ମା । ନିଜର ସାମର୍ଥ୍ୟ ଉପରୁ ସମସ୍ତ ଭରସା ଛାଡ଼ି ଯେତେବେଳେ ମଣିଷ ସେହି ଅଦୃଶ୍ୟ ଶକ୍ତି ଉପରେ ନିର୍ଭର କରେ ସେତେବେଳେ ସେ ଶକ୍ତିର ଅଭୟ ଆଶ୍ରୟ ମାନବ ପାଇଁ ଅବତରେ । ସେଇ କୃପାବାରିରେ ମାନବର ତିକ୍ତ ଜୀବନ ସିକ୍ତ ହୋଇଉଠେ । ଏଇ ଏକମାତ୍ର ପଥ ମାନବ ପାଇଁ । ଶାନ୍ତିର ପଥ–ଅଭୟର ପଥ ।

 

ତା ସତ ଯେ ମଉସା ସେଇଟା କଣ ଏତେ ସହଜ ? ମାନସିକ ଶାନ୍ତି ଯଦି ସବୁବେଳେ ବିପର୍ଯ୍ୟସ୍ତ ରହେ ତେବେ କୌଣସି ସ୍ଥିର ସତ୍ୟ ଉପଉବ୍‌ଧି କରିହେବ କି ?

 

ମାନସିକ ସ୍ଥୈର୍ଯ୍ୟ ପାଇଁ ତ ମଣିଷ ସାଧନା କରେ । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସହିଷ୍ଣୁତାର ପ୍ରଲେପ ଦେଇ ଗ୍ରହଣ କରିବାକୁ ହେବ ତାଙ୍କରି ଦାନ ଭାବି । ଖରସ୍ରୋତରେ ଉଜାଣି ଉଠିବା ଯେପରି ବିଡ଼ମ୍ବନା, ତାଙ୍କରି ଦତ୍ତ ଅବସ୍ଥା ବିରୁଦ୍ଧରେ ପ୍ରତିବାଦ କରିବା ସେପରି ହାସ୍ୟକାର-। ଜୀବନରେ ଯାତନାକୁ ବଡ଼ ବୋଲି ନ ମଣି ତା ଭିତରୁ ସୌନ୍ଦର୍ଯ୍ୟ ଆହରଣ କରିବାକୁ ଚେଷ୍ଟା କର ଝିଅ ଦେଖିବୁ ରିକ୍ତ ଜୀବନ ଆପେ ଆପେ ସୌରଭମୟ ହୋଇ ଉଠିବ ।

 

ଆଶ୍ଚର୍ଯ୍ୟର ନୟନ ବିସ୍ଫୋରିତ ହୋଇ ଉଠୁଥିଲା ନନ୍ଦିତାର । ବାସ୍ତବ ଜୀବନରେ ଏ ସବୁ ପ୍ରୟୋଗ କରିବାର ଦୃଢ଼ତା ନେଇ ଆଗେଇଲା ସେ । ମଉସାଙ୍କର ଜୀବନର ଏଇ ସୌନ୍ଦର୍ଯ୍ୟ ଅନୁଭୂତି ବହୁ ନିରୁକ୍ତ ବେଦନାରୁ ଆହରିତ ଜୀବନର ଅଶ୍ରୁଳ ଅଧ୍ୟାୟ ସବୁକୁ ସମର୍ପଣ କରିବାର ସାଧନା ଦେଇ ମଧୁମୟ କରିଛନ୍ତି ସେ । ନିଜର ଉଦାର ଜୀବନ ଦର୍ଶନର ଆଚ୍ଛାଦନ ତଳେ ସମସ୍ତ ବେଦନା ଆବୃତ୍ତ ହୋଇ ରହିଛି ତାଙ୍କର । ଦୁହେଁ ନୀରବ ରହିଥିଲେ ତାପରେ । ବାହାରର ନୀରବତା ଦେଇ ଅନ୍ତରର କେଉଁ ଅତଳରେ ତଳେଇ ଯାଇଥିଲେ ଦୁହେଁ ।

 

ନନ୍ଦିତା ତା ଜୀବନର ସବୁ ଅପ୍ରାପ୍ତି ମଧ୍ୟରେ ଏହି ଅସୀମ ପ୍ରାପ୍ତିର ସାଧନା ଆରମ୍ଭ କରିଛି । ଏଇ ସାଧନା ଜୀବନକୁ ନୂତନ ଦୃଷ୍ଟିଭଙ୍ଗୀରେ ଦେଖିବାକୁ ଶିଖେଇଛି ତାକୁ । ଗଭୀର ମଗ୍ନତା ମଧ୍ୟରେ ଜୀବନ ବହି ଚାଲିଛି ତାର । ସଞ୍ଜୟର ଉକ୍ତି, କଟୁକ୍ତିକୁ ନିର୍ବିକାର ଭାବେ ଗ୍ରହଣ କରିବାର ସାଧନାରେ ମଗ୍ନ ଆଜି ସେ । ଗଭୀର ନିଃସଙ୍ଗତା ମଝିରେ ତାର ଘନନୀଳ ଚକ୍ଷୁ ଦୁଇଟି ସ୍ନେହସିକ୍ତ ହୋଇ ଉଠେ । ଚକ୍ଷୁର ଉଜ୍ଜ୍ୱଳ ତାରକା ଦୁଇଟି କ୍ଷଣେ କ୍ଷଣେ ସ୍ଥିର ହୋଇଯାଏ ରାଧାକିଶୋରଙ୍କ ଫଟୋ ପାଖରେ । ପୁଣି ହୁଏତ ହୃଦୟର କେଉଁ ଅତଳାନ୍ତରେ ନିମଗ୍ନ ହୋଇଯାଏ ସେ । ସେହି ଅତଳର କେଉଁ ଅନନ୍ତ ଗହ୍ୱରରୁ ଧ୍ୱନିତ ହେଉଥାଏ—

 

ହେ ପ୍ରଭୁ, ହେ ଅନନ୍ତ, ହେ ପ୍ରଶାନ୍ତ ତୁମେ ଆସ । ଏ ରିକ୍ତ ଜୀବନକୁ ସିକ୍ତ କରି ତୁମେ ଆସ ବେଦନାକୁ ବରାଭୟରେ ପରିଣତ କରି ତୁମେ ଆସ ।

 

ନନ୍ଦିତାର ଉଦାସ ଆଖି ରାଧାକିଶୋରଙ୍କର ସେ ପ୍ରଶାନ୍ତ ନୟନରୁ କିଛି ଦେଖିବାକୁ କିଛି ସାନ୍ତ୍ୱନା ପାଇବାକୁ ହୁଏତ ଚେଷ୍ଟା କରୁଥିଲା । ହୁଏତ ଖୋଜିବାକୁ ଚେଷ୍ଟା କରୁଥିଲା ସାରା ଜୀବନର ବିଶ୍ୱାସ ସାରା ଜୀବନର ସାନ୍ତ୍ୱନା । ଖୋଜୁଥିଲା ଜୀବନର ବହୁ ଅପ୍ରାପ୍ତି ଆଉ ଅପ୍ରାପ୍ତିର ସେଇ ନିର୍ବେଦ ଯନ୍ତ୍ରଣା ମଧ୍ୟରୁ ପରିସମାପ୍ତିର ସ୍ୱୀକୃତି ।

 

ଆନନ୍ଦ ବାବୁଙ୍କ କଥା ଶୁଭି ଯାଉଥିଲା । ଜୀବନରେ ସ୍ୱପ୍ନର ସୁଯୋଗ ନାହିଁ ମା । ନିରାଟ ବାସ୍ତବତା ମଧ୍ୟରୁ ବହୁ ବିରୁଦ୍ଧ ମତବାଦ ମଧ୍ୟରୁ ବିଶୁଦ୍ଧ ଶାନ୍ତି ବିଶୁଦ୍ଧ ଆନନ୍ଦପ୍ରାପ୍ତିର ଚେଷ୍ଟା ହିଁ ପ୍ରକୃତ ସାଧନା ।

 

ଆଖିରୁ ତାର ଧାର ଧାର ଲୁହଗଣ୍ଡବାହି ବହି ଆସିଲା । ବଡ଼ ବଡ଼ ଦୁଇଟି ଉଦ୍‌ଭ୍ରାନ୍ତ ନୟନ କୋଣରୁ ତାର ଝରୁଥିଲା ଅଜସ୍ର ଅଶ୍ରୁର ମୁକ୍ତା । ନିଜର ବେଦନା ନିଜର ଯନ୍ତ୍ରଣାକୁ ସମର୍ପି ଦେଇ କାନ୍ଦୁଛି ସେ । ସେ ଲୁହର ବହୁ କାରୁଣ୍ୟ ଯେପରି ରାଧାକିଶୋରଙ୍କର ଶାନ୍ତ ମୁଖମଣ୍ଡଳକୁ ସ୍ତବ୍‌ଧ କରି ଦେଇଛି । ଏଇ ରୋଦନଭରା ଜୀବନର ଶତ ଶତ ଲାଞ୍ଛନା ମଧ୍ୟରେ ସେ ସୁରଭିତ ଏକ ପ୍ରଭାତର କଳ୍ପନାରେ ଆଜି ନିଃଶେଷ ଭାବରେ ଅଶ୍ରୁର ବନ୍ୟାରେ ପ୍ଲାବିତ ହେଉଥିଲା । କାନ୍ଦୁ ନନ୍ଦିତା ସମସ୍ତ ଶକ୍ତି ନିଃଶେଷ କରି କାନ୍ଦୁ । ଅଶେଷ ପ୍ରାପ୍ତିର ନିବିଡ଼ ଆକାଙ୍‌କ୍ଷା ନେଇ ବିସ୍ମୃତ ହୋଇ କାନ୍ଦୁ ସେ ।

Image